fbpx

ଯେଉଁମାନେ Facebook, Instagram, YouTube ପରି ସୋସିଆଲ ମିଡ଼ିଆକୁ ଦୁଇମାସ ପାଇଁ ଛାଡ଼ିପାରିବେ, ସେମାନଙ୍କୁ ଲକ୍ଷାଧିକ ଟଙ୍କା ଦେବ ଏହି କମ୍ପାନୀ

ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ ଯୁଗରେ ଫେସବୁକ, ଇନଷ୍ଟାଗ୍ରାମ, ଟ୍ୱିଟର, ୟୁଟ୍ୟୁବ ପରି ପ୍ଲାଟଫର୍ମଗୁଡ଼ିକ ମଣିଷ ଜୀବନର ଏକ ଅଂଶ ହୋଇଗଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ । କୋଟି କୋଟି ଲୋକ ଆଜି ଏପରି ସୋସିଆଲ ମିଡ଼ିଆକୁ ବ୍ୟବହାର କରିବା ସହ ଇଣ୍ଟରନେଟର ଦୁନିଆରେ ସମ୍ପୂର୍ଣ୍ଣ ଭାବେ ନିଜକୁ ହଜାଇ ଦେଉଛନ୍ତି । ସୋସିଆଲ ମିଡ଼ିଆ ମାଧ୍ୟମରେ ଅନେକ ଲୋକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ତେବେ ଯଦି କୁହାଯିବ, ସୋସିଆଲ ମିଡ଼ିଆର ବ୍ୟବହାର କରିବା ଛାଡ଼ିଦେଲେ ଆପଣ ଲକ୍ଷାଧିକ ରୋଜଗାର କରିବେ, ଏକଥାଟିକୁ ହୁଏତ କେହି ବିଶ୍ୱାସ କରିବେ ନାହିଁ । ଦୁଇ ମାସ ପାଇଁ ସୋସିଆଲ ମିଡ଼ିଆଠାରୁ ଦୂରେଇ ରହିଲେ ଦେଢ଼ ଲକ୍ଷ ଟଙ୍କା ପ୍ରଦାନ କରିବ ବୋଲି ଏକ କମ୍ପାନୀ ଘୋଷଣା କରିଛି ।

ଏହି କମ୍ପାନୀର ନାମ ହେଉଛି Uptime App । କମ୍ପାନୀ ମୁତାବକ, ଯଦି ଆପଣମାନେ ଦୁଇ ମାସ ପାଇଁ ସୋସିଆଲ ମିଡ଼ିଆ ଛାଡ଼ିଦେବେ, ତେବେ ଆପଣଙ୍କୁ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ଦିଆଯିବ । ତେବେ ଏଥିପାଇଁ କମ୍ପାନୀ ଆସନ୍ତା କିଛି ମାସ ମଧ୍ୟରେ ଏକ ଷ୍ଟଡି କରିବାକୁ ଯାଉଛି । ଯେଉଁମାନେ ଅତିକମରେ ଦୁଇମାସ ପାଇଁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମଠାରୁ ଦୂରେଇ ରହିଥିବେ, ସେମାନଙ୍କୁ ଏଥିରେ ସାମିଲ୍ କରାଯିବ ।

Uptime Appର ୱେବସାଇଟ୍ ଅନୁଯାୟୀ, ଯେଉଁ ଆବେଦନକାରୀମାନେ ଆଠ ସପ୍ତାହ ପାଇଁ ସୋସିଆଲ ମିଡ଼ିଆରେ ଛାଡ଼ିଦେଇଥିବେ, ସେମାନଙ୍କୁ ଦେଢ଼ ଲକ୍ଷ ଦିଆଯିବ । ଲୋକମାନେ ନିଜର ନୂଆ ଡାଉନଟାଇମର ବ୍ୟବହାର କିପରି କରୁଛନ୍ତି କମ୍ପାନୀ ସେ ବିଷୟରେ ଅନୁଧ୍ୟାନ କରିବ । ଫେସବୁକ, ଇନଷ୍ଟାଗ୍ରାମ, ଟିକଟକ, ସ୍ନାପଚାଟ ଓ ୟୁଟ୍ୟୁବ ପରି ପ୍ଲାଟଫର୍ମଠାରୁ ଦୂରେଇ ରହିବା ପରେ ଲୋକଙ୍କର ଖୁସିର ସ୍ତର, ବ୍ୟବହାର, ଉତ୍ପାଦକତା କିପରି ରହିଥିଲା ତାହା କମ୍ପାନୀ ରେକର୍ଡ କରିବ ।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ସୋସିଆଲ ମିଡ଼ିଆ ଓ ଡୁମସ୍କ୍ରଲିଂ ମଣିଷର ମାନସିକ ସ୍ୱାସ୍ଥ୍ୟ ପାଇଁ ହାନୀକାରକ ଅଟେ । ଡ୍ରଗ୍ସ ଓ ଆଲକହଲ ପରି ସୋସିଆଲ ମିଡ଼ିଆ ବ୍ୟବହାର କରିବା ଦ୍ୱାରା ମଣିଷର ମସ୍ତିଷ୍କର ଡୋପାମାଇନ୍ ସ୍ତର ବୃଦ୍ଧି ପାଇଥାଏ । କୋଭିଡ୍ ମହାମାରୀ ଆସିବା ପରଠାରୁ ସୋସିଆଲ ମିଡ଼ିଆର ବ୍ୟବହାର ୧୬ ପ୍ରତିଶତ ବୃଦ୍ଧି ପାଇଛି । ତେଣୁ ଏ ବାବଦରେ ଅଧ୍ୟୟନ କରିବାକୁ କମ୍ପାନୀ ଆଗ୍ରହ ପ୍ରକାଶ କରିଥିଲା । କୌଣସି ବ୍ୟକ୍ତି ସୋସିଆଲ ମିଡ଼ିଆକୁ ଡିଲିଟ କରିବାର ଆବଶ୍ୟକତା ନାହିଁ । ଲୋକମାନେ ନିଜର ଡାଉନଟାଇମର କିପରି ସଦୁପଯୋଗ କରିପାରିବେ ସେଥିପାଇଁ ପ୍ରେରଣା ଯୋଗାଇବା ହେଉଛି କମ୍ପାନୀର ମୁଖ୍ୟ ଉଦ୍ଦେଶ୍ୟ ।

Get real time updates directly on you device, subscribe now.