fbpx

ପୁଣି ଥରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେଲେ କେମିତି ହୁଅନ୍ତା: ବିଶ୍ୱକପର ମଜା ନେବାକୁ ଉତ୍ସାହିତ ହେଲେଣି ପ୍ରଶଂସକ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ଦେଖିବାର ମଜା ସତରେ ନିଆରା । ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ଲୋକମାନେ ଖାଇବା ପିଇବା ଛାଡ଼ି ଟିଭି ଆଗରେ ବସିଯାଇଥାନ୍ତି । ଏହାକୁ ନେଇ ସାରା ବିଶ୍ୱର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଏକ ପ୍ରକାରର ଉତ୍ସାହର ମାହୋଲ ଦେଖିବାକୁ ମିଳିଥାଏ । ତେବେ ଚଳିତ ବିଶ୍ୱକପରେ ଗତ ୧୪ ତାରିଖରେ ସମାପ୍ତ ହୋଇଥିବା ମ୍ୟାଚରେ ଭାରତ ପାକିସ୍ତାନଙ୍କୁ ୭ ୱିକେଟରେ ପରାସ୍ତ କରିଥିଲା ।

ପାକିସ୍ତାନର ପରାଜୟ ପରେ ଅଧିନାୟକ ବାବର ଆଜମ ଓ ଦଳର ସମସ୍ତ ଖେଳାଳିଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଏପରିକି ସୋସିଆଲ ମିଡ଼ିଆରେ ପାକିସ୍ତାନର କିଛି ବରିଷ୍ଠ କ୍ରୀଡ଼ାବିତ ପାକିସ୍ତାନର ପ୍ରଦର୍ଶନକୁ ନେଇ ଖୋଲାଖୋଲି ନିନ୍ଦା କରିଥିଲେ । ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ପେସ ବୋଲର ଶୋଏବ ଅଖତର ଏହି ମ୍ୟାଚ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟିଂକୁ ଖୁବ୍ ପ୍ରଶଂସା କରିଥିବା ବେଳେ ବାବରଙ୍କୁ ସମାଲୋଚନା କରିଥିଲେ । ଏହି ବିଜୟ ଫଳରେ ବିଶ୍ୱକପରେ ଭାରତର ବିଜୟ ବ୍ୟବଧାନ ୮-୦ରେ ପହଞ୍ଚିଛି ।

ତେବେ ଖେଳରେ ବିଜୟ ଆଉ ପରାଜୟ ଏକ ସାଧାରଣ କଥା । ମାତ୍ର ମ୍ୟାଚକୁ ଉପଭୋଗ କରିବା, ପ୍ରତ୍ୟେକ ଦଳର ଖେଳାଳିଙ୍କ ଖେଳର ମଜାନେବା ଏକ ଅଲଗା କଥା । ତେବେ ଚଳିତ ବିଶ୍ୱକପରେ ପୁଣି ଥରେ ଭାରତ-ପାକ୍ ଟକ୍କର ଦେଖିବାକୁ ମିଳିପାରେ । ଯଦି ଏପରି ହୁଏ, ତେବେ ପୁଣି ଥରେ ଷ୍ଟାଡିୟମରେ ସୋରିଷଟିଏ ବି ପକାଇବାକୁ ସ୍ଥାନ ମିଳିବନି । ଯଦି ଭାରତ ଓ ପାକିସ୍ତାନ ପଏଣ୍ଟ ଟେବୁଲର ୪ ନମ୍ବର ସ୍ଥାନରେ ରହିବେ ତେବେ ଦୁଇଟି ଯାକ ଦଳ ସେମି ଖେଳିପାରିବେ । ଭାରତ-ପାକିସ୍ତାନ ସେମିଫାଇନାଲରେ ଓ ଫାଇନାଲରେ ଖେଳିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ପୁଣି ଥରେ ରୋହିତ-ବାବର ମୈଦାନରେ ସାମ୍ନାସାମ୍ନି ହୁଅନ୍ତୁ ଏହା ଅଧିକାଂଶ କ୍ରୀଡ଼ାପ୍ରେମୀ ଚାହୁଁଛନ୍ତି ।

Get real time updates directly on you device, subscribe now.