fbpx

ବିପଦ ସଙ୍କେତଠାରୁ ୧ମିଟର ଉପରେ ପ୍ରବାହିତ ହେଉଛି ଯମୁନା, ପୁଣି ରଚିପାରେ ବନ୍ୟା ତାଣ୍ଡବ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣିଥରେ ବିପଦ ସଂକେତ ଅତିକ୍ରମ କଲା ଯମୁନା ନଦୀର ଜଳସ୍ତର । ରବିବାର ସକାଳ ସୁଦ୍ଧା ନଦୀର ଜଳସ୍ତର ୨୦୫.୯୦ ମିଟର ଥିବା ବେଳେ ଆଜି ସକାଳୁ ଏହା ୨୦୬.୪୦ ମିଟରକୁ ବୃଦ୍ଧି ପାଇଛି । ତେବେ ଯମୁନା ନଦୀର ଜଳସ୍ତର ବିପଦ ସଂକେତ ଠାରୁ ୧ ମିଟର ଉପରେ ଅଛି । ଏହାସହ ହସ୍ତିନାକୁଣ୍ଡ ବ୍ୟାରେଜରୁ ଲଗାତାର ପାଣି ଛଡା ଯାଉଥିବାରୁ ଯମୁନାରେ ପୁଣି ଜଳସ୍ତର ବଢିପାରେ ନେଇ ଆଶା କରାଯାଉଛି ।

ହସ୍ତିନାକୁଣ୍ଡ ବ୍ୟାରେଜରୁ ଲଗାତାର ପ୍ରତି ସେକେଣ୍ଡରେ ଏକ ଲକ୍ଷ ଘନ ମିଟରରୁ ଅଧିକ ଜଳ ନିର୍ଗତ ହେଉଛି । ଶନିବାର ପ୍ରତି ସେକେଣ୍ଡରେ ଦୁଇ ଲକ୍ଷ ଘନ ମିଟରରୁ ଅଧିକ ଜଳ ନିର୍ଗତ ହୋଇଥିଲା । ତେବେ କୁହାଯାଉଛି ଯେ, ଯହି ଜଳସ୍ତର ୨୦୬.୦୭ମିଟର ପର୍ଯ୍ୟନ୍ତ ବଢେ ତେବେ ଯମୁନାରେ ପୁଣି ଏକ ବଡ ଧରଣର ବନ୍ୟା ସୃଷ୍ଟି ହୋଇପାରେ ।ଅନ୍ୟପକ୍ଷେ ନୋଏଡା ଏବଂ ଗାଜିଆବାଦରେ ହିନ୍ଦନ ନଦୀରେ ଜଳସ୍ତର କ୍ରମାବତ ଭାବରେ ବୃଦ୍ଧି ପାଉଛି । ନୋଏଡାରେ ବନ୍ୟା ଆଲର୍ଟ ଜାରି କରାଯାଇ ହିନ୍ଦନ ନଦୀ କୂଳରୁ ୨୦୦ ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ , ଆଜି ବି ଦିଲ୍ଲୀରେ ପ୍ରବଳ ବର୍ଷା ଦେବାର ସମ୍ଭାବନା ଅଛି । ସେହିପରି ରବିବାର ସନ୍ଧ୍ୟାରେ ଦିଲ୍ଲୀ ଏନସିଆରର ଅନେକ ଅଞ୍ଚଳରେ ବର୍ଷା ହୋଇଥିଲା । ଫଳରେ ଯମୁନା ନଦୀରେ ଜଳ ସ୍ତର ବୃଦ୍ଧି ହେବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ନଦୀରେ ଜଳସ୍ତର ବୃଦ୍ଧି ହେତୁ ଲୋକଙ୍କ ଭିତରେ ଚିନ୍ତା ବଢିବାରେ ଲାଗିଛି ।

Get real time updates directly on you device, subscribe now.