୧୮୧ ବାବୁଙ୍କ ପାଇଁ ୨୦୨୪ ହୋଇଛି କାଳ, ଜାଲରେ ଛନ୍ଦି ହେବା ସହ ହରାଇଛନ୍ତି ଗଳାବାଟ ରୋଜଗାର

ମୋଟ ୧୮୧ ଦୁର୍ନୀତିଖୋର ବାବୁଙ୍କୁ ଗିରଫ କରିଛି ବିଭାଗ । ଏଥିରେ କ୍ଲାସ ଓ୍ବାନ ଅଧିକାରୀ ୫୦ ଜଣ ରହିଛନ୍ତି ।

ଭୁବନେଶ୍ୱର– ବର୍ଷ ୨୦୨୪ର ଆଜି ଶେଷ ଦିନ । ଆଜି ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା ଜାରି କରିଛି ୨୦୨୪ର ଉପଲବ୍ଧୀ । ଏହି ବର୍ଷରେ ୧୮୧ ଦୁର୍ନୀତିଖୋର ବାବୁଙ୍କୁ କାବୁ କରିଛି ବିଭାଗ । ସେମାନଙ୍କ ସମ୍ପତ୍ତି ଜବତ ସହ ଚଳାଇଛି ମାମଲା । ହୋଇଥିବା ମାମଲାର ୫୦ ପ୍ରତିଶତ ଦଣ୍ଡବିଧାନ ହୋଇଥିବା ବିଭାଗ ତରଫରୁ ସୂଚନା ଦିଆଯାଇଛି ।

ଭିଜିଲାନ୍ସ ବିଭାଗ ସୂଚନା ମୁତାବକ, ୨୦୨୪ରେ ମୋଟ ୧୮୧ ଦୁର୍ନୀତିଖୋର ବାବୁଙ୍କୁ ଗିରଫ କରିଛି ବିଭାଗ । ଏଥିରେ କ୍ଲାସ ଓ୍ବାନ ଅଧିକାରୀ ୫୦ ଜଣ ରହିଛନ୍ତି । ଏଥିସହ ମୁଖ୍ୟଯନ୍ତ୍ରୀ, ଯନ୍ତ୍ରୀ, ରାଜସ୍ୱ ଅଧିକାରୀ, ଡାକ୍ତର, ତହସିଲଦାର, ପୋଲିସ, ବନ ଅଧିକାରୀ ମଧ୍ୟ ରହିଛନ୍ତି ।

କେଉଁ ବିଭାଗରୁ କେତେ: ରିପୋର୍ଟ ମୁତାବକ, ୨୦୨୪ରେ ବିଭାଗ ୧୮୧ ଅଧିକାରୀଙ୍କୁ କାବୁ କରିଛି । ଏଥିସହ ୨୦୦ ଫୌଜଦାରୀ ମାମଲା ରୁଜୁ ହୋଇଛି । ଅଧିକାରୀଙ୍କ ମଧ୍ୟରେ ୫୦ ପ୍ରଥମ ଶ୍ରେଣୀର ଅଧିକାରୀ ହୋଇଥିବା ବେଳେ ୬ ମୁଖ୍ୟଯନ୍ତ୍ରୀ, ୧୯ ଯନ୍ତ୍ରୀ, ୨୨ ରାଜସ୍ୱ ଅଧିକାରୀ, ୯ ପୋଲିସ, ୫ ଡାକ୍ତର, ୩ ବନ ବିଭାଗ ଅଧିକାରୀ ରହିଛନ୍ତି ।

କେତେ ସମ୍ପତ୍ତି ଠାବ: ୬୦ ଆୟ ବହିର୍ଭୂତ ସମ୍ପତ୍ତି ମାମଲା ମିଳିଛି । ସେମାନଙ୍କ ମଧ୍ୟରୁ ୩୮ ଜଣଙ୍କ ପତ୍ନୀଙ୍କୁ ମାମଲାରେ ମଧ୍ୟ ସଂଶ୍ଳିଷ୍ଟ ଥିବା ବିଭାଗ ତଦନ୍ତରୁ ଜାଣିବାକୁ ପାଇ ସେମାନଙ୍କୁ ସହଅଭିଯୁକ୍ତ କରିଛି । ସେମାନଙ୍କ ନିକଟରୁ ୧୩୧ କୋଟି ସମ୍ପତ୍ତି ଠାବ ହୋଇଛି ।

ହୋଇଥିବା ମାମଲାରେ ୧୦୫ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦଣ୍ଡବିଧାନ ହାର ୫୦ ପ୍ରତିଶତ ଥିବା ବିଭାଗ ତରଫରୁ ରିପୋର୍ଟରେ ଦର୍ଶା ଯାଇଛି । ୨୫ ଅଧିକାରୀ ଚାକିରି ହରାଇଛନ୍ତି ।