fbpx
BSKY
BJD SHG SKY
BJD YOUTH SKY

ମାତ୍ର ୧୫ ବର୍ଷ ବୟସରେ ଗ୍ରାଜୁଏସନ: ପିତୃହରା ମେଧାବୀ ବାଳିକାର ସ୍ୱପ୍ନ CJI, ପ୍ରୋତ୍ସାହନ ଦେଲେ ମୋଦୀ

ନୂଆଦିଲ୍ଲୀ: ଆପଣଙ୍କୁ ଯେତେବେଳେ ୧୫ ବର୍ଷ ବୟସ ହୋଇଥିଲା, ସେତେବେଳେ ଆପଣ କ’ଣ କରୁଥିଲେ । ସାଧାରଣ ଭାବେ ଏଭଳି ପ୍ରଶ୍ନର ଉତ୍ତରରେ ଅଧିକାଂଶ ଲୋକ ଦଶମରେ ପଢ଼ୁଥିଲେ ବୋଲି କହିବେ । ତେବେ ଏହି ବୟସରେ ଜଣେ ଛାତ୍ରୀ ଗ୍ରାଜୁଏସନ ଫାଇନାଲ ବର୍ଷର ପରୀକ୍ଷା ଦେବାକୁ ଯାଉଛି । କୋଭିଡରେ ନିଜ ପିତାଙ୍କୁ ହରାଇଥିବା ଏହି ଯୁବତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ସହ ଭବିଷ୍ୟତରେ ଦେଶର ମୁଖ୍ୟ ବିଚାରପତି ହେବାକୁ ସ୍ୱପ୍ନ ଦେଖିଥିବା କହିଛନ୍ତି ।

ସୂଚନା ମୁତାବକ, ମଧ୍ୟପ୍ରଦେଶର ଇନ୍ଦୋରରେ ରହୁଥିବା ତନିଷ୍କା ସୁଜୀତ ନାମକ ଜଣେ ୧୫ ବର୍ଷୀୟା ଯୁବତୀ ବି.ଏ ଅନ୍ତିମ ବର୍ଷର ପରୀକ୍ଷା ଦେବାକୁ ଯାଉଛନ୍ତି । ଗତ ୨୦୨୦ରେ ତନିଷ୍କାଙ୍କ ବାପା ଓ ଦାଦା କୋଭିଡରେ ପ୍ରାଣ ହରାଇଥିଲେ । ଏହାପରେ ସେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିପଡ଼ିଥିଲେ । ତେବେ ଆଇନ ପାଠ ପଢ଼ି ଆଗକୁ ଦେଶର ପ୍ରଧାନ ବିଚାରପତି ହେବାକୁ ଦୃଢ଼ ସଂକଳ୍ପ ନେଇଛି ଦେଶର ଝିଅ ତନିଷ୍କା । ନିକଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସହ ସାକ୍ଷାତ ଅବସରରେ ନିଜର ସ୍ୱପ୍ନ ପୂରଣ ପାଇଁ ମୋଦୀ ତାଙ୍କୁୁ ପ୍ରୋତ୍ସାହିତ କରିଥିବା ତନିଷ୍କା କହିଛନ୍ତି ।

ତନିଷ୍କା ୧୦ମ ଶ୍ରେଣୀରେ ଫାଷ୍ଟ ଡିଭିଜନ ରଖି ପାସ କରିବା ପରେ ୧୩ ବର୍ଷ ବୟସରେ ଯୁକ୍ତଦୁଇ ପାସ କରିଥିଲେ । ତାଙ୍କୁ ମାତ୍ର ୧୩ ବର୍ଷ ବୟସରେ ଇନ୍ଦୋର ସ୍ଥିତ ଦେବି ଅହିଲ୍ୟା ୟୁନିଭରସିଟିରେ ସୋସାଲ ସାଇନ୍ସ ଷ୍ଟଡିଜ୍ ବିଭାଗରେ ବିଏ ସାଇକୋଲୋଜିରେ ପ୍ରଥମ ବର୍ଷରେ ଆଡମିଶନ ଦିଆଯାଇଥିଲା । ଆଡମିଶନ ପୂର୍ବରୁ ଏଣ୍ଟ୍ରାନ୍ସ ଦେବାକୁ ପଡ଼ୁଥିଲା । ସେଥିରେ ତନିଷ୍କା ବହୁତ ଭଲ ପ୍ରଦର୍ଶନ କରିଥିଲେ । ପିଏମ୍ ମୋଦୀ ଗତ ୧ ତାରିଖରେ ଭୋପାଲ ଗସ୍ତରେ ଯାଇଥିବା ବେଳେ ସେ ତନିଷ୍କା ସହିତ ୧୫ ମିନିଟ୍ ଧରି ଆଲୋଚନା କରିଥିଲେ । ତେବେ ବିଏସ ପାସ କରି ଆମେରିକାରେ ଆଇନ ପଢ଼ିବାକୁ ତାଙ୍କର ସ୍ୱପ୍ନ ଥିବା ତନିଷ୍କା କହିଥିଲେ । ଜୀବନର ଲକ୍ଷ୍ୟ ବିଷୟରେ ଜାଣିବା ପରେ ପ୍ରଧାନମନ୍ତ୍ରୀ ତାଙ୍କୁ ସୁପ୍ରିମକୋର୍ଟ ଯିବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିବା ତନିଷ୍କା କହିଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ କରିବା ସ୍ୱପ୍ନ ପୂରଣ ହେବା ସହିତ ସମାନ ବୋଲି ତନିଷ୍କା କହିଛନ୍ତି ।

Get real time updates directly on you device, subscribe now.