fbpx

୧୪ ବର୍ଷରେ କେବିସିରେ ଜିତିଥିଲେ ୧ କୋଟି ଟଙ୍କା, ପରେ ହେଲେ ଆଇପିଏସ୍ ଅଫିସର୍; ଏବେ ଅପରାଧିଙ୍କୁ ଦେଉଛନ୍ତି ଉଚିତ୍ ଜବାବ୍

ନୂଆଦିଲ୍ଲୀ: ଟେଲିଭିଜନ୍ ର ଲୋକପ୍ରିୟ କୁଇଜ୍ ଶୋ କୌନ୍ ବନେଗା କରୋଡ୍ ପତି(କେବିସି)ରେ ଏପର୍ଯ୍ୟନ୍ତ ଅନେକ ଲୋକ ୧ କୋଟି ଟଙ୍କା ଜିତିଛନ୍ତି । ତେବେ ୨୦୦୧ ମସିହାରେ ଜଣେ ୧୪ ବର୍ଷର ବାଳକ ୧ କୋଟି ଟଙ୍କା ଜିତିଥିଲେ । ତାଙ୍କ ନାମ ଥିଲା ରବି ମୋହନ ସୈନୀ । ପରେ ସେ ୟୁପିଏସ୍ ସିଭିଲ୍ ସର୍ଭିାସ୍ ପରୀକ୍ଷା କ୍ଲିୟର୍ କଲେ ଓ ଗୁଜୁରାଟ ପୋରବନ୍ଦର୍ ରେ ପୋଲିସ୍ ଅଧୀକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ସେ କେବିସି ରେ ସବୁ ପ୍ରଶ୍ନର ସଠିକ୍ ଉତ୍ତର ଦେଇ କରୋଡପତି ହୋଇଥିଲେ । ଏତେ କମ୍ ବୟସରେ ସେ ସବୁ ପ୍ରଶ୍ନର ଉତ୍ତର ଦେଇ ଉଦାହରଣ ସୃଷ୍ଟି କରିଥିଲେ ।

୨୦୦୧ ମସିହାରେ ରବି ମୋହନ ସୈନୀ ଅମିତାଭଙ୍କ ଦ୍ୱାରା ପଚାରାଯାଇଥିବା ସବୁ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଏକ କୋଟି ଟଙ୍କା ନିଜ ନାମରେ କରିଥିଲେ । ତେବେ ରବି ଯେତେବେଳେ କେବିସି ଜୁନିୟର୍ ରେ ଭାଗ ନେଇଥିଲେ ସେତେବେଳେ ସେ ଦଶମ ଶ୍ରେଣୀ ପାଠ ପଢ଼ୁଥିଲେ । ସେ ରାଜସ୍ଥାନର ଅଲୱରର ବାସିନ୍ଦା । ତାଙ୍କ ବାପା ନୌସେନାର ଜଣେ ଅବସରପ୍ରାପ୍ତ ପୋଲିସ୍ ଅଫିସର୍ । ବାପାଙ୍କ ବଦଳି କାରଣରୁ ତାଙ୍କ ସ୍କୁଲ ପାଠ ପଢ଼ା ବିଶାଖାପାଟନାରେ ହୋଇଥିଲା । ଏକାଡେମିକ୍ କ୍ୟାରିୟର ରେ ସେ ଟପ୍ପର୍ ରହିଥିଲେ ।

ଦ୍ୱାଦଶ ଶ୍ରେଣୀ ପରେ ରବି ଜୟପୁରର ମହାତ୍ମା ଗାନ୍ଧୀ ମେଡିକାଲ କଲେଜରୁ ଏମବିବିଏସ୍ କରିଥିଲେ। ଏହା ପରେ, ଇଣ୍ଟର୍ନସିପ୍ ସମୟରେ ସେ ସିଭିଲ୍ ସର୍ଭିସରେ ମନୋନୀତ ହୋଇଥିଲେ । ରବି ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କ ପିତା ନୌସେନାରେ ଥିଲେ ଏବଂ ତାଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ଆଇପିଏସ୍ ବାଛିଥିଲେ। ରବି ୨୦୧୨ରେ ପ୍ରଥମ ଥର ପାଇଁ ୟୁପିଏସି ପରୀକ୍ଷାରେ ସାମିଲ୍ ହୋଇଥିଲେ । ଆଉ ପ୍ରଥମ ପରୀକ୍ଷାରେ ହିଁ ପାସ୍ କରିବାରେ ସଫଳ ହୋଇଥିଲେ । ହେଲେ ମୁଖ୍ୟ ପରୀକ୍ଷାରେ ପାସ୍ ହୋଇପାରିନଥିଲେ । ଏହାପରେ ହାର୍ ନମାନି ୨୦୧୩ରେ ପୁଣି ପରୀକ୍ଷା ଦେଲେ ଓ ଦୁରସଞ୍ଚାର ବିଭାଗ ଆକାଉଣ୍ଟସ୍ ଏବଂ ଫାଇନାନ୍ସ ସେବା ପାଇଁ ମନୋନୀତ ହୋଇଥିଲେ । ୨୦୧୪ ମସିହାରେ, ସେ ତୃତୀୟ ଥର ପାଇଁ ୟୁପିଏସି ପରୀକ୍ଷା ଦେଇଥିଲେ ଏବଂ ଅଲ ଇଣ୍ଡିଆରେ ୪୬୧ ତମ ର୍ୟାଙ୍କ୍ ହାସଲ କରି ଆଇପିଏସ୍ ଅଧିକାରୀ ହୋଇଥିଲେ ।

Get real time updates directly on you device, subscribe now.