ବାଲୁଗାଁ ଷ୍ଟେସନରୁ ଶିଶୁକନ୍ୟା ଚୋରି ଘଟଣା, ମାଆ କୋଳକୁ ଫେରିଲା ଝିଅ
ବାଲୁଗାଁ ଶିଶୁକନ୍ୟା ଅପହୃତ ଘଟଣାରେ ଛୁଆକୁ ଛାଡି ଫେରାର ହେଲା ଚୋର ।
ଭୁବନେଶ୍ବର: ବାଲୁଗାଁ ଷ୍ଟେସନରୁ ଶିଶୁକନ୍ୟାକୁ କେହି ଜଣେ ନେଇଯାଇଥିବା ଘଟଣାରେ ଆଜି ମାଆ କୋଳକୁ ଫେରି ଆସିଛି ଝିଅ । ଖଲ୍ଲିକୋଟ ଥାନାକୁ ଆସି ଉଦ୍ଧାର ଶିଶୁକନ୍ୟାକୁ ମାଆ ନେଇଯାଇଛନ୍ତି ।
ଖବର ଅନୁସାରେ, ଗତକାଲି ରାତି ସାଢେ ୮ଟାରେ ବାଲୁଗାଁ ଷ୍ଟେସନ ନିକଟରୁ ଏକ 2 ବର୍ଷର ଶିଶୁ କନ୍ୟାଙ୍କୁ କେହି ଚୋରି କରି ନେଇଯାଇଥିଲେ । ଏହାପରେ ଅସହାୟ ମାଆ ଜଣକ ଝିଅକୁ ଚାରିଆଡେ ଖୋଜିଥିଲେ ହେଁ ପାଇନଥିଲେ । ଏହି ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।
ତେବେ ଚୋରି ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି । ଯୁବକ ଜଣଙ୍କ ଏହି ୨ ବର୍ଷର ଶିଶୁକନ୍ୟାକୁ କାନ୍ଧରେ ପକାଇ ନେଇଯାଉଥିବା ଦେଖାଯାଇଥିଲା । ଯୁବକ ଜଣଙ୍କ ଶିଶୁକନ୍ୟାକୁ ଚୋରି କରିବା ପରେ ଗୁରାପଲ୍ଲୀ ଟୋଲଗେଟ୍ ନିକଟରେ ଛାଡି ପଳାଇଯାଇଥିଲା ।
ଶିଶୁ କନ୍ୟାଟି ଟୋଲ୍ଗେଟଠାରେ ଏକୁଟିଆ ବୁଲୁ ଥିବା ଦେଖି ଜଣେ ବ୍ୟକ୍ତି ତାଙ୍କୁ ଆଣି ପାଖରେ ରଖି ଏନେଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଖଲ୍ଲିକୋଟ ଥାନା ପୋଲିସ ସକାଳ ୮ରେ ଟୋଲ୍ଗେଟଠାରେ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରି ଥାନାକୁ ଆଣିଥିଲେ ।
ଗଣମାଧ୍ୟମରେ ଏହି ଖବର ପ୍ରସାରଣ ହୋଇଥିଲା । ସିସିଟିଭିରେ ଦୃଶ୍ୟ ସହ ମିଡିଆରେ ଖବର ଦେଖି ଥାନାକୁ ଆସିଥିଲେ ମହିଳା । ଏହାପରେ ସେ ନିଜ ଶିଶୁକନ୍ୟାକୁ ନେଇ ଖୁସିରେ ଘରକୁ ଫେରିଛନ୍ତି ।