fbpx

ନବୀନ ସରକାରଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି: ଜୋରଦାର ଚାଲିଛି ପ୍ରସ୍ତୁତି

ଭୁବନେଶ୍ୱର: ଓଡିଶାର ଲୋକପ୍ରିୟ ଜନ ପ୍ରତିନିଧି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରକୁ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂରଣ ହେଉଛି । ୨୦୧୯ ମେ’ ୨୯ ତାରିଖରେ ଓଡିଶାର ନମ୍ବର ୱାନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ଆଜି ଏହି ମୁଖ୍ୟମନ୍ତ୍ରୀଙ୍କ ସେହି ଶପଥକୁ ୪ ବର୍ଷ ପୂରଣ ହୋଇଛି । ୪ ବର୍ଷ ମଧ୍ୟରେ ରାଜ୍ୟର ଅନେକ ସମସ୍ୟାକୁ ସମାଧାନର ରାସ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ବାବୁ । ବିଶେଷ କରି ଓଡିଶାର ମହିଳାମାନଙ୍କୁ ଏକ ନୂଆ ଶକ୍ତି ରୂପରେ ଗଢି ତୋଳିବା ସହିତ ୫-ଟି କାର୍ଯ୍ୟକ୍ରମ ଶିକ୍ଷା ବିଭାଗକୁ ନୂତନ ଦିଗଦର୍ଶନ ଦେଇଛି ।

ପଞ୍ଚମ ପାଳିରେ ରାଜ୍ୟବାସୀଙ୍କୁ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତିରୁ ଅନେକ ପୂରଣ ହୋଇ ସାରିଥିଲେ ବି ଏବେକିଛି କାମ ବାକି ରହିଯାଇଛି । ଯାହାକୁ ପୂରଣ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ନବୀନ ସରକାରରେ ଥିବା ଟାଣୁଆ ନେତା । ସେଥିପାଇଁ ଆଜି ସୁଦ୍ଧା କାର୍ଯ୍ୟର ସମସ୍ତ ରିପୋର୍ଟ ଜାରି କରିବାକୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଜାରି କରାଯାଇଥିଲା । ତେବେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ବାକି ଥିବା ପ୍ରତିଶ୍ରୁତିଗୁଡିକୁ ପୂରଣ କରିବା ପାଇଁ ଆଶା ରଖିଛନ୍ତି ରାଜ୍ୟବାସୀ ଏବଂ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଞ୍ଚମ ପାଳିର ସରକାର ଗଠନ କରିବା ପାଇଁ ବିଜୁ ଜନତା ଦଳ ଯେଉଁ ନିର୍ବାଚନ ଇସ୍ତାହାର ଜାରି କରିଥିଲା, ସେସବୁ ପ୍ରତିଶ୍ରୁତିକୁ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗ କରିବା ଲକ୍ଷ୍ୟରେ ପ୍ରସ୍ତୁତି ଜୋର ଦାର ଚାଲିଛି । ଏଥିପାଇଁ ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ତେବେ ନିର୍ବାଚନ ବର୍ଷ ରହିଥିବାରୁ ବିଜେଡି ସୁପ୍ରିମୋ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ତେବେ ରାଜ୍ୟରେ ମହିଳାଙ୍କ ବିକାଶ ସର୍ବଦା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଲକ୍ଷ୍ୟ ହୋଇ ରହିଛି । ତେଣୁ ଆଜି ବୈଠକରେ ମୁଖ୍ୟମନ୍ତ୍ରୀ ମଧ୍ୟ ଏହା ଉପରେ ଫୋକସ କରିପାରନ୍ତି । ଏହାବ୍ୟତୀତ ଉଚ୍ଚଶିକ୍ଷା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବିଭିନ୍ନ ପ୍ରକଳ୍ପ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଏବଂ ନଗର ଉନ୍ନୟନ ବିଭାଗ ସମେତ ଆହୁରି ଅନେକ କିଛି ବିଭାଗର ପ୍ରସ୍ତାବ ଉପରେ ରାଜ୍ୟ ବିଜେଡି ସୁପ୍ରିମୋ କ୍ୟାବିନେଟ ମୋହର ମାରି ପାରନ୍ତି ବୋଲି ଆଶା କରାଯାଉଛି । ତେବେ ଗତ ୨୨ ତାରିଖରୁ ଖୋଦ୍ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କ କାର୍ଯ୍ୟକୁ ସମୀକ୍ଷା କରୀି ତଦାରଖ କରୁଛନ୍ତି । ଏହାସହିତ ପ୍ରତିଶ୍ରୁତି ଅନୁଯାୟୀ କେଉଁ ବିଭାଗ ନିଜ କାର୍ଯ୍ୟ ସୂଚାରୂ ରୂପେ ପାଳନ କରୁଛି ତାହା ମଧ୍ୟ ନଜର ରଖିଛନ୍ତି ରାଜ୍ୟ ମୁଖିଆ । ତେବେ ଆଜିର ଏହି ସଫଳତାର ଦିବସକୁ ପାଳନ କରିବା ପାଇଁ କୌଣସି ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ନାହିଁ । କିନ୍ତୁ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଶାସନିକ ପ୍ରସ୍ତୁତି ଜୋରଦାର ଚାଲିଛି ।

Get real time updates directly on you device, subscribe now.