Two Finger Test କାହିଁକି ବ୍ୟାନ ହେଲା: ଯୌନ ହିଂସା ହୋଇଛି କି ନା କେମିତି ଜଣାପଡ଼େ, ଦୁଷ୍କର୍ମ ମାମଲାର ପରୀକ୍ଷା କିପରି କରାଯାଏ
ନୂଆଦିଲ୍ଲୀ: ଟୁ ଫିଙ୍ଗର ଟେଷ୍ଟକୁ ନେଇ ନିକଟରେ ସର୍ବୋଚ୍ଚ ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଥିଲେ । ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ହିମା କୋହଲୀଙ୍କ ବେଞ୍ଚ ଏହି ଟେଷ୍ଟକୁ ଅବୈଜ୍ଞାନିକ ବୋଲି ଦର୍ଶାଇବା ସହିତ ଏହା ଉପରେ ପ୍ରତିବନ୍ଧକ ଲାଗୁ କରିଥିଲେ । ଏହି ଟେଷ୍ଟ କରିବା ଅର୍ଥ ହେଉଛି ପୀଡ଼ିତାଙ୍କୁ ପ୍ରତାରିତ କରିବା । ଯଦି ଜଣେ ବ୍ୟକ୍ତି ଏହି ଟେଷ୍ଟ କରିବେ, ତେବେ ତାଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରାଯିବ ବୋଲି ଚେତାବନୀ ଦେଇଥିଲେ । ଏଥିସହିତ ମେଡିକାଲ ଶିକ୍ଷାରୁ ଟୁ-ଫିଙ୍ଗର ଟେଷ୍ଟ ହଟାଇବାକୁ ସୁପ୍ରିମକୋର୍ଟ କହିଥିଲେ ।
ଝାଡ଼ଖଣ୍ଡ ସରକାରଙ୍କ ୟାଚିକା ଉପରେ ସୁପ୍ରିମକୋର୍ଟଙ୍କ ବେଞ୍ଚ ଶୁଣାଣି କରିଥିଲେ । ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତ ଶୈଲେନ୍ଦ୍ର ରାୟ ଓରଫ ପାଣ୍ଡବ ରାୟଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଦେଇଥିଲେ । ଏହି ନିଷ୍ପତ୍ତି ବିରୋଧରେ ଝାଡ଼ଖଣ୍ଡ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଓଲଟାଇ ଶୈଲେନ୍ଦ୍ରଙ୍କୁ ଆଜୀବନ ଜେଲଦଣ୍ଡ ଶୁଣାଇଛନ୍ତି । ସେକ୍ସୁଆଲ ଆକ୍ଟିଭ୍ ଥିବା ମହିଳାଙ୍କ ସହିତ ଦୁଷ୍କର୍ମ ହୋଇ ପାରିବ ନାହିଁ ବୋଲି ରହିଥିବା ଧାରଣା ଭୁଲ୍ ଅଟେ ବୋଲି ସୁପ୍ରିମକୋର୍ଟ କହିଥିଲେ ।
ଏହି ଟେଷ୍ଟରେ ପୀଡ଼ିତାଙ୍କ ପ୍ରାଇଭେଟ ପାର୍ଟରେ ଦୁଇ ଆଙ୍ଗୁଠି ଭର୍ତ୍ତି କରାଯାଏ । ପୀଡ଼ିତା ସେକ୍ସିଆଲି ଆକ୍ଟିଭ ନା ନାହିଁ ତାହା ଜାଣିବା ପାଇଁ ଡାକ୍ତର ଚେଷ୍ଟା କରିଥାନ୍ତି । ଏହି ଟେଷ୍ଟରେ ପ୍ରାଇଭେଟ ପାର୍ଟର ବାହାରେ ଥିବା ଏକ ପତଳା ଝିଲୀ ହାଇମନକୁ ଯାଞ୍ଚ କରାଯାଏ । ଯଦି ହାଇମନ ଥାଏ ତେବେ ମହିଳା ସେକ୍ସୁଆଲି ଆକ୍ଟିଭ ନଥିବା ଜଣାପଡ଼େ । ମାତ୍ର ହାଇମନ କ୍ଷତିଗ୍ରସ୍ତ ହୋଇଥିଲେ ମହିଳା ସେକ୍ସୁଆଲି ଆକ୍ଟିଭ ଥିବା