fbpx

ବୟସ ୧୧୦ ତଥାପି ସୁସ୍ଥ ଓ ଫିଟ୍: କାଞ୍ଜି, ଶାଗ, ବାଡ଼ି ପନିପରିବାର ଶକ୍ତି ଦେଖିଲା ସମାଜ, ଯୁବପୀଢ଼ି ଶିଖନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ସୁସ୍ଥ ରହିବାକୁ ଚାହୁଁଛନ୍ତି । ମାତ୍ର ଖାଦ୍ୟପେୟ ଓ ଲାଇଫଷ୍ଟାଇଲରେ ପରିବର୍ତ୍ତନ କାରଣରୁ ଆଜି ମଣିଷ ହଜାର ହଜାର ଟଙ୍କା ଔଷଧରେ ଖର୍ଚ୍ଚ କରୁଛି । ତଥାପି ମଣିଷ ଦିନକୁ ଦିନ ନୂଆ ନୂଆ ରୋଗରେ ସଂକ୍ରମିତ ହେବା ସହ ଅକାଳରେ ମୃତ୍ୟୁବରଣ କରୁଛି । ଏସବୁ ପରେ ବି ଆଜିର ସମୟରେ ଅନେକ ଲୋକ ସୁସ୍ଥ ଓ ଫିଟ୍ ରହୁଛନ୍ତି ।

ସୂଚନା ମୁତାବକ, ଜଣେ ବୃଦ୍ଧ ବ୍ୟକ୍ତିଙ୍କ ବୟସ ୧୦୦ ବର୍ଷ ଟପି ସାରିଥିଲେ ହେଁ ସେ ଆଜି ବି ଯୁବକଙ୍କ ପରି ଫିଟ୍ ଓ ନିରୋଗ ରହିଛନ୍ତି । ଗୋଟିଏ ପଟେ ଆଜିର ଯୁବପୀଢ଼ି ବିଭିନ୍ନ ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଏ କ୍ଷେତ୍ରରେ ଜଣେ ଶତାୟୁ ବୃଦ୍ଧ ସାଜିଛନ୍ତି ବ୍ୟତିକ୍ରମ । ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକର ପ୍ରତାପୁର ଗ୍ରାମର ଜଣେ ବ୍ୟକ୍ତିଙ୍କୁ ୧୧୦ ବର୍ଷ ବୟସ ହୋଇଥିବା ବେଳ ଏବେ ବି ସେ ସୁସ୍ଥ ଓ ନିରୋଗ ରହିଛନ୍ତି ।

ତେବେ ଏହି ବୃଦ୍ଧଙ୍କୁ ଆଜି ପର୍ଯ୍ୟନ୍ତ କୌଣସି ରୋଗ ଛୁଇଁ ନାହିଁ । ତାଙ୍କର ସନ୍ତାନଙ୍କର ବୟସ ୬୦-୭୦ ପାର କରିସାରିଲାଣି । ବାର୍ଦ୍ଧକ୍ୟ ଅବସ୍ଥାରେ ବି ସେ ନିଜର ସ୍ୱାସ୍ଥ୍ୟକୁ ନେଇ ବେଶ୍ ସେଚତନ ରହିଛନ୍ତି । ସେ ନିଜର ଦୈନନ୍ଦିନ ଜୀବନର ଆବଶ୍ୟକତା ପୂରଣ ପାଇଁ ଅନ୍ୟ ଉପରେ ନିର୍ଭର ନକରି ନିଜ କାର୍ଯ୍ୟ ନିଜେ କରିପାରୁଛନ୍ତି । ଆଜିକାଲି ୪୦ ନ ପୂରୁଣୁ ସମସ୍ତଙ୍କୁ ମଧୁମେହ, ଗ୍ୟାସ, ଥାଇରଏଡ୍, ରକ୍ତଚାପ ମାଡ଼ି ବସୁଥିବା ବେଳେ ବୃଦ୍ଧଙ୍କୁ ଏହି ରୋଗ ଜମା ଛୁଇଁ ପାରିନାହିଁ ।

ତେବେ ସୁସ୍ଥ ଜୀବନ ଯାପନ କରିବା ପାଇଁ ସେ ଜାଉ, ବାଡ଼ି ପନିପରିବା, କାଞ୍ଜି, ଶାଗ ଖାଇଥାନ୍ତି ବୋଲି ବୃଦ୍ଧ କହିଛନ୍ତି । ସେତେବେଳେ ସେ ସୁସ୍ୱାଦୁ ଜିନିଷ ଖାଇବାକୁ ପାଉନଥିଲେ । ମିଠା ଭାବେ ଗୁଡ଼ ସେବନ କରିବା ସହ ଖାଲି ପାଦରେ ବହୁଦୂର ପର୍ଯ୍ୟାନ୍ତ ଚାଲୁଥିଲେ । ନିଜର ଚଳିଚଳନ ପରିବର୍ତ୍ତନ କଲେ ଜଣେ ସୁସ୍ଥ ଓ ନିରୋଗ ରହିପାରିବ ବୋଲି ବୃଦ୍ଧ କହିଛନ୍ତି । ତେବେ ଆଜିକାଲିର ପିଲାମାନେ ଚିକେନ, ମଟନ ସାଙ୍ଗକୁ ମଦ, ଗଞ୍ଜେଇ ପରି ଏକାଧିକ ମାଦକ ଦ୍ରବ୍ୟକୁ ଆଜି ନିଜର କରି ନେଇଛନ୍ତି । ଭଲ ଖାଦ୍ୟ ଖାଇ ଫିଟ ରହିଥିଲେ ହେଁ ମାତ୍ର ୫୦ ବର୍ଷ ବୟସରେ ବହୁ ସେଲିବ୍ରେଟିଙ୍କ ମୃତ୍ୟୁ ଘଟୁଥିବା ଦେଖାଯାଉଛି । ତେଣୁ ପାରମ୍ପରିକ ଜୀବନଶୈଳୀ ଓ ଖାଦ୍ୟର ଅସଲ ସାମର୍ଥ୍ୟ କେତେ, ତାହା ଏହି ବୃଦ୍ଧ ଜଣଙ୍କ ସମାଜକୁ ଶିଖାଇ ଦେଇଛନ୍ତି । ତେଣୁ ଗୋଟିଏ ଛୋଟ ଅନୁରୋଧ, ହେ ମୋର ଭାଇ ଭଉଣୀମାନେ, ତୁମେମାନେ ଯେତେ ଆଗକୁ ଯାଉଛ ଯାଅ, ମାତ୍ର ଆମର ମାଟିର ଖାଦ୍ୟ, ଚାଳିଚଳଣକୁ ଜମା ଭୁଲ ନାହିଁ ।

Get real time updates directly on you device, subscribe now.