fbpx

ରାଜ୍ୟର ୧୪୭ଟି ଡାକ୍ତରଖାନାର ହେବ ରୂପାନ୍ତରଣ, ‘ଆମ ହସ୍‍ପିଟାଲ’ ଯୋଜନାରେ ଖର୍ଚ୍ଚ ହେବ ୭୫୦ କୋଟି ଟଙ୍କା

Advertisement

ଭୁବନେଶ୍ୱର: ‘ଆମ ହସ୍ପିଟାଲ’ ଯୋଜନା ଅଧୀନରେ ରାଜ୍ୟର ୧୪୭ଟି ହସ୍ପିଟାଲକୁ ରୂପାନ୍ତରଣ କରାଯିବ। ଏଥିପାଇଁ ରାଜ୍ୟ ସରକାର ୭୫୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ରାଜ୍ୟର ୭ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇଛି। ଆଗକୁ କଳାହାଣ୍ଡି , ତାଳଚେର, ଯାଜପୁର ଓ କନ୍ଧମାଳ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ।

ସେହିପରି ଅନୁଗୁଳ, ବଡ଼ବିଲ, ଝାରସୁଗୁଡା ଏବଂ ଭଦ୍ରକରେ ମେଡିକାଲ କଲେଜ ବଦଳରେ ପିପିପି ମୋଡ଼ରେ ସ୍ପେଶାଲିଷ୍ଟ ହସ୍ପିଟାଲ ଖୋଲିବାକୁ ନିଷ୍ପତି ହୋଇଛି। ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ କାର୍ଯ୍ୟ ୨୦୨୩ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଝାରସୁଗୁଡାଠାରେ ସ୍ୱତନ୍ତ୍ର କ୍ୟାନ୍ସର ଓ ହୃଦ ରୋଗ ହସ୍ପିଟାଲ ପିପିପି ମୋଡ଼ ରେ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି । ସେହିପରି ରାଜ୍ୟରେ ଖାଲି ପଡିଥିବା ୩ ହଜାର ଡାକ୍ତରୀ ପଦବୀ ପୂରଣ ପାଇଁ ଓପିଏସ୍‍ସି ଅଧୀନରେ ଚୟନ କରାଯାଇଛି। ସେପ୍ଟେମ୍ବର ମାସ ସୁଦ୍ଧା ନିଯୁକ୍ତିପତ୍ର ଦିଆଯିବ।

ଏହାପରେ ଆଉ ୫ ହଜାର ପଦବୀରେ ନିଯୁକ୍ତି ଦିଆଯିବାକୁ ଯୋଜନା କରାଯାଇଥିବା ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ସେହିପରି ବିଏସକେୱାଇକୁ ସମ୍ପ୍ରସାରଣ କରାଯାଇ ରାଜ୍ୟ ବାହାରର ୫ ଶହ ହସ୍ପିଟାଲକୁ ଏହି ଯୋଜନାରେ ସାମିଲ କରାଯାଇଛି। ଏହି ଯୋଜନାରେ ଏ ପର୍ଯ୍ୟନ୍ତ ରାଜ୍ୟର ୯୬ ଦଶମିକ ୫ ଲକ୍ଷ ପରିବାରରୁ ୯୭ ପ୍ରତିଶତ ଲୋକ ଉପକୃତ ହେଉଛନ୍ତି।

Get real time updates directly on you device, subscribe now.