fbpx

କାହିଁକି ବାରମ୍ବାର ମତ ବଦଳାଉଛନ୍ତି ମମିତାଙ୍କ ବାପା, କେହି ତାଙ୍କ ଉପରେ ଚାପ ପକାଉଛି ନା ଆଉ କିଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନେଇ ବିବାଦ ଥମୁନାହିଁ । ଏହି ଘଟଣାର ପ୍ରତିକ୍ରିୟା ସ୍ୱରୂପ ବିଭିନ୍ନ ଅଞ୍ଚଳରେ ରାଜନେତାମାନଙ୍କୁ ପ୍ରତିବାଦ ସହ ଅଣ୍ଡାମାଡ଼ କରାଯାଉଛି । ତେବେ ଏହି ସମୟରେ ମମିତାଙ୍କ ବାପା ସୁଚନ୍ଦ୍ର ମେହେରଙ୍କୁ ନେଇ ଉଠିଛି ଏକ ପ୍ରଶ୍ନ । ବାରମ୍ବାର ସୁଚନ୍ଦ୍ର ମିଡ଼ିଆରେ ନିଜର ମତ ବଦଳାଇ ଚାଲିଛନ୍ତି । ତେଣୁ ଏହା ପଛରେ କିଛି ରହସ୍ୟ ଲୁଚି ରହିନାହିଁ ତ? ତାଙ୍କ ଉପରେ କିଏ ଚାପ ପକାଉଛି ନା ସେ ଏହି ଘଟଣାର କିଛି ସିକ୍ରେଟ୍ ଜାଣିଛନ୍ତି ତାହାକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ ।

ମମିତାଙ୍କ ମୃତ୍ୟୁ ପରେ ତାଙ୍କର ବାପାଙ୍କର ବୟାନ ବେଶ୍ ଗୁରୁତ୍ୱ ବହନ କରୁଥିବାରୁ ତାଙ୍କର ୧୬୪ ବୟାନ ରେକର୍ଡ କରାଯାଇଛି । କଣ୍ଟାମାଞ୍ଝି ମାଜିଷ୍ଟ୍ରେଟଙ୍କ ସାମନାରେ ସୁଚନ୍ଦ୍ରଙ୍କ ବୟାନ ରେକର୍ଡ ହୋଇଥିବା ଜଣାପଡ଼ିଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସମ୍ପର୍କ ଥିବା ନେଇ ପୂର୍ବରୁ ସୁଚନ୍ଦ୍ର ଗଣମାଧ୍ୟମର ବୟାନ ଦେଇଥିଲେ । ତାଙ୍କ ଝିଅର ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଦୋଷୀକୁ ଫାଶୀଦଣ୍ଡ ଦେବାକୁ ସେ ଦାବି କରିଥିଲେ । ତେବେ ତାଙ୍କ ଝିଅର ଚରିତ୍ରକୁ ସଂହାର ନ କରାଯାଉ, ସେ ତଦନ୍ତରେ ସନ୍ତୁଷ୍ଟ ଅଛନ୍ତି ବୋଲି ପରବର୍ତ୍ତୀ ସମୟରେ କହିଥିଲେ ସୁଚନ୍ଦ୍ର । ସୂଚନାଯୋଗ୍ୟ ଯେ, କଂଗ୍ରେସ ଓ ବିଜେପି ପକ୍ଷରୁ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି ନେଇ ପ୍ରତିବାଦ କରାଯାଇ ଆସୁଛି । ତେବେ ମାମଲା କୋର୍ଟକୁ ବିଳମ୍ବରେ ଯାଇଥିବା ନେଇ ଉଠିଥିବା ଅଭିଯୋଗକୁ ଉତ୍ତରାଞ୍ଚଳ ଡିଆଇଜି ଖଣ୍ଡନ କରିଥିଲେ । ପୀଡ଼ିତ ରାୟପୁର ଯାଇଥିବା ନେଇ କୌଣସି ତଥ୍ୟ ନାହିଁ, ପୋଲିସ ଏହି ମାମଲାର ତଦନ୍ତ ସଠିକ୍ ଭାବେ କରୁଥିବା ମଧ୍ୟ ସେ କହିଥିଲେ ।

Get real time updates directly on you device, subscribe now.