fbpx

ବଜ୍ରପାତ ଦେଖାଇଲା ଭୟଙ୍କର ରୂପ: ଚାଲିଗଲା ୨୧ଟି ଗୋରୁ ଓ ୩ଟି ଛେଳିର ଜୀବନ, ୬ ଜଣ ଗୋରୁ ଚରାଳି ଗୁରୁତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନ ବେଳା ପ୍ରବଳ ଖରା ଅନୁଭୂତ ହେଉଥିବା ବେଳେ ଅପରାହ୍ଣରେ କାଳବୈଶାଖୀ ଅନୁଭୂତ ହେଉଛି । ଏହା ମଧ୍ୟରେ ପଶ୍ଚିମ ଓଡ଼ିଶାର ୯ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଟପିଛି । ବୌଦ୍ଧ ଓ ସମ୍ବଲପୁରର ତାପମାତ୍ରା ସର୍ବାଧିକ ୪୨.୨ ଡିଗ୍ରୀ ରେକର୍ଡ କରାଯାଇଛି । ଏଥିସହିତ ଝାରସୁଗୁଡ଼ାରେ ୪୧.୮, ବରଗଡ଼ରେ ୪୧.୫, ହୀରାକୁଦରେ ୪୧.୧, ଟିଟିଲାଗଡ଼ରେ ୪୦.୬, ସୁନ୍ଦରଗଡ଼ରେ ୪୧.୨ ଓ ଭବାନିପାଟଣାରେ ୪୦ ଡିଗ୍ରୀ ରହିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ଏହି ସ୍ଥିତି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ତେବେ ଏହା ମଧ୍ୟରେ କାଳବୈଶାଖୀ ପ୍ରଭାବରେ ଏକ ଭୟଙ୍କର ବଜ୍ରପାତ ଦେଖାଯାଇଛି । କୋରାପୁଟରେ ବଜ୍ରପାତ ନେଇଯାଇଛି ଅନେକ ଜୀବଜନ୍ତୁଙ୍କ ଜୀବନ । ଏହି ବଜ୍ରପାତ କାରଣରୁ ୨୧ ଗୋରୁଙ୍କ ସହ ୩ଟି ଛେଳିର ପ୍ରାଣହାନୀ ହୋଇଛି । ଏଥିସହିତ ୬ ଜଣ ଗାଇଚରାଳି ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନନ୍ତି । ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ରାଙ୍ଗିନିଗୁଡ଼ା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ଗତକାଲି ଗୋରୁ ଚରାଳିମାନେ ସେମାନଙ୍କର ଗାଈ, ଓ ଛେଳିକୁ ନିକଟସ୍ଥ ଜଙ୍ଗଲକୁ ଚରାଇବାକୁ ନେଇଥିଲେ । ମାତ୍ର ହଠାତ୍ ଦେଖିବାକୁ ମିଳିଥିଲା କାଳବୈଶାଖୀର କରାଳ ରୂପ । ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ମାରିଥିଲା । ଫଳରେ ଘଟଣାସ୍ଥଳରେ ୨୧ଟି ଗୋରୁ ସହ ୩ଟି ଛେଳିଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ଗ୍ରାମରେ ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ବଜ୍ରପାତ ତାଣ୍ଡବ ଦେଖାଇଥିଲା । ଗତ ୨୦ ତାରିଖରେ ରାୟଗଡ଼ା ଜିଲ୍ଲା ଗୁଣୁପୁରରେ ବଜ୍ରପାତ କାରଣରୁ ୨୩ଟି ଗୃହପାଳିତ ପଶୁଙ୍କର ଜୀବନ ଚାଲିଯାଇଥିଲା । ୬ଟି ପରିବାରର ଗାଈ, ବଳଦ ଓ ବାଛୁରୀଙ୍କର ମୃତ୍ୟୁ ଘଟିଥିଲା । ଗାଁଠାରୁ ୧ କିମି ଦୂର ଅନ୍ୟ ଏକ ଗାଁକୁ ଚରିବାକୁ ଯାଇଥିବା ସମୟରେ ଏହି ଜନ୍ତୁମାନେ ବଜ୍ରପାତର ଶିକାର ହୋଇଥିଲେ ।

Get real time updates directly on you device, subscribe now.