ଦମଦାର ଅଫର! ବାହା ହୁଅ, 1 ଲକ୍ଷ ଟଙ୍କା ନିଅ

ବାହା ହେଲେ ମିଳିବ ଲକ୍ଷେ ଟଙ୍କା, ଜାଣନ୍ତୁ କିପରି

ଲକ୍ଷ୍ନୌ: ବାହା ହୁଅ, 1 ଲକ୍ଷ ଟଙ୍କା ନିଅ! ଏମିତି ଏକ ଦମଦାର ଅଫର ଆଣିଦେଇଛନ୍ତି ଉତ୍ତର ପ୍ରଦେଶ ସରକାର ଯୋଗୀ ଆଦିତ୍ୟନାଥ। ଆଜ୍ଞା ହଁ, ଯିଏ ଦିନେ ବିବାହ କରିବେନି ବୋଲି ଶପଥ ନେଇ ଆଜୀବନ ବ୍ରହ୍ମଚାରୀ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ ସେ ଆଜି ଜନ ସମୂହର ବିକାଶ ପାଇଁ ଏତେ ବଡ ନିଷ୍ପତ୍ତି ନେଇଛନ୍ତି।

ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ମୁଖ୍ୟମନ୍ତ୍ରୀ ଗଣ ବିବାହ ଯୋଜନାରେ ନବ ବିବାହିତ ଦମ୍ପତିଙ୍କୁ 1 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ ବୋଲି ସମାଜ କଲ୍ୟାଣ ବିଭାଗର ସମୀକ୍ଷା ବୈଠକ ସମୟରେ କହିଛନ୍ତି। ଯାହା ହଜାର ହଜାର ଅସହାୟ ପରିବାରକୁ ଆର୍ଥିକ ସହାୟତା ଯୋଗାଇବ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଗଣ ବିବାହ ଯୋଜନା ଗରିବ, ବଞ୍ଚିତ ଏବଂ ଅଭାବୀ ବର୍ଗଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ସହାୟତା ପାଲଟିଛି। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ୧ ଲକ୍ଷ ଟଙ୍କାର ସହାୟତା ରାଶିକୁ ତିନୋଟି ଭାଗରେ ବିଭକ୍ତ କରାଯିବ। ଯଥା:

– ଝିଅଟିର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ୬୦,୦୦୦ ଟଙ୍କା ଜମା କରାଯିବ, ଯାହା ଦ୍ୱାରା ସେ ତାଙ୍କ ଭବିଷ୍ୟତ ଜୀବନରେ କିଛି ଆର୍ଥିକ ସୁରକ୍ଷା ପାଇପାରିବେ।

– ନବ ବିବାହିତ ଦମ୍ପତିଙ୍କୁ ୨୫,୦୦୦ ଟଙ୍କା ମୂଲ୍ୟର ଉପହାର ଦିଆଯିବ, ଯେଉଁଥିରେ ଘରୋଇ ଜୀବନ ପାଇଁ ଅତ୍ୟାବଶ୍ୟକୀୟ ଜିନିଷପତ୍ର ଅନ୍ତର୍ଭୁକ୍ତ ହେବ।

– ସମ୍ମାନଜନକ ବିବାହ ପାଇଁ ବିବାହ ଉତ୍ସବରେ ୧୫,୦୦୦ ଟଙ୍କା ଖର୍ଚ୍ଚ କରାଯିବ।

ମୁଖ୍ୟମନ୍ତ୍ରୀ ଏହି ନୂତନ ବ୍ୟବସ୍ଥାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ଦ୍ଵାରା ଆଗାମୀ କାର୍ଯ୍ୟକ୍ରମରେ ଏହାର ଲାଭ ମିଳିପାରିବ।