ନୂଆଦିଲ୍ଲୀ: ନଭେମ୍ବର ୨୩ରେ ଘୋଷଣା ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସପକ୍ଷରେ ଯାଇଛି । ମୋଟ ୨୮୮ଟି ଆସନ ମଧ୍ୟରୁ ବିଜେପିକୁ ୧୩୨ଟି, ଶିବ ସେନା (ଏକନାଥ ଶିନ୍ଦେ)କୁ ୫୭ଟି, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏଜିତ ପାୱାର)କୁ ୪୧ଟି, ଶିବସେନା (ଉଦ୍ଧବ ଠାକରେ)କୁ ୨୦ଟି, କଂଗ୍ରେସକୁ ୧୬ଟି, ଏନସିପି (ଶରଦ ପାୱାର)କୁ ୧୦ଟି, ସମାଜବାଦୀ ପାର୍ଟିକୁ ୨ଟି, ଜନ ସୁରକ୍ଷା ଶକ୍ତିକୁ ୨ଟି ଓ ରାଷ୍ଟ୍ରୀୟ ଯୁବ ପାର୍ଟିକୁ ୧ଟି ଆସନ ମିଳିଥିଲା । ଏହା ମଧ୍ୟରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ତେବେ ଅନେକ ସମୟରେ ଅଭିନେତା, କ୍ରିକେଟରମାନେ ରାଜନୀତିରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଆସିଥାନ୍ତି । କିଛି ସେଲିବ୍ରେଟୀ ନିର୍ବାଚନୀ ମୈଦାନରେ ବାଜିମାତ କରୁଥିବା ଆଉ କିଛି ନିଜର ଅମାନତ ହରାଇଥାନ୍ତି । ତେବେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏଥର ବରସୋଭା ଆସନରୁ ଲଢ଼ୁଥିବା ବିଗ୍ ବସ୍ ଫେମ୍ ଅଭିନେତା ମାତ୍ର ୧୫୫ ଖଣ୍ଡ ଭୋଟ ପାଇଛନ୍ତି । ନିଜର ଲୋକପ୍ରିୟତା ଥାଇ ବି ସେ ରାଜନୀତିରେ ବିଫଳ ହୋଇଛନ୍ତି । ଏହି ଆସନରେ ମୋଟ ୧୬ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ବେଳେ ଏଜାଜ ଅମାନତ ହରାଇଥିଲେ । ଏହି ଆସନରେ ଶିବସେନା ୟୁବିଟି ପ୍ରାର୍ଥୀ ହରୁନ ଖା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଡ. ଭାରତୀ ଲାଭେକରଙ୍କୁ ୧୬ ଶହ ଭୋଟରେ ପରାସ୍ତ କରିଥିଲେ । ତେବେ ଅଭିନୟ ଜଗତରେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଥିବା ଏଜାଜଙ୍କୁ ଭୋଟର ଗ୍ରହଣ ନ କରିବା ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି । ସବୁଠାରୁ ବଡ଼ କଥା ହେଉଛି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏଜାଜଙ୍କର ୫.୬ ମିଲିୟନ ଫଲୋଅର୍ସ ରହିଥିଲେ ।