ଅତର ବ୍ୟବସାୟୀଙ୍କ ଘରେ ରେଡ୍: ମିଳିଲା ୧୫୦ କୋଟି, ୨୪ ଘଣ୍ଟା ଧରି ଚାଲିଥିଲା ଚଢ଼ାଉ; ଟଙ୍କା ଗଣିବା ପାଇଁ ଲାଗିଥିଲା ୪ଟି ମେସିନ୍

ନୂଆଦିଲ୍ଲୀ: କାନପୁରରେ ଅତର ବ୍ୟବସାୟୀ ପୀୟୁଷ ଜୈନଙ୍କ ଘରେ ଆୟକର ବିଭାଗ ଚଢ଼ାଉ ଜାରି ରଖିଛି । ଏହି ଚଢ଼ାଉରେ ଆୟକର ବିଭାଗ ପୀୟୁଷଙ୍କ ଘରୁ ନୋଟ୍ ରେ ଭର୍ତ୍ତି ହୋଇଥିବା ଆଲମାରୀ ମିଳିଛି । ଯାହାକୁ ଗଣିବା ପାଇଁ ଆୟକର ବିଭାଗର ଟିମକୁ ଟଙ୍କା ଗଣିବା ମେସିନ୍ ଆଣିବାକୁ ପଡ଼ିଛି । ଟଙ୍କାର ପରିମାଣ ଏତେ ଯେ, ଟିମ୍ ୨୪ ଘଣ୍ଟା ପରେ ବି ନୋଟ୍ ଗଣତି ଜାରି ରଖିଛି । ଗୁରୁବାର ଦିନ ଆୟକର ବିଭାଗ ଚଢ଼ାଉ ଆରମ୍ଭ କରିଥିଲା । ତାଙ୍କ ଘରୁ ୧୫୦ କୋଟି ଟଙ୍କା ମିଳିଥିବା ଜଣାପଡ଼ିଛି ।

ସୂଚନା ଯୋଗ୍ୟ, ପୀୟୁଷ ଜୈନଙ୍କ ଘର, ଫ୍ୟାକ୍ଟ୍ରି, ଅଫିସ୍, କୋଲ୍ଡ ଷ୍ଟୋରେଜ୍ ଓ ପେଟ୍ରୋଲ ପମ୍ପ ଉପରେ ରେଡ୍ କରିଥିଲା ଜିଏସଟି ଇଣ୍ଟେଲିଜେନ୍ସ ମହାନିର୍ଦ୍ଦେଶାଳୟ । ଏହି ରେଡ୍ କାନପୁର, ମୁମ୍ବାଇ, କନୌଜ୍, ଗୁଜୁରାଟରେ ଥିବା ବିଭିନ୍ନ ପ୍ରତିଷ୍ଟାନ ମାନଙ୍କରେ କରାଯାଇଥିଲା । ପୀୟୁଷ ଜୈନ ଏକ ମାସ ତଳେ ସମାଜବାଦୀ ନାମକ ଏକ ଅତର ମଧ୍ୟ ଲଞ୍ଚ କରିଥିଲେ । ତେବେ ଚଢ଼ାଉ ଅଧିକାରୀ ମାନେ ଫ୍ୟାକ୍ଟ୍ରି , ବ୍ୟବସାୟିକ ପ୍ରତିଷ୍ଠାନ ସବୁର ଦସ୍ତାବିଜ ଜବତ କରିଛନ୍ତି । ରେଡ୍ ସମୟରେ ଆୟକରର ଅଧିକାରୀ ମାନେ ୪ଟି ଟଙ୍କା ଗଣିବା ମେସିନ୍ ଆଣିଥିବା ସୂଚନାରୁ ଜଣାପଡ଼ିଛି ।

ଆହୁରି ସୂଚନା ରହିଛି ଯେ, ପୀୟୁଷ ଜୈନଙ୍କର ପ୍ରାୟ ୪୦ଟି କମ୍ପାନୀ ରହିଛିା ଯେଉଁଥିରେ ଦୁଇଟି କମ୍ପାନୀ ସାଉଦୀ ଆରବ ରେ ରହିଛି । ଏକ ମାସ ତଳେ ସମାଜବାଦୀ ନାମକ ଏକ ଅତର ମଧ୍ୟ ଲଞ୍ଚ କରିଥିଲେ । ଏହି ଲଞ୍ଚିଂ ସମୟରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଯୋଗ ଦେଇ ଥିଲେ । ଏହି ସମୟରେ ସେ କହିଥିଲେ ଯେ ୨୦୨୨ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଅତର ୨୨ ଟି ଫୁଲରୁ ପ୍ରସ୍ତୁତ କରାଯାଇଛି।