(VIDEO) ରିଲ୍ସ କରୁ କରୁ ଝରଣାରେ ଭାସିଗଲେ ୨୨ ବର୍ଷର ଓଡ଼ିଆ YouTuber, ମିଳୁନି ପତ୍ତା, ଭିଡ଼ିଓ ଭାଇରାଲ୍
ଜଳପ୍ରପାତରେ ଭିଡ଼ିଓ କରିବା YouTuberଙ୍କୁ ପଡ଼ିଲା ମହଙ୍ଗା।
ଗଞ୍ଜାମ: ରିଲ୍ କରିବା ସଉକ୍ ୨୨ ବର୍ଷୀୟ ୟୁଟ୍ୟୁବରଙ୍କୁ ପଡ଼ିଲା ମହଙ୍ଗା। ଝରଣାରେ ଭିଡ଼ିଓ ସୁଟିଂ କରୁଥିବା ସମୟରେ ହଠାତ୍ ମାଡ଼ି ଆସିଲା ପାଣି। ଆଉ ଯୁବକଙ୍କୁ ଗୋଟେ ଝଟକାରେ ଭସାଇ ନେଇଗଲା।
ଉପରେ ଛିଡ଼ା ହୋଇ ସବୁ ଦେଖୁଥିଲେ ସାଥୀରେ ଯାଇଥିବା ସାଙ୍ଗମାନେ। ହେଲେ ଯୁବକଙ୍କୁ ଉଦ୍ଧାର କରିପାରିଲେ ନାହିଁ। କେବଳ ବଡ଼ ପାଟି କରି ଚିଲାଇ ଚିଲାଇ ରହିଗଲେ। ଆଉ ଝରଣାର ପ୍ରଖର ସ୍ରୋତ ଯୁବକଙ୍କୁ ଭସାଇ ନେଲା।
ରିଲ୍ ନିଶା ପଡ଼ିଲା ଭାରି: ଏହି ହୃଦୟ ବିଦାରକ ଘଟଣାଟି କୌଣସି ବାହାର ରାଜ୍ୟରେ ଘଟିନାହିଁ। ବରଂ ଆମ ଓଡ଼ିଶାର କୋରାପୁଟ ଜିଲ୍ଲାର ଡୁଡୁମା ଜଳପ୍ରପାତରେ ଜଣେ ଓଡ଼ିଆ ୟୁଟ୍ୟୁବରଙ୍କ ସାଙ୍ଗରେ ଘଟିଛି।
ଆଉ କ୍ୟାମେରାରେ ରେକର୍ଡ ହୋଇଥିବା ଏହି ଭିଡ଼ିଓଟି ଏବେ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ୍ ହେଉଛି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରର ବାସିନ୍ଦା YouTuber ସାଗର ଟୁଡୁ ତାଙ୍କ ଚ୍ୟାନେଲ ପାଇଁ ଡୁଡୁମା ଜଳପ୍ରପାତରେ ଏକ ଭିଡିଓ ସୁଟିଂ କରିବାକୁ ତାଙ୍କ ବନ୍ଧୁଙ୍କ ସହିତ ଯାଇଥିଲେ।
ଦୁହେଁ ଡ୍ରୋନ୍ କ୍ୟାମେରାରେ ସୁନ୍ଦର ଦୃଶ୍ୟ କଏଦ କରୁଥିଲେ। ଏହି ସମୟରେ ସାଗର ଏକ ବଡ଼ ପଥର ଉପରେ ଠିଆ ହୋଇ ଭିଡିଓ ସୁଟିଂ ଆରମ୍ଭ କଲେ।
ହେଲେ ସେହି ସମୟରେ ମାଛକୁଣ୍ଡ ଡ୍ୟାମ୍ ରୁ ହଠାତ୍ ପାଣି ଛାଡ଼ିବା ଯୋଗୁଁ, ଜଳପ୍ରପାତରେ ପାଣିର ବେଗ ବହୁତ ଦ୍ରୁତ ହୋଇଗଲା ଏବଂ ଯୁବକ ଜଣକ ସେଥିରେ ଭାସିଗଲେ।
ଝରଣାରେ ଭାସିଗଲେ ୟୁଟ୍ୟୁବର: ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ ପାଣିର ସ୍ରୋତ ଏତେ ଦ୍ରୁତ ଥିଲା ଯେ YouTuberଙ୍କୁ କୂଳକୁ ଆସିବାର ସୁଯୋଗ ମଧ୍ୟ ଦେଲାନାହିଁ। ଏବଂ ସେ ସେହି ଝରଣାରେ ଭାସିଗଲେ।
ଏହି ସମୟରେ ତାଙ୍କ ବନ୍ଧୁ ଏବଂ ସେଠାରେ ଉପସ୍ଥିତ ଅନ୍ୟ ଲୋକମାନେ ତାଙ୍କୁ ବଞ୍ଚାଇବା ପାଇଁ ଚିତ୍କାର କରୁଥିଲେ, କିନ୍ତୁ ପାଣିର ବେଗ ଏତେ ଦ୍ରୁତ ଥିଲା ଯେ କେହି ତାଙ୍କ ପାଖକୁ ଯିବାକୁ ସାହସ ଜୁଟାଇ ପାରିଲେ ନାହିଁ।
A Santhal Youtuber (age 22) from Berhampur, Ganjam (Odisha) was swept away at Duduma Waterfall, Koraput while trying to shoot a video.
Validation from social media has made many people relegate common sense.pic.twitter.com/9IV1vwiHcZ
— do’o kappa (@viprabuddhi) August 24, 2025
ଭିଡିଓ ଭାଇରାଲ: ଟ୍ୱିଟର ହ୍ୟାଣ୍ଡେଲରେ ଏହି ଭିଡିଓ ସେୟାର କର ୟୁଜର କହିଛନ୍ତି ଯେ ଭିଡିଓ ସୁଟିଂ କରୁଥିବା ସମୟରେ, ୨୨ ବର୍ଷୀୟ YouTuber କୋରାପୁଟର ଡୁଡୁମା ଜଳପ୍ରପାତରେ ଭାସି ଯାଇଥିଲେ। ଏବେ ଏହି ଭିଡ଼ିଓଟି ତୀବ୍ର ବେଗରେ ଭାଇରାଲ୍ ହେଉଛି। ଏବଂ ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ ଆସୁଛି।
ଏପର୍ଯ୍ୟନ୍ତ କୌଣସି ସୁରାକ ମିଳିନି: ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି। YouTuberଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୁରାକ ମିଳିନାହିଁ।