fbpx

ରାଜ୍ୟରେ ଅସହ୍ୟ କଲାଣି ତାତି, ୧୪ରୁ ୧୯ ପର୍ଯ୍ୟନ୍ତ ଅଗ୍ନିବର୍ଷିବ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଏବେଠୁ ଗରମ ପ୍ରଭାବ ବେଶ୍‌ ଅନୁଭୂତ ହେଲାଣି । ଲୋକେ ଅସ୍ତବ୍ୟସ୍ତ ହେଲେଣି । ତେବେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ସପ୍ତାହରେ ଏହା ଲୋକଙ୍କୁ ଅଧିକ ଛଟପଟ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ଆକାଶରୁ ନିଆଁ ବର୍ଷିବା ଭଳି ଖରା ହେବାର ସମ୍ଭାବନା ରହିଛି । ଏପରିକି ପାରଦ ୪୦ରୁ ୪୧ ଡିଗ୍ରୀ ଛୁଇଁବାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯଦି ଏମିତି ପାଗ ରହେ ତେବେ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେବେ ।

ପୂର୍ବାନୁମାନ କହୁଛି ୧୪ ତାରିଖ ବେଳକୁ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଯିବ । ଏପରିକି ୧୫ରେ ଆଉ ଏକ ଡିଗ୍ରୀ ବୃଦ୍ଧି ପାଇଁ ଏହା ୪୧ ଡିଗ୍ରୀରେ ପହଞ୍ଚିବ । ଏପରି ତାପମାତ୍ରା ୧୮ ଯାଏ ଜାରି ରହିବ । ୧୯ରେ ଏହା ପୁଣି ସାମାନ୍ୟ ହ୍ରାସ ପାଇ ୪୦ ଡିଗ୍ରୀ ଭିତରେ ରହିବ । ପର ସପ୍ତାହରେ ଏହା କମି ୩୭ ଡିଗ୍ରୀ ଛୁଇଁବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି । ୧୦ ଓ ୧୧ ତାରିଖ ବେଳକୁ ଭୁବନେଶ୍ୱର ପାରଦ ୩୮ରୁ ୩୯ ଡିଗ୍ରୀ ଭିତରେ ରହିବ ବୋଲି ଆକଳନ କରାଯାଉଛି ।

Get real time updates directly on you device, subscribe now.