fbpx
BSKY
BJD MC SKY
BJD YOUTH SKY

ହାରିଗଲା ମାଆ, ଝିଅକୁ ମିଳିଲାନି ନ୍ୟାୟ: ଗତ ୧୦ ବର୍ଷ ମଧ୍ୟରେ କ’ଣ ସବୁ ଘଟିଥିଲା, ଲଢ଼େଇ ଜାରି ରହିବ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜିୟା ଖାନ ଆତ୍ମହତ୍ୟା ଘଟଣାରେ ଅଭିନେତା ସୂରଜ ପାଞ୍ଚୋଲି ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ମୁମ୍ବାଇର ସ୍ପେଶାଲ ସିବିଆଇ କୋର୍ଟ ଦୀର୍ଘ ୧୦ ବର୍ଷ ପରେ ଆଜି ଅନ୍ତିମ ଶୁଣାଣି କରିଛନ୍ତି । ଜିଆ-ସୂରଜ ପରସ୍ପରକୁ ଡେଟ୍ କରୁଥିବା ବେଳେ ଆତ୍ମହତ୍ୟା ପୂର୍ବରୁ ଜିଆ ଏକ ନୋଟ୍ ଛାଡ଼ି ଯାଇଥିଲେ । ସେଥିରେ ସୂରଜ ଜିୟାଙ୍କ ସହିତ ପ୍ରତାରଣା କରିଥିବା ଲେଖାଥିଲା । ତେବେ ଜିଆଙ୍କ ମାଆ ରାବିୟାଙ୍କ ଅଭିଯୋଗ ଅନୁସାରେ ସୂରଜଙ୍କୁ ପ୍ରଥମେ ଗିରଫ କରାଯାଇଥିଲେ ହେଁ ପରେ ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଯାଇଥିଲା ।

ଗତ ୨୦୧୩ ମସିହା ଜୁନ ୩ ତାରିଖରେ ଅଭିନେତ୍ରୀ ଜିୟା ଆତ୍ମହତ୍ୟା କରିଥିଲେ । ତାଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଇଥିବା ନେଇ ସୂରଜଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା । ତେବେ ଆଜିର କୋର୍ଟଙ୍କ ନିଷ୍ପତ୍ତିରେ ରାବିୟା ଅସନ୍ତୋଷ ପ୍ରକାଶ କରିଛନ୍ତି । ୧୦ ବର୍ଷ ଧରି ଝିଅକୁ ନ୍ୟାୟ ଦେବାକୁ ଲଢ଼େଇ କରିଆସିଥିବା ମାଆ ରାବିୟା ଶେଷରେ ହାରି ଯାଇଛନ୍ତି । ଉପଯୁକ୍ତ ପ୍ରମାଣ ଅଭାବରୁ ସୂରଜଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିବା କୋର୍ଟ କହିଛନ୍ତି ।

୧- ଜିୟା ମେଗାଷ୍ଟାର ଅମିତାବ ବଚ୍ଚନଙ୍କ ସହିତ ୨୦୦୭ରେ ଫିଲ୍ମ ‘ନିଶବ୍ଦ’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ ।

୨- ସୂରଜ ଓ ଜିୟା ପରସ୍ପରକୁ ଡେଟ୍ କରୁଥିବା ବେଳେ ସେମାନଙ୍କର ସମ୍ପର୍କ ଯନ୍ତ୍ରଣାଦାୟକ ଭାବେ ସମାପ୍ତ ହୋଇଥିଲା ।

୩- ଜିୟାଙ୍କ ଝୁଲନ୍ତା ମୃତଦେହ ପ୍ରଥମେ ତାଙ୍କର ମାଆ ଦେଖିଥିଲେ ।

୪- ଜିୟା ମୃତ୍ୟୁ ପୂର୍ବରୁ ଏକ ସୁଇସାଇଡ୍ ନୋଟ୍ ଛାଡ଼ି ଯାଇଥିଲେ ।

୫- ଉକ୍ତ ନୋଟରେ ଜିୟା ତାଙ୍କର ବୟଫ୍ରେଣ୍ଡ ସୂରଜଙ୍କ ବିରୋଧରେ ଅନେକ ଗମ୍ଭୀର ଆରୋପ ଲଗାଇଥିଲେ । ସୂରଜ ଜିୟାଙ୍କୁ ନିର୍ଯାତନା ଦେବା ସହ ପ୍ରତାରଣା କରିଥିବା ସେଥିରେ ଲେଖାଥିଲା ।

୬- ନୋଟ ଆଧାରରେ ସୂରଜଙ୍କୁ ପୋଲିସ ଗିରଫ କରିଥିଲେ ହେଁ ବମ୍ବେ ହାଇକୋର୍ଟରୁ ସେ ଜାମିନ୍ ପାଇଯାଇଥିଲେ । ୨୦୧୪ରେ ମାମଲା ସିବିଆଇକୁ ହସ୍ତାନ୍ତର ହୋଇଥିଲା ।

୭- ୨୦୧୫ରେ ସିବିଆଇ ମୁମ୍ବାଇ କୋର୍ଟରେ ଅଭିଯୁକ୍ତ ସୂରଜଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କରିଥିଲା ।

୮- ୨୦୧୯ରେ ସିବିଆଇ କୋର୍ଟରେ ମାମଲାର ଟ୍ରାଏଲ ଆରମ୍ଭ ହୋଇଥିଲା ।

୯- ଏକାଧିକ ସାକ୍ଷ୍ୟ ଓ ପ୍ରମାଣକୁ ତର୍ଜମା କରିବା ପରେ ଗତ ୨୦ ତାରିଖରେ ସିବିଆଇ କୋର୍ଟ ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ ।

୧୦- ଉପଯୁକ୍ତ ପ୍ରମାଣ ଅଭାବରୁ ଆଜି କୋର୍ଟ ସୂରଜଙ୍କୁ ନିର୍ଦ୍ଦୋଷରେ ଖଲାସ କରିଦେଇଛନ୍ତି ।

ଏହି ନିଷ୍ପତ୍ତି ପରେ ଜିୟାଙ୍କ ମା’ ଅସନ୍ତୋଷ ପ୍ରକାଶ କରିବା ସହ ହାଇକୋର୍ଟ ଯିବେ ବୋଲି କହିଛନ୍ତି । ମୁମ୍ବାଇ ପୋଲିସ ଯେଉଁ ଲାଇନରେ ମାମଲାର ଲାଞ୍ଚ କରିଥିଲା ସିବିଆଇ ମଧ୍ୟ ସେହି ଲାଇନରେ ଯାଞ୍ଚ କରିଥିଲା । ମାମଲାକୁ ଠିକ୍ ଭାବେ ଯାଞ୍ଚ କରାଯାଇନାହିଁ । ତେଣୁ ତାଙ୍କୁ ନ୍ୟାୟ ମିଳି ପାରିଲା ବୋଲି ରାବିୟା କହିଛନ୍ତି ।

Get real time updates directly on you device, subscribe now.