ଜଣାପଡ଼ିଥାଏ । ତେବେ ଏହି ଧାରଣ ସମ୍ପୂର୍ଣ୍ଣ ଭାବେ ସତ୍ୟ ନୁହେଁ । ଖେଳକୁଦ, ଅନ୍ୟ କାରଣରୁ ମଧ୍ୟ ହାଇମନ ନଷ୍ଟ ହୋଇଥାଏ ୨୦୨୩ରେ ସର୍ବୋଚ୍ଚ କୋର୍ଟ ଟୁ ଫିଙ୍ଗର ଟେଷ୍ଟ ଉପରେ ରୋକ ଲାଗୁ କରିଥିଲେ । ମାତ୍ର ତା’ ପରେ ମଧ୍ୟ ଏହି ମାମଲା ଜାରି ରହିଥିଲା । ଝାଡ଼ଖଣ୍ଡ ହାଇକୋର୍ଟ ଟୁ ଫିଙ୍ଗର ଟେଷ୍ଟ ଆଧାରରେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରିଥିଲେ ।
ସୁପ୍ରିମକୋର୍ଟ ଏହି ଟେଷ୍ଟ ଉପରେ ରୋକ ଲାଗୁ କରିବା ପରେ ୨୦୧୪ ମାର୍ଚ୍ଚରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଡିପାର୍ଟମେଣ୍ଟ ଅଫ୍ ହେଲଥ ରିସର୍ଚ୍ଚ ପକ୍ଷରୁ ଦୁଷ୍କର୍ମ ଓ ଯୌନ ହିଂସାର ଶିକାର ହୋଇଥିବା ମହିଳାଙ୍କ ଯାଞ୍ଚ ପାଇଁ ଗାଇଡଲାଇନ ଜାରି କରାଯାଇଥିଲା । ଏହି ଗାଇଡଲାଇନରେ ଟୁ ଫିଙ୍ଗର ଟେଷ୍ଟ ଉପରେ ରୋକ ଲଗାଯାଇଥିଲା । ଟୁ ଫିଙ୍ଗର ଟେଷ୍ଟ ଏକ ବେଆଇନ କାର୍ଯ୍ୟ, ଏହା କରାଯିବ ନାହିଁ ବୋଲି ଲେଖାଥିଲା । ହାଇମନ ନଷ୍ଟ ହେବା ବା ନ ହେବା ଦ୍ୱାରା ମହିଳାଙ୍କ ସହ ଯୌନ ହିଂସା ହୋଇଛି କି ହୋଇନି ତାହା ପ୍ରମାଣିତ ହୋଇପାରିବ ନାହିଁ ବୋଲି ଗାଇଡଲାଇନରେ କୁହାଯାଇଥିଲା ।
ପୀଡ଼ିତାଙ୍କ ସହିତ ଯୌନ ହିଂସା ହୋଇଛି କି ନା ତାହା ଜାଣିବା ପାଇଁ ଫରେନସିକ୍ ଯାଞ୍ଚ କରାଯାଇଥାଏ । ଏଥିପାଇଁ ପୀଡ଼ିତାଙ୍କର ସହମତି ଜରୁରୀ । ଯୌନ ହିଂସା ମାମଲାରେ ଯଦି ମହିଳା ସ୍ୱଇଚ୍ଛାରେ ଡାକ୍ତରଙ୍କ ପାଖକୁ ଯାଇଥାନ୍ତି ତେବେ ତାଙ୍କର ଯାଞ୍ଚ ପାଇଁ ମନା କରାଯାଇ ପାରିବ ନାହିଁ । ଯଦି ପୀଡ଼ିତା ପୋଲିସରେ ଅଭିଯୋଗ କରିବାକୁ ଅନିଚ୍ଛୁକ ଥାଆନ୍ତି, ତେବେ ଏହାକୁ ଅଗ୍ରାହ୍ୟ କରାଯାଇ ପାରିବ ନାହିଁ । ଯଦି ପୀଡ଼ିତା ସହମତି ଦେବା ସ୍ଥିତିରେ ନଥାନ୍ତି, ତେବେ ତାଙ୍କର ସମ୍ପର୍କୀୟଙ୍କ ସହମତି ନିଆଯାଏ । ଏପରି ସ୍ଥଳେ ଡାକ୍ତର ପୀଡ଼ିତାଙ୍କ ଡ୍ରେସ, ମୁଣ୍ଡର କେଶ, ପ୍ରାଇଭେଟ ପାର୍ଟ, ମୁହଁ ଓ ରକ୍ତ ନମୂନା ନେଇଥାନ୍ତି । ଏଥିସହିତ ପୀଡ଼ିତାଙ୍କ ଶରୀରରେ କିଛି ଚୋଟ ଲାଗିଛି କି ନାହିଁ, ତାଙ୍କୁ ମଦ ବା ନିଶା ଦ୍ରବ୍ୟ ଦିଆଯାଇଛି କି ନା, କୌଣସି ହତିଆରର ବ୍ୟବହାର ହୋଇଛି କି ନା ଏସବୁ ନୋଟ୍ କରାଯାଇଥାଏ ।