ନୂଆଦିଲ୍ଲୀ: ଉତ୍ତର ନାