fbpx
BSKY
BJD YOUTH SKY
BJD MS SKY

ଚିହ୍ନଟ ହେଲା ଏକ ନୂଆ ଭାଇରସ୍: ନାକରୁ ରକ୍ତ ଝରୁଛି, ଲିଭର ଫେଲ୍, ଓଜନ ହ୍ରାସ, ଚାଲିଗଲା ୯ ଜଣଙ୍କ ଜୀବନ, WHO ଡକାଇଲା ଜରୁରୀକାଳୀନ ବୈଠକ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ହେଁ ଏ ପର୍ଯ୍ୟନ୍ତ ଭାଇରସର ଆତଙ୍କ ସମାପ୍ତ ହୋଇନାହିଁ । ଆଗକୁ ପୁଣି କରୋନା ଆସିପାରେ ବୋଲି ଅନେକ ବିଶେଷଜ୍ଞ ମତ ଦେଉଛନ୍ତି । ତେବେ ଏହା ମଧ୍ୟରେ ଏକ ନୂଆ ଭାଇରସର କହର ଆରମ୍ଭ ହୋଇଯାଇଛି । ଏହି ଭାଇରସ ସଂକ୍ରମିତଙ୍କ ନାକରୁ ପ୍ରଥମେ ରକ୍ତ ଝରିଥାଏ । ଏହି ଭାଇରସ ବହୁତ ଘାତକ ସାବ୍ୟସ୍ତ ହେବାର ସମ୍ଭାବନା ରହିଛି । ଏହାଦ୍ୱାରା ମୃତ୍ୟୁହାର ବଢ଼ିବାର ସମ୍ଭାବନା ଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଜରୁରୀକାଳୀନ ବୈଠକ ଡକାଯାଇଛି ।

ସୂଚନା ମୁତାବକ, ଏହି ନୂଆ ଭାଇରସରକୁ ନେଇ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଚିନ୍ତା ବଢ଼ିଯାଇଛି । ଏହି ଭାଇରସ ସଂକ୍ରମଣରେ ୯ ଜଣଙ୍କର ମୃତ୍ୟୁ ଘଟିସାରିଲାଣି । ଏହାର ନାମ ହେଉଛି ‘ମାରବଗ ଭାଇରସ୍’ । ସମାଚାର ଏଜେନ୍ସି ରିପୋର୍ଟ ମୁତାବକ, ଏହି ଭାଇରସରେ ସଂକ୍ରମିତ ହୋଇ ଆଫ୍ରିକୀୟ ଦେଶ ଇକ୍ୱେଟୋରିୟଲ ଗିନୀରେ ନଅ ଜଣ ପ୍ରାଣ ହରାଇଛନ୍ତି । ମାରବର୍ଗ ଭାଇରସକୁ ନେଇ ହୁ’ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି । ଏନେଇ ହୁ ଆଲର୍ଟ ମୋଡ଼କୁ ଆସିବା ସହ ସମୀକ୍ଷା ପାଇଁ ଜରୁରୀକାଳୀନ ବୈଠକ ଡକାଇଛି ।

ହୁ ପକ୍ଷରୁ ଡକାଯାଇଥିବା ବୈଠକରେ ମାରବର୍ଗ ଭାଇରସର କାରଣ ଓ ଏହାର ପ୍ରତିକାର ଉପରେ ଆଲୋଚନା କରାଯିବ । ବିଶେଷଜ୍ଞଙ୍କ ମତରେ, ମାରବର୍ଗ ଅତ୍ୟଧିକ ସଂକ୍ରାମକ । ଏହି ଭାଇରସ ଦ୍ରୁତ ଭାବେ ବ୍ୟାପୁଛି ଓ ଏହା ଇବୋଲା ଭାଇରସ ପରିବାର ସହ ସମ୍ବନ୍ଧିତ ଭାଇରସ ଅଟେ । ଏହି ଭାଇରସରେ ସଂକ୍ରମଣର ପ୍ରାରମ୍ଭିକ ସ୍ଥିତିରେ ରକ୍ତ ବାହାରୁଛି । ଭାଇରସର ସଂକ୍ରମଣ ସ୍ଥିତିରେ ମୃତ୍ୟୁ ହାର ୮୮ ପ୍ରତିଶତ ହୋଇଥିବା ବେଳେ ଭାଇରସ ଫ୍ରୁଟ ବ୍ୟାଟ୍ସରୁ ମଣିଷ ମଧ୍ୟରେ ପ୍ରବେଶ କରୁଛି ।

ଏହି ଭାଇରସର ସଂକ୍ରମଣ ସ୍ଥିତି ହାମରେଜିକ ଫିଭର ହୋଇଥାଏ ଓ ତାହା ଅଧିକ ମାତ୍ରାରେ ବ୍ୟାପିଥାଏ ବୋଲି ହୁ ରିପୋର୍ଟରେ କୁହାଯାଇଛି । ଏହି ଭାଇରସର ଲକ୍ଷଣ ବହୁତ ବିଳମ୍ବରେ ଧୀରେଧୀରେ ଆରମ୍ଭ ହୋଇଥାଏ । ମାତ୍ର ଦେଖୁଦେଖୁ ଗମ୍ଭୀର ରୂପ ଧାରଣ କରିଥାଏ । ବିଶେଷଜ୍ଞଙ୍କ ମତରେ, ଏହି ଭାଇରସରେ ସଂକ୍ରମିତ ବ୍ୟକ୍ତିଙ୍କୁ ପ୍ରଥମେ ଜ୍ୱର ହୋଇଥାଏ । ଥଣ୍ଡା ଲାଗିବା, ମୁଣ୍ଡବ୍ୟଥା, ଅଶାନ୍ତ, ଚିଡ଼ଚିଡ଼ା ଆଦି ଲକ୍ଷଣ ଦେଖିବାକୁ ମିଳିଥାଏ ।

ସଂକ୍ରମଣ ସ୍ଥିତିରେ ବାନ୍ତି ହେବା ସହ ଗଳାରେ ସୂଜନ, ପେଟ ଯନ୍ତ୍ରଣା ଓ ଡାଇରିଆ ଲକ୍ଷଣ ଦେଖାଦେଇଥାଏ । ଏହି ଭାଇରସରେ ସଂକ୍ରମିତଙ୍କଠାରେ ଜଣ୍ଡିସ ଲକ୍ଷଣ ମଧ୍ୟ ଦେଖାଦେଇଥାଏ । ଅଚାନକ ଓଜନ ହ୍ରାସ, ଲିଭର ଫେଲ ହେବା ସହିତ ମଲଟି ଅର୍ଗାନ ଫେଲୁଅର ହେବାର ସମ୍ଭାବନା ରହିଥାଏ । ମାରବର୍ଗ ଭାଇରସକୁ ନେଇ ଏବେ ପୁଣି ଥରେ ବିଶ୍ୱବାସୀଙ୍କ ଚିନ୍ତା ବଢ଼ିଯାଇଛି ।

Get real time updates directly on you device, subscribe now.