fbpx

୨୯ ବର୍ଷୀୟା ମହିଳାଙ୍କ ଗର୍ଭାଶୟରୁ ଡାକ୍ତର ବାହାର କଲେ ୧୦୬ଟି ଟ୍ୟୁମର

ନୂଆଦିଲ୍ଲୀ: ଜଣେ ମହିଳାଙ୍କ ପେଟରୁ ବାହାରିଛି ୧୦୬ଟି ଟ୍ୟୁମର । ଦିଲ୍ଲୀର ଏକ ପ୍ରାଇଭେଟ ହସ୍ପିଟାଲର ଡାକ୍ତରମାନେ ଜଣେ ୨୯ ବର୍ଷୀୟା ମହିଳାଙ୍କ ଗର୍ଭାଶୟରୁ ଅଣକର୍କଟ ଟ୍ୟୁମର ବାହାର କରିଥିବା ଜଣାପଡ଼ିଛି । ମହିଳାଙ୍କୁ ଭୀଷଣ ଯନ୍ତ୍ରଣା, ଭାରି ଋତୁସ୍ରାବ ଅନୁଭବ ହେବା ସହ ସହ ତାଙ୍କର ହିମୋଗ୍ଲୋବିନ ସ୍ତରରେ ପରିବର୍ତ୍ତନ ଦେଖାଦେଇଥିଲା । ତେଣୁ ସେ ଫେବୃଆରୀ ମାସରେ ବିଏଲକେ ମ୍ୟାକ୍ସ ସୁପର ସ୍ପେଶିଆଲିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଡାକ୍ତରମାନେ ମହିଳାଙ୍କର ଅଲଟ୍ରା ସାଉଣ୍ଡ କରିବା ପରେ ତାଙ୍କ ଗର୍ଭାଶୟରେ ବହୁ ପରିମାଣରେ ଅଣକର୍କଟ ଟ୍ୟୁମର ଥିବା ଜାଣିପାରିଥିଲେ । ଗର୍ଭାଶୟ ମଧ୍ୟରେ ରହିଥିବା ଟ୍ୟୁମରଗୁଡ଼ିକ ଅଣକର୍କଟ ଟ୍ୟୁମର ବୋଲି ଡାକ୍ତରଙ୍କ ହୃଦବୋଧ ହୋଇଥିଲା । ଏହି ଟ୍ୟୁମରକୁ ମ୍ୟୋମାସ ମଧ୍ୟ କୁହାଯାଇଥାଏ, ଯାହାକି ଅନେକ ସମୟରେ ବିନା ଲକ୍ଷଣରେ ଶରୀରରେ ରହିଥାଏ ।

ଏତେସଂଖ୍ୟକ ଟ୍ୟୁମର ଯେତିକି ଗୁରୁତ୍ୱ ରଖିନଥିଲା, ମହିଳାଙ୍କ ଗର୍ଭାଶୟକୁ ସୁରକ୍ଷିତ ରଖିବା ଅଧିକ ଚ୍ୟାଲେଞ୍ଜିଙ୍ଗ ଥିଲା ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି । ମହିଳାଙ୍କ ପାକସ୍ଥଳୀ ଜଣେ ଆଠ ମାସର ଗର୍ଭବତୀଙ୍କ ସଦୃଶ ଦୃଶ୍ୟମାନ ହେଉଥିଲା । ଏହି ସର୍ଜରୀ କରିବା ପୂର୍ବରୁ ପ୍ରଥମେ ମହିଳାଙ୍କ ହିମୋଗ୍ଲୋବିନ ସ୍ତରକୁ ୭.୨ରୁ ୧୨କୁ ବୃଦ୍ଧି କରାଯାଇଥିଲା । ଏହି ପ୍ରକ୍ରିୟା ସାଢ଼େ ଚାରିଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା । ସୂଚନାଯୋଗ୍ୟ ଯେ, ୨୦୧୫ ମସିହାରେ ଏହି ମହିଳାଙ୍କ ଭଉଣୀଙ୍କ ଗର୍ଭାଶୟରୁ ମଧ୍ୟ ୪୮ ଟ୍ୟୁମର ବାହାର କରାଯାଇଥିଲା । ଏହି ସର୍ଜରୀ ପରେ ମହିଳା ଜଣକ ନୂଆ ଜୀବନ ପାଇଥିବା ତାଙ୍କର ପିତାମାତା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.