fbpx

ଅଖ କାଠ ଆସିବା ହେଲା ବିଳମ୍ବ: ଠିକ ସମୟରେ ଶେଷ ହେବ ତ ରୁକୁଣା ରଥ କାମ?

ଭୁବନେଶ୍ୱର: ସାରା ରାଜ୍ୟର ଡ୍ରାଇଭର ମହାସଂଘ ଦ୍ୱାରା ଦିଆଯାଇଥିବା ବନ୍ଦ ଡାକରାର ପ୍ରଭାବ ଏବେ ପଡିଛି ବାବା ଲିଙ୍ଗରାଜଙ୍କ ରୁକୁଣା ଯାତ ଉପରେ । ବନ୍ଦ ଆନ୍ଦୋଳନ ଯୋଗୁଁ ମହାପ୍ରଭୁଙ୍କ ଅଖ କାଠ ପହଞ୍ଚିବାରେ ବିଳମ୍ବ ହୋଇଛି । ଫଳରେ ରୁକୁଣା ରଥ ପ୍ରସ୍ତୁତି ଶେଷ ହେବା ନେଇ ବର୍ତ୍ତମାନ ଆଶଙ୍କା ଦେଖା ଦେଇଛି । ଆସନ୍ତା ୨୯ ତାରିଖରେ ରୁକୁଣା ରଥଯାତ୍ରା ଥିବା ବେଳେ ଏପର୍ଯ୍ୟନ୍ତ ଅଖ ନିର୍ମାଣ କାମ ଆରମ୍ଭ ହୋଇନାହିଁ । ଯାହାକୁ ନେଇ ରଥଖଳାରେ ମଧ୍ୟ ଅସନ୍ତୋଷ ଦେଖାଦେଇଛି ।

ସୂଚନା ଅନୁସାରେ, ଆସନ୍ତା ୨୯ ତାରିଖରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ । କିନ୍ତୁ ଏପର୍ଯ୍ୟନ୍ତ ରୁକୁଣା ରଥର ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇ ନଥିବାରୁ ଏହାକୁ ନେଇ ଅସନ୍ତୋଷ ଦେଖାଯାଇଛି । ଗତକାଲି ରାତି ପ୍ରାୟ ୮ଟା ସମୟରେ ୨ଟି ତେନ୍ତୁଳି ଗର ପହଞ୍ଚିବା ପରେ ସେଠାକାର ପରିସ୍ଥିତି ଶାନ୍ତ ପଡିବା ସହ କାମ ଆରମ୍ଭ କରିଛନ୍ତି ମହାରଣା ଓ ସେବାୟତ । ଅଖ କାମ ପରେ ରଥରେ ଭୂଇଁ କାମ, ପୋଟଳ କାମ, ପଟ୍ଟା ଗୋଜ ଓ ଧଡି ଗୋଜ କାମ, ନାହାକା କାମ, ଗୋରଡା ବନ୍ଧା, ବେଦି ସିଙ୍ଗି, ପଟ୍ଟା ସଖୀ, ସିଂହାସନ, ଧ୍ୱଜା ଇତ୍ୟାଦି ବହୁ କାମ ବାକି ରହିଛି । ହାତରେ ଆଉ ଖୁବ କମ୍ ସମୟ ବାକି ଥିବା ବେଳେ ଏତେ ଗୁଡାଏ କାମ ସରିବା ନେଇ ଆଶଙ୍କା ଦେଖା ଦେଇଛି ।

ମୁଖ୍ୟ ମହାରଣାଙ୍କ କହିବା ଅନୁସାରେ, ରଥର ଚକ କାମ ସରି ଯାଇଥିବା ବେଳେ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଆବଶକ ତେନ୍ତୁଳି କାଠ ପହଞ୍ଚି ପାରି ନଥିଲା । ତେଣୁ କାମରେ ମଧ୍ୟ ବିଳମ୍ବ ହେଉଛି । ତେବେ ତେନ୍ତୁଳି ଗର ସହ ୨ଟି ମହି, ୩ଟି ଶାଳ, ୫ଟି ଶିମିଳି, ୫ଟି କୁମ୍ଭୀ ଓ ୫ଟି ଢଉରା କାଠ ମଧ୍ୟ ଆସିବାକୁ ଥିବା ବେଳେ ପ୍ରଶାସନ ଏହାକୁ ଯଥା ଶୀଘ୍ର ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଏହା ସହିତ ରଥକାମ ଜୋରଦାର ଚାଲିଥିବା ବେଳେ ରଥଯାତ୍ରା ପୂର୍ବରୁ କାମ ଶେଷ କରିବାକୁ ଚେଷ୍ଟା ଜାରି ରହିଛି ।

Get real time updates directly on you device, subscribe now.