ଭୁବନେଶ୍ୱର,୨ା୭: ଉତ୍ତର ଓଡ଼ିଶାର ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାରେ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଏବଂ ଜଳକା ଭଳି ପ୍ରମୁଖ ନଦୀର ଜଳସ୍ତର ବୃଦ୍ଧି ପରେ ବନ୍ୟା ପରିସ୍ଥିତି ଦେଖାଯାଇଥିଲା। ଏହି ପରିପ୍ରେକ୍ଷୀରେ ଓଡ଼ିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ ଫୋର୍ସ (ODRAF) ବନ୍ୟା ପ୍ରଭାବିତ ଉଭୟ ଜିଲାରେ ବ୍ୟାପକ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ନିରନ୍ତର ନିୟୋଜିତ ହୋଇଛି। ଓଡ୍ରାଫ ଟିମ୍ ଲୋକଙ୍କ ଧନ ଜୀବନ ସୁରକ୍ଷିତ କରିବାରେ ପ୍ରମୁଖ ଭୁମିକା ଗ୍ରହଣ କରୁଥିବା ବେଳେ ଜଳମଗ୍ନ ଅଞ୍ଚଳରୁ ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ଲୋକଙ୍କୁ ଥଇଥାନ କରିବାରେ ମୁଖ୍ୟ ଦାୟିତ୍ୱ ତୁଲାଉଛି। ଉଭୟ ଜିଲାର ୧୮ଟି ବ୍ଲକରୁ ଅଦ୍ୟାବଧି ୮୧୯୧ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ଥଇଥାନ କରାଯାଇଥିଲା।
ODRAF ଦଳଗୁଡ଼ିକ ଅଗ୍ନିଶମ ସେବା ସହିତ ଉପଯୁକ୍ତ ସମନ୍ବୟ ରକ୍ଷା କରି ୨୪X୭ ଉପସ୍ଥିତ ରହି ପ୍ରଭାବିତ ଲୋକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରୁଛନ୍ତି। ସତ୍ୟଜିତ ନାଏକ, ଆଇପିଏସ୍, ଡିଆଇଜି (ପୂର୍ବାଞ୍ଚଳ ରେଞ୍ଜ) ବାଲେଶ୍ୱରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଓଡ୍ରାଫ୍ ଟିମ୍ ଗୁରୁତ୍ୱପୂର୍ଣ ଦାୟିତ୍ୱ ତୁଲାଉଛନ୍ତି।
ବାଲେଶ୍ୱର ଜିଲାର ବାଲିଆପାଳ, ଭୋଗରାଇ, ବସ୍ତା, କମର୍ଦ୍ଦା, ସିଙ୍ଗଲା ଆଦି ଅଞ୍ଚଳର ୨ହଜାରରୁ ଅଧିକ ସ୍ଥାନୀୟ ବାସିନ୍ଦାଙ୍କୁ ଜଳ ଘେରରୁ ଉଦ୍ଧାର କରାଯାଇଛି। ସେହିପରି ମୟୂରଭଞ୍ଜ ଜିଲାର ସାରସକଣା, ରସଗୋବିନ୍ଦପୁର, ବଡ଼ସାହି, ବେତନଟୀ ଏବଂ ବାରିପଦା ଅଞ୍ଚଳର ୬ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ଅବସ୍ଥାପିତ କରାଯାଇଥିଲା। ଓଡ୍ରାଫ ଟିମ୍ର କର୍ମଚାରୀମାନେ ରାତି ଦିନ ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଥିଲେ। ତଳିଆ ଅଞ୍ଚଳର ବାସିନ୍ଦାମାନଙ୍କୁ ସତର୍କ କରିବା ଏବଂ ସେମାନଙ୍କୁ ନିର୍ଦ୍ଦିଷ୍ଟ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାରେ ଓଡ୍ରାଫ ଟିମ୍ ସକ୍ରିୟ ଭୂମିକା ଗ୍ରହଣ କରିଥିଲା।
ମୟୂରଭଞ୍ଜରେ ୬ଟି ଓଡ୍ରାଫ୍ ଟିମ୍ ଏବଂ ବାଲେଶ୍ୱରରେ ୫ଟି ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି।