ଓଡିଶା ଭାସ୍କର: ଦୀର୍ଘ ୧୧ ଦିନ ପରେ ଗୁରୁଗ୍ରାମର ବହୁ ଚର୍ଚ୍ଚିତ ମଡେଲ ଦିବ୍ୟା ପହୁଜାଙ୍କ ମିଳିଲା ମୃତଦେହ। ହରିୟାଣାର ଏକ କେନାଳରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି। ମୃତଦେହଟି ଦିବ୍ୟାଙ୍କର ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିଛନ୍ତି। ତେବେ ଦିବ୍ୟାଙ୍କ ମୃତଦେହ ଟୋହନା କେନାଳରୁ ମିଳିଥିବା ଜଣାପଡିଛି। ପୁଲିସ ବର୍ତ୍ତମାନ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ସେପଟେ ପୁଲିସର ୬ଟି ଟିମ୍ ଏହି ମାମଲାର ଅଧିକ ତଦନ୍ତ କରୁଛି। ମାମଲାର ଅଭିଯୁକ୍ତ ବଲରାଜଙ୍କ ନିର୍ଦ୍ଦେଶରେ ଦିବ୍ୟାଙ୍କ ମୃତଦେହକୁ ଉଦ୍ଧାର କରିଛି ପୁଲିସ।
ସୂଚନା ଥାଉକି, ୨୭ ବର୍ଷୀୟ ଯୁବତୀ ଦିବ୍ୟା ପହୁଜାଙ୍କର ଜାନୁୟାରୀ ୨ ତାରିଖ ଦିନ ମୃତ୍ୟୁ ହୋଇଥିଲା। ଏହି ହତ୍ୟାକାଣ୍ଡ ମାମଲାକୁ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଥିଲା। ତେବେ ଅଭିଯୁକ୍ତ ବଲରାଜଙ୍କୁ ପୁଲିସ ଗିରଫ କରିବା ପରେ ଦିବ୍ୟାଙ୍କ ମୃତଦେହକୁ କେନାଲରେ ଫିଙ୍ଗା ଯାଇଥିବା ନେଇ ସୂଚନା ମିଳିଥିଲା। ମୁଖ୍ୟ ଅଭିଯୁକ୍ତ ଅଭିଜିତଙ୍କ ଘନିଷ୍ଠ ବଲରାଜ ଗିଲ୍ଙ୍କୁ ପୁଲିସ ଗୁରୁବାର ଦିନ ପଶ୍ଚିମବଙ୍ଗ ବିମାନବନ୍ଦରରୁ ଗିରଫ କରିଥିଲା। ବଲରାଜ ଗିଲ ହେଉଛନ୍ତି ସେହି ବ୍ୟକ୍ତି ଯିଏକି ରବି ବଙ୍ଗଳାଙ୍କ ସହ ଦିବ୍ୟାଙ୍କ ମୃତଦେହକୁ ବିଏମଡବ୍ଲୁ କାରରେ ଡିକିରେ ରଖି ନେଇ ଯାଇଥିଲେ ଓ ପରେ ଫେରାର ହୋଇ ଯାଇଥିଲେ। ଜାନୁଆରୀ ୨ ତାରିଖରେ ଗୁରୁଗ୍ରାମ ସିଟି ପଏଣ୍ଟ ହୋଟେଲରେ ଦିବ୍ୟାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହୋଟେଲରେ ମାଲିକ ଅଭିଜିତ ଓ ତାଙ୍କର ଦୁଇ ସହଯୋଗୀ ମିଳିତ ଭାବେ ଦିବ୍ୟାଙ୍କୁ ହତ୍ୟା କରିଛନ୍ତି। ଏହାପରେ ତାଙ୍କ ମୃତଦେହକୁ ହୋଟେଲରୁ ନେଇ ଅନ୍ୟତ୍ର ନେଇ ଫିଙ୍ଗି ଦେଇଥିବା କୁହାଯାଉଥିଲା। ଘଟଣା ଦିନ ଅଭିଜିତ ଓ ତାଙ୍କର ସହଯୋଗୀମାନେ ଦିବ୍ୟାଙ୍କ ମୃତଦେହ ବିଏମଡବ୍ଲୁ କାରର ଡିକରେ ରଖି ଚାଲିଯାଉଥିବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା।
ପୁଲିସ ସୂଚନା ଅନୁଯାୟୀ, ଦିବ୍ୟାଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ପଞ୍ଜାବର ଏକ କେନାଲକୁ ଅଭିଯୁକ୍ତମାନେ ଫିଙ୍ଗି ଦେଇଥିଲେ। ପରେ ମୃତଦେହଟି ଭାସି ଭାସି ହରିୟାଣା କେନାଲକୁ ଆସିଥିଲା। ମୃତଦେହ ଖୋଜିବା ପାଇଁ ପଞ୍ଜାବରୁ ହରିୟାଣା ପର୍ୟ୍ୟନ୍ତ ପୁଲିସ ଖୋଜାଖୋଜି କରିଥିଲା, ହେଲେ ୧୧ ଦିନ ପରେ ଅର୍ଥାତ ଆଜି ଟୋହନା କେନାଲରୁ ମୃତଦେହକୁ ଉଦ୍ଧାର କରାଯାଇଛି।