ପୁଣି ବଡ଼ ସଫଳତା, ଗଡ଼ିଲା ୩୦ ମାଓବାଦୀଙ୍କ ମୁଣ୍ଡ

ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଜୋରଦାର ଗୁଳି ବିନିମୟ। ପୋଲିସଙ୍କ ଗୁଳିରେ ଟଳିପଡିଲେ ୩୦ ମାଓବାଦୀ। ଜଣେ ଯବାନ ସହିଦ। ଏହାକୁ ବଡ଼ ସଫଳତା କହିଲେ ଅମିତ ଶାହ।

ଛତିଶଗଡ଼: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ଗଡ଼ିଲା ୩୦ ମାଓବାଦୀଙ୍କ ମୁଣ୍ଡ। ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାର ଗାଙ୍ଗଲୁର ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଜୋରଦାର ଗୁଳିବିନିମୟ ହୋଇଥିଲା।

ଯେଉଁଥିରେ ପୃଥକ ପୃଥକ ୨ଟି ସ୍ଥାନରେ ୩୦ ଜଣ ମାଓବାଦୀଙ୍କ ମୁଣ୍ଡ ଗଡିଥିବା ସୂଚନା ମିଳିଛି। ଏହି ଅପରେସନ ବେଳେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି। ଯେଉଁଠି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା, ସେହି ସ୍ଥାନରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

୩୦ ମାଓବାଦୀଙ୍କ ଗଡ଼ିଲା ମୁଣ୍ଡ: ତେବେ ଏହି ଅପରେସନରେ ୩୦ ମାଓବାଦୀଙ୍କ ମଧ୍ୟରୁ ପ୍ରାଥମିକ ସୂଚନାନୂସାରେ, ୨୦ ଜଣ ବୀଜାପୁର ଓ ୪ ଜଣ ମାଓବାଦୀ କାଙ୍କେର ଅଞ୍ଚଳରେ ପ୍ରାଣ ହରାଇଛନ୍ତି। ଆଉ ୬ ଜଣଙ୍କର ସଠିକ୍ ଖବର ମିଳିପାରିନାହିଁ। ପୋଲିସ ଏନ୍‌କାଉଣ୍ଟର ରେ ଏହି ମାଓବାଦୀମାନେ ନିହତ ହୋଇଥିବା ସୂଚନା ଦେଇଛନ୍ତି ବିଜାପୁର ଏସ୍‌ପି।

ମାଓବାଦୀଙ୍କ ବଡ଼ କ୍ଷତି: ମାଓବାଦୀଙ୍କ ବଡ଼ ଧରଣର ବେସ୍‌ କ୍ୟାମ୍ପ ଥିଲା ଏହି ଜଙ୍ଗଲରେ। ତେଣୁ ପୋଲିସ ଏନ୍‌କାଉଣ୍ଟରରେ ମାଓବାଦୀଙ୍କ ବଡ଼ କ୍ଷତି ହୋଇଥିବା ଜଣାପଡ଼ିଛି। ଏବେବି ଗୁଳିବିନିମୟ ଜାରି ରହିଛି।ସେହିପରି ନାରାୟଣପୁର ଜିଲାର ଅବୁଝମାଡ଼ ଜଙ୍ଗଲରେ ମାଓବାଦୀ ଆଇଇଡି ବିସ୍ଫୋରଣ କରିଛନ୍ତି।

ଏଥିରେ ଜଣେ ଯବାନ ଶହୀଦ ହୋଇଛନ୍ତି। ଏସ୍‌ଟିଏଫ୍‌ ଏବଂ ଡିଆର୍‌ଜି ଯବାନ ମାଓବାଦୀ ଦମନ ପାଇଁ କମ୍ବିଂ ଅପରେଶନରେ ଯାଇଥିବା ବେଳେ ମାଓବାଦୀ ଆଇଇଡି ବିସ୍ଫୋରଣ କରିଥିଲେ। ଗୁରୁତର ଯବାନଙ୍କୁ ନାରାୟଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ଏହି ଘଟଣା ପରେ ଅବୁଝମାଡ଼ ଜଙ୍ଗଲରେ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି।

ଅମିତ ଶାହଙ୍କ ପ୍ରତିକ୍ରିୟା: ଏହି ନକ୍ସଲ ନିପାତ ଘଟଣାକୁ ବଡ଼ ସଫଳତା କହିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ‘ନକ୍ସଲ ମୁକ୍ତ ଭାରତ ଅଭିଯାନ’ ଦିଗରେ ଆଗକୁ ବଢୁଛୁ। ନକ୍ସଲଙ୍କ ବିରୋଧରେ ମୋଦୀ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଜାରି ରହିବ। ‘ଆତ୍ମସମର୍ପଣ ନ କଲେ ଶୂନ୍ୟ ସହନଶୀଳ ନୀତି ଆପଣାଇବୁ’। ଆସନ୍ତା ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଦେଶ ନକ୍ସଲମୁକ୍ତ ହେବ।