FeaturedHISTORY & CULTURESOCIETYTOP STORIES

ଶିବରାତ୍ରି ପାଳୁଥିଲେ ଧ୍ୟାନ ଦିଅନ୍ତୁ ଏହି ଦିଗପ୍ରତି, ପାଇବେ ସୁଫଳ

ମହାଶିବରାତ୍ରି ଏକ ହିନ୍ଦୁ ପର୍ବ ହୋଇଥିବା ବେଳେ ଏହା ଫାଲ୍‌ଗୁନମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ । ଚଳିତ ବର୍ଷ ଶିବରାତ୍ରି ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୪ରେ ପଡୁଛି । ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବକାମପ୍ରଦ ହୋଇଥିବାରୁ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଉପବାସରେ ରହିବ ସହିତ ବ୍ରତ ପାଳନ କରିଥାନ୍ତି ଉଭୟ ଯୁବକ ଓ ଯୁବତୀ । କିଛିଲୋକ କୁହନ୍ତି କି ଏହି ଦିନ ଭଗବାନ ଶିବଙ୍କର ବିବାହ ପାର୍ବତୀଙ୍କ ସହିତ ହୋଇଥିଲା । ପ୍ରତିବର୍ଷ ପଡୁଥିବା ୧୨ଟି ଶିବରାତ୍ରି ମଧ୍ୟରୁ ଏହିଦିନକୁ ମହାଶିବରାତ୍ରି ନାମରେ ନାମିତ କରାଯାଇଛି ।

କଣ କୁହେ ପୁରାଣ

ପୌରାଣିକ କଥା ଅନୁସାରେ ଏହି ଦିନ ମହାଦେବଙ୍କ ବିଶାଳକାୟ ସ୍ୱରୂପ ଏକ ଅଗ୍ନିଲିଙ୍ଗ ଭାବେ ଉଦୟ ହୋଇଥିବାରୁ ସୃଷ୍ଟିର ଆରମ୍ଭ ହୋଇଛି । ପୁରାଣର ଅନ୍ୟ ଏକ ଆଖ୍ୟାନ ଅନୁସାରେ, ଦେବ ଓ ଅସୁରମାନଙ୍କଦ୍ୱାରା ସମୁଦ୍ର ମନ୍ଥନ ସମୟରେ ସେଥିରୁ ବାହାରିଥିବା ସମସ୍ତ ବିଷକୁ ଶିବ ପାନକରି ଧରାକୁ ଏକ ଆସନ୍ନ ବିପଦରୁ ଉଦ୍ଧାର କରିଥିଲେ । ଏହି ବିଷକୁ ପାନ କରିବା ପରେ ବିଷର ଜ୍ୱାଳାରେ ସେ ମୂର୍ଚ୍ଛା ହୋଇଯାଇଥିଲେ । ତାଙ୍କର ସଂଜ୍ଞା ନ ଫେରିବା ପର୍ଯ୍ୟନ୍ତ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ । ସେହିଦିନକୁ ମନେପକାଇ ଶ୍ରଦ୍ଧାଳୁମାନେ ମହାଶିବରାତ୍ରି ପାଳନ କରିଥାନ୍ତି । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବ ଲିଙ୍ଗ ଭାବରେ ଆବିର୍ଭୂତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ମହାଶିବରାତ୍ରି ଭାବରେ ପାଳନ କରାଯାଏ ।

ଶିବରାତ୍ରୀର ମହତ୍ୱ

ମହାଶିବରାତ୍ରିରେ ଶିବ ଆରାଧନା ଓ ଅଭିଷେକ ଉତ୍ତମ ଫଳଦାୟୀ ବୋଲି କୁହାଯାଏ । ଏହିଦିନ ଅଭିଷେକ କରିବାର ମହତ୍ୱ ଅଧିକ ଥାଏ ।

– ଏଭଳି କରି ଭକ୍ତମାନେ ନିଜ ଜୀବନରେ ଧନଲକ୍ଷ୍ମୀଙ୍କ ସ୍ଥିତରତା, ବେମାରୀରୁ ମୁକ୍ତି, ସନ୍ତାନ ସୁଖ ଓ ବିଭିନ୍ନ କଷ୍ଟରୁ ମୁକ୍ତି ପାଇଥାନ୍ତି ।

– ଏହିଦିନ ଶିବଙ୍କ ଅଭିଷେକ କରିବା ପାଇଁ ଶୁଦ୍ଧ ଜଳ, ଗୁଡ ଯୁକ୍ତ ଜଳ, ତୀର୍ଥ ନଦୀ ଜଳ, ଆଖୁ ରସ, ବିଭିନ୍ନ ପୁଷ୍ପ ରସ ତଥା ଦହି ଦୁଧ ଆଦିରେ ଭଗବାନ ଭୋଳାନାଥଙ୍କର ଅଭିଷେକ କରିବା ଦ୍ୱାରା ତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

– ଶିବରାତ୍ରିର ଚାରିପ୍ରହରରେ ଦୀପ ଜାଳିବା ସହିତ ଶିବଙ୍କର ପୂଜା ସହିତ ନାମ ଜପ କରାଯିବାର ବିଧି ରହିଛି । ଗୁରୁଦତ୍ତ ନାମ ଜପର ବିଧି ରହିଛି ଯିଏ ଗୁରୁ କରିନଥିବ ସେ ଶିବଙ୍କର ଅଷ୍ଟନାମ ଯଥା- ଭବ, ଶର୍ବ, ରୁଦ୍ର, ପଶୁପତି, ଉଗ୍ର, ମହାନ ଭୀମ, ଈଶାନ ମଧ୍ୟରୁ ଯେକୌଣସି ନାମ କିମ୍ବା ‘ ଓଁ ନମଃ ଶିବାୟ’ ପଞ୍ଚାକ୍ଷର ମନ୍ତ୍ର ଜପ କରିପାରିବ ।

– ହିନ୍ଦୁ ନରନାରୀ ଶୁଦ୍ଧପୂତ ଭାବରେ ଉପବାସ ପୂର୍ବକ ଅଖଣ୍ଡ ଦୀପ ଜାଳି ରାତ୍ରି ଉଜାଗର ରହି ବ୍ରତ ପାଳୁଥିବାରୁ ଏହାକୁ ଜାଗର ଓଷା ବା ଜାଗର ବ୍ରତ ମଧ୍ୟ କୁହାଯାଇଥାଏ । ମଧ୍ୟରାତିକୁ ମନ୍ଦିରର ଶିଖରକୁ ବିଶାଳ ମହାଦୀପ ନିଆଯିବାର ଦର୍ଶନ କରି ଭକ୍ତମାନେ ବିହ୍ୱଳ ହୁଅନ୍ତି । ପରଦିନ ସ୍ନାନାଦି ସମାପନ କରି ଭକ୍ତମାନେ ସେମାନଙ୍କ ଉପବାସ ଭଙ୍ଗ କରି ଖାଦ୍ୟ ଗ୍ରହଣ କରିଥାନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *