fbpx

ଯଶୱନ୍ତ ସିହ୍ନା ହେଲେ ବିରୋଧୀ ମହାମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ

AAKASH

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧୮ ତାରିଖରେ ଭାରତବର୍ଷରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ । ତେଣୁ ଏହାକୁ ନେଇ ଉଭୟ ଶାସକ ଓ ବିରୋଧୀ ପ୍ରାର୍ଥୀ ଚୟନ ନେଇ ବ୍ୟସ୍ତ ରହିଛନ୍ତି । ତେବେ ଶାସକ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଓ) ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀ ଚୟନ କରିନଥିବା ବେଳେ ବିରୋଧୀ ମହାମେଣ୍ଟ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।

ସୂଚନା ମୁତାବକ, ବିରୋଧୀଙ୍କ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତା ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଏହାପୂର୍ବରୁ ଏନସିପି ସୁପ୍ରିମୋ ଶରଦ ପାୱାର, ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା, ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧିଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ଏହି ସମସ୍ତ ନେତାମାନେ ପ୍ରାର୍ଥୀ ହେବା ନେଇ ଅଗ୍ରାହ୍ୟ କରିଦେଇଥିଲେ ।

ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାରଗେ ଏକ ପ୍ରେସମିଟରେ ଶ୍ରୀ ସିହ୍ନାଙ୍କ ନାମ ଘୋଷଣା କରିଛନ୍ତି । ଏହି ଘୋଷଣା ଅବସରରେ ସାମ୍ବାଦିକ ସମ୍ମିଳନୀରେ ଶରଦ ପାୱାର ଉପସ୍ଥିତ ଥିଲେ । ଆଜି ବିପକ୍ଷ ମହାମେଣ୍ଟର ବୈଠକରେ ଯଶୱନ୍ତଙ୍କ ନାମକୁ ୧୯ଟି ଦଳ ସମର୍ଥନ କରିଥିଲେ । ବୈଠକ ପୂର୍ବରୁ ଯଶୱନ୍ତ ଟ୍ୱିଟ କରିଥିଲେ, ତୃଣମୂଳ କଂଗ୍ରେସରେ ମୋତେ ସମ୍ମାନ ଓ ପ୍ରତିଷ୍ଠା ମିଳିଛି, ତେଣୁ ମୁଁ ମମତା ବାନାର୍ଜୀଙ୍କ ପ୍ରତି କୃତଜ୍ଞ ରହିବି ।

ସୂଚନାଯୋଗ୍ୟ ଯେ, ଯଶୱନ୍ତ ୧୯୯୬ରେ ଭାରତୀୟ ଜନତା ପାର୍ଟିର ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ପାଇଥିଲେ । ୧୯୯୮, ୧୯୯୯ ଓ ୨୦୦୯ରେ ସେ ବିଜେପି ଟିକେଟରେ ଲୋକସଭାକୁ ଯାଇଥିଲେ । ୧୯୯୮ରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ କେନ୍ଦ୍ରରେ ଅର୍ଥମନ୍ତ୍ରୀ ହୋଇଥିଲେ । ୨୦୧୮ରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ ।

Get real time updates directly on you device, subscribe now.