ନୂଆଦିଲ୍ଲୀ: ବିଶ୍ୱ ବ୍ୟାଙ୍କିଂ ଦୁନିଆରେ ଇତିହାସ ରଚିବାକୁ ଯାଉଛି ଭାରତ । ଏଚଡିଏଫସି ବ୍ୟାଙ୍କ ଓ ଏଚଡିଏଫସି ଲିମିଟେଡର ମିଶ୍ରଣ ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହୋଇଯିବ । ଫଳରେ ଭାରତ ଆମେରିକା ଓ ଚୀନ ସହିତ ବ୍ୟାଙ୍କିଂ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସକ୍ଷମ ହୋଇ ପାରିବ । ଜେପି ମୋର୍ଗାନ ଚେଜ, ଇଣ୍ଡଷ୍ଟ୍ରିଆଲ ଆଣ୍ଡ କମର୍ସିଆଲ ବ୍ୟାଙ୍କ ଅଫ୍ ଚାଇନା ଓ ବ୍ୟାଙ୍କ ଅଫ୍ ଆମେରିକା ପରେ ଭାରତର ଏଚଡିଏଫସି ବ୍ୟାଙ୍କ ଚତୁର୍ଥ ସ୍ଥାନରେ ରହିବ ।
ଏହି ମିଶ୍ରଣ ଫଳରେ ବ୍ୟାଙ୍କର ଭାଲ୍ୟୁଏସନ ପାଖାପାଖି ୧୭୨ ବିଲିୟନ ଡଲାରେ ପହଞ୍ଚିବା ସହିତ ମିଳିତ ସଂସ୍ଥାର ମୋଟ ସମ୍ପତ୍ତି ପାଖାପାଖି ୧୮ ଲକ୍ଷ କୋଟିରେ ପହଞ୍ଚିଯିବ । ଏଚଡିଏଫସି ବିଶ୍ୱର ବଡ଼ ବଡ଼ ବ୍ୟାଙ୍କକୁ ଟକ୍କର ଦେବା ସହିତ ଏସବିଆଇ ଓ ଆଇସିଆଇସିଆଇକୁ ମଧ୍ୟ ଟପିଯିବ । ବ୍ୟାଙ୍କର ଗ୍ରାହକଙ୍କ ସଂଖ୍ୟା ୧୨୦ ମିଲିୟନରେ ପହଞ୍ଚିବା ସହିତ ଏହା ଜର୍ମାନୀର ଜନସଂଖ୍ୟାକୁ ମଧ୍ୟ ଟପିଯିବ । ବ୍ୟାଙ୍କର ବ୍ୟାଞ୍ଚ ନେଟୱାର୍କ ୮,୩୦୦ରେ ପହଞ୍ଚିବା ସହିତ କର୍ମଚାରୀ ସଂଖ୍ୟା ୧,୭୭,୦୦୦ରେ ପହଞ୍ଚିଯିବ । ଜୁନ ୩୦ରେ ଅନୁଷ୍ଠିତ ହୋଇଥିବା ଏଚଡିଏଫସି ଓ ଏଚଡିଏଫସି ବ୍ୟାଙ୍କର ବୈଠକରେ ମିଶ୍ରଣ ନିଷ୍ପତ୍ତିକୁ ଅନୁମୋଦନ ମିଳିଛି ।
ତେବେ ସବୁଠାରୁ ବଡ଼ କଥା ହେଉଛି କାହିଁକି ହେଉଛି ଏହି ମିଶ୍ରଣ? ଏହାଦ୍ୱାରା କ’ଣ ସବୁ ପରିବର୍ତ୍ତନ ଦେଖିବାକୁ ମିଳିବ? ଏଚଡିଏଫସି-ଏଚଡିଏଫସି ବ୍ୟାଙ୍କ ଏହି ମିଶ୍ରଣ ଫଳରେ ନିଜକୁ ଅଧିକ ମଜବୁତ କରିବାକୁ ପ୍ରୟାସ କରୁଛି । ଏହି ମିଶ୍ରଣ ଫଳରେ ଏଚଡିଏଫସି ବ୍ୟାଙ୍କର ଅସୁରକ୍ଷିତ ଲୋନର ଆଶଙ୍କା ଆହୁରି କମ୍ ହୋଇଯିବ । ପୁଞ୍ଜି କ୍ଷେତ୍ରରେ ବ୍ୟାଙ୍କ ଆଗକୁ ବଢ଼ିବ । ଲୋକଙ୍କୁ ଲୋନଠାରୁ ଆରମ୍ଭ କରି ଉତ୍ତମ ବ୍ୟାଙ୍କିଂ ସେବା ମିଳିପାରିବ । ଏଚଡିଏଫସି ହାଉସିଂ ଲୋନ ବିଜିନେସ ସମ୍ଭାଳିବା ଓ ଅନ୍ୟ ବିଜିନେସ ଏଚଡିଏଫସି ସମ୍ଭାଳିବାକୁ ନେଇ ଦୀର୍ଘ ସମୟ ଧରି ଚର୍ଚ୍ଚା ହୋଇ ଆସୁଥିଲା । ତେଣୁ ସଠିକ୍ ସମୟରେ ବ୍ୟାଙ୍କ ମିଶ୍ରଣ ନିଷ୍ପତ୍ତି ନିଆଯାଇଛି ।
ମିଶ୍ରଣ ପରେ ସମସ୍ତ ଲୋନ ଏକ୍ସଟର୍ଣ୍ଣାଲ ବେଞ୍ଚମାର୍କ ଲେଣ୍ଡିଂ ରେଟ (ଇବିଏଲଆର) ଆଧାରରେ ସ୍ଥିର ହେବ । ଲୋନ ଇବିଏଲଆରରେ ଲିଙ୍କ ହୋଇଯିବା ପରେ ଆରବିଆଇ ପକ୍ଷରୁ ରେପୋ ରେଟରେ କରାଯାଉଥିବା ହ୍ରାସର ଲାଭ ଏଚଡିଏଫସିକୁ ତୁରନ୍ତ ମିଳିପାରିବ । ମିଶ୍ରଣ ପରେ ଏଚଡିଏଫସି ଗ୍ରାହକଙ୍କୁ ଶସ୍ତାରେ ହୋମ ଲୋନ୍ ଅଫର କରିପାରିବ । ବ୍ୟାଙ୍କ ସ୍ଥାୟୀ ଜମା (ଏଫଡି)ରେ ମଧ୍ୟ ପରିବର୍ତ୍ତନ କରିପାରେ । ଏଥିସହିତ ମିଶ୍ରଣ ପରେ ଶେୟାର ହୋଲଡରଙ୍କୁ ଫାଇଦା ମିଳିବ । ଏହି ମିଶ୍ରଣ ଫଳରେ କର୍ମଚାରୀଙ୍କ ବେତନରେ କୌଣସି ପରିବର୍ତ୍ତନ ଘଟିବ ନାହିଁ । ବୋଲି ଏଚଡିଏଫସି ଗ୍ରୁପ ଅଧ୍ୟକ୍ଷ ଶ୍ରୀ ପାରିଖ କହିଥିଲେ ।