fbpx
BJD SKY
BJD SKY

ଭାରତର କଥା କାନ ଡେରି ଶୁଣୁଛି ସାରା ବିଶ୍ୱ: ମୋଦୀଙ୍କୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ‘ବସ’ ଡାକୁଛନ୍ତି, ଆମେରିକା ରାଷ୍ଟ୍ରପତି ମୋଦୀଙ୍କ ‘ଅଟୋଗ୍ରାଫ’ ନେବାକୁ ଚାହୁଁଛନ୍ତି

BJD

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ସମୟରେ ବିଶ୍ୱର ଜଣେ ଆଗଧାଡ଼ିର ନେତା ହୋଇଥିବା ବେଳେ ଭାରତର ଗୌରବ ବିଶ୍ୱର ବହୁମାତ୍ରାରେ ବଢ଼ିଯାଇଛି । ବହୁବର୍ଷ ତଳେ ଭାରତର କଥାକୁ କୌଣସି ଦେଶ ଗୁରୁତ୍ୱ ଦେଉନଥିଲେ । ମାତ୍ର ଆଜି ଭାରତ ଯାହା କହୁଛି ତାହାକୁ ସାରା ବିଶ୍ୱ କାନ ଡେରି ଶୁଣୁଛି । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତିନି ଦିନିଆ ଉତ୍ତରପ୍ରଦେଶ ଗସ୍ତ ଅବସରରେ ପିଏମ୍ ମୋଦୀ ଓ ଭାରତକୁ ନେଇ ଏଭଳି ପ୍ରଶଂସନୀୟ ମନ୍ତବ୍ୟ ଦେଇଛନ୍ତି ।

ଶ୍ରୀ ସିଂହ କହିଛନ୍ତି, ଆମେରିକା ଗସ୍ତ ଅବସରରେ ପିଏମ୍ ମୋଦୀଙ୍କ ଭାଷଣ ଶୁଣିବା ପାଇଁ ଆମେରିକାର ସାଂସଦମାନେ ଘଣ୍ଟା ଘଣ୍ଟା ଧରି ଉତ୍ସୁକତାର ସହିତ ଚାହିଁ ରହିଥିଲେ । କାର୍ଯ୍ୟକ୍ରମ ସରିବା ପରେ ମୋଦୀଙ୍କ ଅଟ୍ରୋଗ୍ରାଫ ନେବାକୁ ସାଂସଦଙ୍କର ଲମ୍ବା ଲାଇନ୍ ଲାଗିଯାଇଥିଲା । ମୋଦୀ ବିଶ୍ୱସ୍ତରରେ ଜଣେ କ୍ଷମତାଶାଳୀ ନେତା ଓ ସେ ମଧ୍ୟ ମୋଦୀଙ୍କର ଅଟୋଗ୍ରାଫ ନେବାକୁ ଚାହାନ୍ତି ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି । ଏଥିସହିତ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନୀ ଆଲବାନେଜ ମୋଦୀଙ୍କୁ ‘ବସ’ ବୋଲି ସମ୍ବୋଧନ କରିଥାନ୍ତି ।

ମୋଦୀ ଯେତେବେଳେ କୌଣସି ଦେଶକୁ ଯାତ୍ରା କରିଥାନ୍ତି ସେ ସମୟରେ ସେଠାରେ ତାଙ୍କୁ କିଭଳି ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଉଛି ସେହି ଦୃଶ୍ୟ ଭାରତବାସୀ ଟିଭିରେ ଦେଖିବା ଆବଶ୍ୟକ । ମୁସଲିମ ଦେଶମାନଙ୍କରୁ ମଧ୍ୟ ମୋଦୀଙ୍କୁ ବହୁତ ପ୍ରଶଂସା ମିଳୁଛି । ପପୁଆ ନ୍ୟୁ ଗୁନିୟା ଗସ୍ତ ଅବସରରେ ସେହି ଦେଶର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ ମୋଦୀଙ୍କ ପାଦ ଛୁଇଁବାକୁ ପ୍ରୟାସ କରିଥିଲେ । ଏହା ଭାରତ ପାଇଁ ବହୁତ ବଡ଼ ସମ୍ମାନର କଥା । ମୋଦୀଙ୍କ ନେତୃତ୍ୱରେ ଭାରତର ସମ୍ମାନ ବିଶ୍ୱସ୍ତରରେ ବଢ଼ିବାରେ ଲାଗିଛି । ୨୦୧୩-୧୪ରେ ଭାରତ ବିଶ୍ୱର ୧୧ତମ ଅର୍ଥବ୍ୟବସ୍ଥା ରହିଥିବା ବେଳେ ଆଜି ୫ମ ସ୍ଥାନରେ ରହିଛି ।

Get real time updates directly on you device, subscribe now.