fbpx
BJD SKY
BJD SKY

ଅଧାରୁ ଅଟକି ଯିବ କି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ? ହାଇକୋର୍ଟ ଦେଲେ ବଡ଼ ଅପଡେଟ୍

BJD

ନୂଆଦିଲ୍ଲୀ: ଅଯୋଧ୍ୟାରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ । ଜାନୁୟାରୀ ୨୨ ତାରିଖରେ ମନ୍ଦିରରେ ଶ୍ରୀରାମଚନ୍ଦ୍ରଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା କରାଯିବ । ତେବେ ଏହା ମଧ୍ୟରେ ଇଲ୍ଲାହବାଦ ହାଇକୋର୍ଟ ଏହି ମାମଲାକୁ ନେଇ ଏକ ବଡ଼ ଅପଡେଟ ଦେଇଛନ୍ତି । ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ରୋକିବା ପାଇଁ ହେଉଥିବା ଦାବି ଉପରେ ଏକ ବଡ଼ ରାୟ ଶୁଣାଇଛନ୍ତି ମାନ୍ୟବର ଉଚ୍ଚ ନ୍ୟାୟାଳୟ । ଜରୁରୀକାଳୀନ ଭିତ୍ତିରେ ଏହି ମାମଲାରେ ଏକ ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ । ରାମ ମନ୍ଦିରକୁ ନେଇ ହୋଇଥିବା ଏହି ଆବେଦନ ଉପରେ କୌଣସି ରାୟ ଶୁଣାଇବାକୁ ହାଇକୋର୍ଟ ମନା କରିଛନ୍ତି ।

ଆବେଦନକାରୀ ଭୋଳା ଦାସଙ୍କ ଓକିଲ ଅନିଲ ବିନ୍ଦେ ଆକ୍ଟିଙ୍ଗ ଚିଫ୍ ଜଷ୍ଟିସ ମନୋଜ କୁମାର ଗୁପ୍ତାଙ୍କ କୋର୍ଟରେ ମାମଲା ଉପସ୍ଥାପନ କରିବା ସହିତ ଏହି ମାମଲାରେ ଆଜି ଶୁଣାଣୀ କରିବାକୁ ନିବେଦନ କରିଥିଲେ । ତେବେ ଇଲ୍ଲାହବାଦ ହାଇକୋର୍ଟ ଏହି ଆବେଦନକୁ ସ୍ୱୀକାର କରିନାହାନ୍ତି । ଏହାପୂର୍ବରୁ ବୁଧବାର ଦିନ ମଧ୍ୟ କୋର୍ଟ ଏହି ମାମଲା ସମ୍ପର୍କରେ ଶୁଣାଣୀ ଉପରେ କୌଣସି ରାୟ ଦେଇନଥିଲେ ।

ସୂଚନା ଅନୁସାରେ, ଗାଜିଆବାଦର ଭୋଳା ଦାସ ଜନହିତ ଆବେଦନ ଦାଖଲ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତରେ ପ୍ରାଣ ପ୍ରତିଷ୍ଠା ହେବା କାର୍ଯ୍ୟକ୍ରମକୁ ରୋକିବା ପାଇଁ ଦାବି କରିଥିଲେ । ଏହି ଆବେଦନରେ ଶଙ୍କରାଚାର୍ଯ୍ୟଙ୍କ ଆପତ୍ତିକୁ ଦର୍ଶାଯାଇ ପ୍ରାଣ ପ୍ରତିଷ୍ଠା ସମାରୋହକୁ ସନାତନ ପରମ୍ପରାର ବିରୋଧୀ ବୋଲି ସେ ଉପସ୍ଥାପନ କରିଥିଲେ । ପିଆଇଏଲରେ କହିଥିଲେ ଯେ, ବିଜେପି ୨୦୨୪ର ଲୋକସଭା ନିର୍ବାଚନରେ ଫାଇଦା ହାସଲ କରିବା ପାଇଁ ଏହି ଆୟୋଜନ କରୁଛି ।

ଜନହିତ ଆବେଦନରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଶଙ୍କରାଚାର୍ଯ୍ୟ ମଧ୍ୟ ଆପତ୍ତି ଜାହିର କରିଛନ୍ତି । ପୌଷ ମାସରେ କୌଣସି ଧାର୍ମିକ କାର୍ଯ୍ୟ କରାଯାଏ ନାହିଁ । ଅପୂର୍ଣ୍ଣ ମନ୍ଦିରରେ କୌଣସି ଦେବାଦେବୀଙ୍କ ପ୍ରାଣ ପ୍ରତିଷ୍ଠା ହୋଇପାରେ ନାହିଁ । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ପ୍ରାଣ ପ୍ରତିଷ୍ଠା କାଯ୍ୟକ୍ରମରେ ସାମିଲ ହେବା ସମ୍ବିଧାନର ବିରୋଧ ବୋଲି ଆବେଦନରେ କୁହାଯାଇଛି । ଏହି କାର୍ଯ୍ୟକ୍ରମକୁ ଏକ ନିର୍ବାଚନୀ ଷ୍ଟଣ୍ଟ ବୋଲି ଆବେଦନରେ କୁହାଯାଇଛି । ତେବେ ହାଇକୋର୍ଟ ଏ ମାମଲାରେ ଶୁଣାଣୀ ନ କରିବାରୁ ପ୍ରାଣ ପ୍ରତିଷ୍ଠା ପାଇଁ ସମସ୍ତ ବାଧା ହଟିଯାଇଛି । ଆସନ୍ତା ୨୦ ଏବଂ ୨୧ ତାରିଖରେ ହାଇକୋର୍ଟରେ ସାପ୍ତାହିକ ଛୁଟି ରହିଥିବାରୁ ଏହି ଆବେଦନ ବର୍ତ୍ତମାନ ମୂଲ୍ୟହୀନ ହୋଇ ପଡ଼ିଛି ।

Get real time updates directly on you device, subscribe now.