fbpx

ଚୀନ ମାମଲାରେ ଏକ୍ସପର୍ଟ, PMO ଅଫିସରେ ଥିଲେ କାର୍ଯ୍ୟରତ, ଜାଣନ୍ତୁ କିଏ ବୈଦେଶିକ ସଚିବ ବିକ୍ରମ ମିସ୍ରି

Advertisement

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ଦେଶର ନୂତନ ବୈଦେଶକ ସଚିବ ଭାବରେ ଦେଶର ଡେପୁଟି ନ୍ୟାସନାଲ ସିକ୍ୟୁରିଟି ଆଡଭାଇଜର(NSA) ଏବଂ ପୂର୍ବତନ ରାଷ୍ଟ୍ରଦୂତ ବିକ୍ରମ ମିସ୍ରିଙ୍କୁ ନିଯୁକ୍ତ କରାଯାଇଛି । ଆଗାମୀ ଜୁଲାଇ ୧୫ରୁ ସେ ତାଙ୍କ କାର୍ଯ୍ୟକାଳ ଆରମ୍ଭ କରିବେ । ଏହା ପୂର୍ବରୁ ବିକ୍ରମ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି । ଚୀନ ସହ ଭାରତର ବିଭିନ୍ନ ବୈଦେଶିକ କାରବାରରେ ସେ ତାଙ୍କ କୂଟନୀତି ଦ୍ୱାରା ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହାସଲ କରିଥିଲେ ।

କିଏ ବିକ୍ରମ ମିସ୍ରି ?

ବିକ୍ରମ ମିସ୍ରି ହେଉଛନ୍ତି ୧୯୮୯ ବ୍ୟାଚର IFS ଅଧିକାରୀ । ବର୍ତ୍ତମାନର ବୈଦେଶିକ ସଚିବ ବିନୟ କ୍ୱାତ୍ରାଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତ କରାଯାଇଛି । ଗତ ଦୁଇ ବର୍ଷରୁ ସେ ଡେପୁଟି ନ୍ୟାସନାଲ ସିକ୍ୟୁରିଟି ଆଡଭାଇଜର ଭାବେ କାର୍ଯ୍ୟରତ ଥିଲେ । ଏହି ପଦବୀ ପାଇଁ ତାଙ୍କ କାର୍ଯ୍ୟକାଳ ହ୍ରାସ କରାଯାଇ ଦେଶର ପରବର୍ତ୍ତୀ ବୈଦେଶିକ ସଚିବ ଭାବେ ନିଯୁକ୍ତ କରାଯାଇଛି । ୧୯୬୪ ମସିହା ନଭେମ୍ବର ୭ରେ ଏକ କାଶ୍ମିରୀ ହିନ୍ଦୁ ପରିବାରରେ ବିକ୍ରମ ମିସ୍ରି ଜନ୍ମଗ୍ରହଣ କରିଥିଲେ । ସିନ୍ଧିଆ ସ୍କୁଲ ଗ୍ୱାଲିୟରରୁ ସେ ତାଙ୍କ ସ୍କୁଲ ପାଠପଢ଼ା ଶେଷ କରିବା ପରେ ଦିଲ୍ଲୀ ୟୁନିଭର୍ସିଟିର ହିନ୍ଦୁ କଲେଜରୁ ଇତିହାସରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପରେ ସେ XLRI ଜାଭିୟର ଲେବର ରିଲେସନ୍ସ ଇନ୍ସଟିଟ୍ୟୁଟ ଜାମସେଦପୁରରୁ ଏମବିଏ କରିଥିଲେ । ଏହା ପରେ ସେ ଏକ ଆଡଭାର୍ଟାଇଜିଂ ଏବଂ ଆଡ୍ ଫିଲ୍ମ ମେକିଂ ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରିଥିଲେ । କିନ୍ତୁ ୟୁପିଏସସି ପରୀକ୍ଷା ପାସ କରିବା ତାଙ୍କର ସ୍ୱପ୍ନ ଥିଲା । ୧୯୮୮ରେ ବିକ୍ରମଙ୍କର ସ୍ୱପ୍ନ ବାସ୍ତବତାର ରୂପ ଧାରଣ କଲା ଏବଂ IFS ରେ ତାଙ୍କର ଚୟନ ହୋଇଥିଲା ।

୧୯୯୭ରେ ବିକ୍ରମ ମିସ୍ରି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦ୍ର କୁମାର ଗୁଜରାଲଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟରତ ଥିଲେ । ଏହା ପରେ ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ୱ ତୁଲାଇଥିଲେ । ପରେ ୨୦୧୪ ମେ’ରୁ ଜୁଲାଇ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିଗତ ସଚିବ ଥିଲେ । ବିକ୍ରମ ଇଣ୍ଡୋ-ପାସିଫିକ୍ ଅଞ୍ଚଳର ରଣନୀତିକ ପରିସ୍ଥିତି ସହ ଡିଲ୍ କରୁଥିବା ଜଣେ ଅଭିଜ୍ଞ IFS ଅଧିକାରୀ । ସେ ବିଭିନ୍ନ ଭାରତୀୟ ମିଶନ ଅଧିନରେ ୟୁରୋପ, ଆଫ୍ରିକା, ଏସିୟା ଏବଂ ଉତ୍ତର ଆମେରିକାରେ ମଧ୍ୟ କାର୍ଯ୍ୟ କରିଛନ୍ତି । ମିଆଁମାର ଏବଂ ସ୍ପେନରେ ସେ ଭାରତର ରାଷ୍ଟ୍ରଦୂତ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

Get real time updates directly on you device, subscribe now.