fbpx

ସଚିନଙ୍କ ଠାରୁ ବହୁତ ଭଲ ଖେଳୁଥିଲେ କାମ୍ବଲି: ସଫଳତାର ଶୀର୍ଷ ଛୁଇଁଲେ ମାଷ୍ଟର ବ୍ଲାଷ୍ଟର, କାହିଁକି ସବୁଦିନ ପାଇଁ ପଛରେ ରହିଗଲେ ପିଲାଦିନର ବନ୍ଧୁ

ନୂଆଦିଲ୍ଲୀ: ଅନେକ ପିଲା ଛୋଟ ବେଳେ ହାଇସ୍କୁଲ ସମୟରେ ବହୁତ ଭଲ ପାଠ ପଢ଼ିଥାନ୍ତି । ମାତ୍ର କଲେଜ, ବିଶ୍ୱବିଦ୍ୟାଳୟରେ ପଢ଼ିବା ବେଳକୁ ସେମାନଙ୍କ ମଧ୍ୟରୁ ଅନେକଙ୍କର ଅବନତି ଘଟିଥାଏ । ସେହିପରି ଆଉ କିଛି ପିଲା ପିଲାବେଳୁ ଭଲ ପାଠ ପଢ଼ୁନଥିଲେ ହେଁ ନିଜ କ୍ୟାରିୟରରେ ବଡ଼ ଚାକିରି କରିଥାନ୍ତି । ଏପରି କାହଁକି ଘଟିଥାଏ? ଏହି ପ୍ରଶ୍ନର ଉତ୍ତର ପାଇବାକୁ ହେଲେ ଆମକୁ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ତାଙ୍କର ବାଲ୍ୟବନ୍ଧୁ ବିନୋଦ କାମ୍ବଲିଙ୍କ କାହାଣୀ ବିଷୟରେ ଜାଣିବାକୁ ପଡ଼ିବ ।

ପାଖାପାଖି ଏକ ସମୟରେ ସଚିନ ଓ କାମ୍ବଲି ଦୁହେଁ ନିଜର ଅନ୍ତର୍ଜାତୀୟ କ୍ରିକେଟ ଜୀବନ ଆରମ୍ଭ କରିଥିଲେ । କ୍ୟାରିୟର ଆରମ୍ଭରୁ ସଚିନଙ୍କୁ କେହି ଜାଣିନଥିଲେ । ମାତ୍ର କାମ୍ବଲି ସଚିନଙ୍କ ଠାରୁ ଟ୍ୟାଲେଣ୍ଟରେ ଗୋଟିଏ ପାଦ ଆଗରେ ଥିଲେ । କାମ୍ବଲି ଖୁବ୍ ଶୀଘ୍ର ସଫଳତା ଆଡ଼କୁ ଅଗ୍ରସର ହୋଇ ଚାଲିଥିଲେ । ସଚିନଙ୍କଠାରୁ ଅଧିକ ପ୍ରତିଭାସମ୍ପନ୍ନ ହୋଇଥିଲେ ମଧ୍ୟ କାମ୍ବଲି ନିଜ କ୍ୟାରିୟରରେ ଏତେ ବାଟ ଯାଇ ପାରିନଥିଲେ । ଆଜି ସଚିନଙ୍କ ନାମରେ ଅନେକ କୀର୍ତ୍ତିମାନ ରହିଥିବା ବେଳେ ସେ ଶହ ଶହ କୋଟି ଟଙ୍କାର ମାଲିକ । ଅନ୍ୟପକ୍ଷରେ କାମ୍ବଲିଙ୍କର କଥା କହିଲେ ଦୁଃଖ ଲାଗୁଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ମିଳୁଥିବା ମାସିକ ୩୦ ହଜାର ଟଙ୍କା ପେନସନ ହିଁ ଆଜି କାମ୍ବଲିରଙ୍କର ଏକମାତ୍ର ରୋଜଗାର ।

ସଚିନ ତାଙ୍କର ଟେଷ୍ଟର କ୍ୟାରିୟର ମଧ୍ୟରେ ମାତ୍ର ୬ଟି ଦ୍ୱିଶତକ ହାସଲ କରିଥିଲେ । ଅନ୍ୟପକ୍ଷରେ କାମ୍ବଲି ନିଜର ପ୍ରଥମ ୭ଟି ଟେଷ୍ଟରେ ଦୁଇଟି ଦ୍ୱିଶତକ ହାସଲ କରିବା ସହିତ ୧୧୩.୨୯ ଆଭରେଜରେ ୭୯୩ ରନ୍ ସଂଗ୍ରହ କରିଥିଲେ । ସଚିନ ଓ କାମ୍ବଲିଙ୍କ ମଧ୍ୟରେ କ’ଣ ଫରକ ଥିଲା ତାହା ଏହି ରିପୋର୍ଟରୁ ସ୍ପଷ୍ଟ ଅନୁମେୟ ହେଉଛି । ମାତ୍ର ପରବର୍ତ୍ତୀ ସମୟରେ ଇତିହାସ ବଦଳିଯାଇଥିଲା । ଜଣେ ତଳକୁ ଖସି ଚାଲିଥିଲା, ଆଉ ଜଣେ ଉପରକୁ ଚଢ଼ି ଚାଲିଥିଲା ।

ସଚିନ ଆଉ କାମ୍ବଲିଙ୍କର ମଧ୍ୟରେ ଆଜି ଆକାଶ-ପାତାଳ ଫରକ । ଏହି ଫଳାଫଳର କାରଣ ହେଉଛି ‘ଫୋକସ୍’ । ଯେ କୌଣସି କାର୍ଯ୍ୟକୁ ଯଦି ଆପଣମାନେ ନିଷ୍ଠାର ସହିତ କରିବେ ତେବେ ବିଳମ୍ବ ହୋଇପାରେ ମାତ୍ର ସଫଳତା ନିଶ୍ଚୟ ହାସଲ କରିବେ । ଯେତେବେଳେ କ୍ୟାରିୟର ଆରମ୍ଭରେ କାମ୍ବଲିଙ୍କୁ ସଫଳତା ମିଳିଥିଲା, ସେତେବେଳେ ସେ ଷ୍ଟାରଡମରେ ମତୁଆଲ ହୋଇ ହଜିଯାଇଥିଲେ । ପାର୍ଟି, ମଦ୍ୟପାନ, ଗାର୍ଲଫ୍ରେଣ୍ଡ, ବିଳାସବ୍ୟସନରେ ମାତିଯାଇଥିଲେ କାମ୍ବଲି । ଦିନକୁ ଦିନ ସେ ଚାକଚକ୍ୟ ଭରା ଜୀବନ ଆଡ଼କୁ ମାଡ଼ି ଚାଲିଥିବା ବେଳେ ଖେଳ ଉପରୁ ତାଙ୍କର ଧ୍ୟାନ ହଟିଥିଲା । ଶେଷକୁ ପରିଣତି କ’ଣ ହେଲା ତାହା ସାହା ବିଶ୍ୱ ଦେଖିଥିଲା । କାମ୍ବଲି ଦେହର ଟାଟୁ, ଷ୍ଟାଇଲ ନିଶଦାଢ଼ି, ଦୁଇ କାନରେ ଥିବା ରିଙ୍ଗରୁ ସେ କେତେ ଫ୍ୟାସନେବଲ ଥିଲେ ତାହା ସ୍ପଷ୍ଟ ପ୍ରତୀୟମାନେ ହେଉଛି ।

ଅନ୍ୟପକ୍ଷରେ ସଚିନଙ୍କ ଅନେକ ଗୁଣ ଆଜି ବି ଯୁବ ସମାଜ ପାଇଁ ପ୍ରେରଣା ହୋଇ ରହିଯାଇଛି । ଶତକ, ଦ୍ୱିଶତକ ହାସଲ କଲେ ବି ସଚିନ ଖୁସିରେ ଆଦୌ ଆତ୍ମହରା ହେଉନଥିଲେ । ଏପରିକି ଫାଇନାଲ ମ୍ୟାଚ ପୂର୍ବରୁ ସୌରଭ ଗାଙ୍ଗୁଲି ଗୋଟିଏ ରୁମରେ ଶୋଇପଡ଼ିଥିବା ବେଳେ ସଚିନ ବ୍ୟାଟରେ ପ୍ରାକ୍ଟିସ ଜାରି ରଖିଥିବା କୁହାଯାଏ । ସଫଳତାର ଶିଖର ଛୁଇଁବା ପରେ ବି ସଚିନ ନିଜର ପ୍ରୟାସ ଜାରି ରଖିଥିଲେ । ବ୍ୟାଟିଂରେ କିପରି ଉନ୍ନତି ଆଣିହେବ ସେନେଇ ସଚିନ ପ୍ରତି ମ୍ୟାଚ ପୂର୍ବରୁ ଯୋଜନା କରୁଥିଲେ । ତେଣୁ ମଣିଷ ପ୍ରତ୍ୟେକ ମୁହୂର୍ତ୍ତରେ କିଛି ଶିଖିବା ଦରକାର । ନିଜର ଜୀବନର ଲକ୍ଷ୍ୟ କ’ଣ ତା’ ଉପରେ ନିରନ୍ତର ଭାବେ ଫୋକସ୍ ରହିବା ଆବଶ୍ୟକ । ସଫଳତା ଏତେ ସହଜ ଜିନିଷ ନୁହେଁ, ଏଥିପାଇଁ ବର୍ଷ ବର୍ଷ ସଂଘର୍ଷ ଜାରି ରଖିବାକୁ ପଡ଼େ । ତେବେ ଯାଇ ଆପଣ ଅନ୍ଧାର ଭିତରେ ଏକ ତାରା ପରି ଚମକି ଉଠିବେ ଆଉ ଏ ଦୁନିଆ ଆପଣଙ୍କୁ ସ୍ୱାଗତ କରିବ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବାକୁ ହେଲେ ‘ଫୋକସ’ ନିହାତି ଜରୁରୀ ।

Get real time updates directly on you device, subscribe now.