fbpx

G-20 ସମ୍ମିଳନୀରୁ କାହିଁକି ଦୂରେଇ ରହିଲେ ଚୀନ୍ ରାଷ୍ଟ୍ରପତି: ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରୁ ଜିନପିଙ୍ଗ ବାରମ୍ବାର ଗାଏବ୍ ହେବା ପଛର ରହସ୍ୟ କ’ଣ?

ନୂଆଦିଲ୍ଲୀ: ସେପ୍ଟେମ୍ବର ୯-୧୦ରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି-୨୦ ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ଶି’ ଜିନପିଙ୍ଗ ଯୋଗଦେବେ ନାହିଁ । ଜିନପିଙ୍ଗଙ୍କ ବଦଳରେ ଚୀନ ପ୍ରଧାନମନ୍ତ୍ରୀ ଲି’ କିୟାଙ୍ଗ ଭାରତ ଆସିବା ନେଇ ଚୀନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି । ତେବେ ଜିନପିଙ୍ଗ ଭାରତ ନ ଆସିବାକୁ ନେଇ ଏବେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ବିଦେଶ କାର୍ଯ୍ୟକ୍ରମରୁ ଜିନପିଙ୍ଗ ବାରମ୍ବାର କାହିଁକି ଗାଏବ ହେଉଛନ୍ତି ସେନେଇ ପାକିସ୍ତାନ ପ୍ରଶ୍ନ କରିଛି । ଏହା ପଛର ଅସଲ କାରଣ ମଧ୍ୟ ସମସ୍ତେ ଜାଣିବା ଦରକାର ।

ଗୋଟିଏ ପରେ ଗୋଟିଏ ଅନ୍ତର୍ଜାତୀୟ ସମ୍ମିଳନୀରୁ ଜିନପିଙ୍ଗ ନିଜକୁ ଦୂରେଇ ରଖୁଥିବାରୁ ସେନେଇ ଏବେ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଆଗକୁ ସେ ଇଣ୍ଡୋନେସିଆରେ ଚାଲିଥିବା ଏସିଆନ ଓ ଇଷ୍ଟ ଏସିଆ ସମ୍ମିଳନୀରୁ ମଧ୍ୟ ଗାଏବ ରହିବେ ବୋଲି ଜଣାପଡ଼ିଛି । । ଇଣ୍ଡୋନେସିଆ ସମ୍ମିଳନୀରେ ଭାଗ ନେବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଜାକର୍ତ୍ତା ଯାଉଛନ୍ତି ।

ତେବେ ସମ୍ମିଳନୀରେ ଯୋଗଦେବା ନେଇ ଜିନପିଙ୍ଗଙ୍କର କ’ଣ ସମସ୍ୟା ରହୁଛି? ପୂର୍ବରୁ ବ୍ରିକ୍ସ ସମ୍ମିଳନୀ ଅବସରରେ ଜିନପିଙ୍ଗ ଦକ୍ଷିଣ ଆଫ୍ରିକାରେ ରହିଥିଲେ ହେଁ ଗୁରୁତ୍ୱପୂର୍ଣ୍ଣ ବୈଠକରୁ ନିଜକୁ ଦୂରେଇ ରଖିଥିଲେ । ଦକ୍ଷିଣ ଆଫ୍ରିକାରେ ମୋଦୀ ଯେଉଁପରି ଢଙ୍ଗରେ ଜିନପିଙ୍ଗଙ୍କୁ ସୀମା ବିବାଦକୁ ନେଇ ଜବାବ ଦେଇଥିଲେ ଦିଲ୍ଲୀରେ ମଧ୍ୟ ସେପରି ହୋଇପାରେ ବୋଲି ଜିନପିଙ୍ଗ ବୋଧହୁଏ ଆଶଙ୍କା କରୁଥିଲେ । ଜି-୨୦ ସମ୍ମିଳନୀର ଆୟୋଜନ କରି ବିଶ୍ୱସ୍ତରରେ ଭାରତର ପ୍ରତିଷ୍ଠା ବୃଦ୍ଧି ବଢ଼ୁଥିବାରୁ ତାହାକୁ ଜିନପିଙ୍ଗ ହଜମ କରିପାରୁନାହାନ୍ତି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ମୋଦୀ-ବାଇଡେନ ଯେଉଁ ମଞ୍ଚରେ ଏକାଠି ରହିଥିବେ, ସେଠାକୁ ଜିନପିଙ୍ଗ ନ ଯିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି ।

Get real time updates directly on you device, subscribe now.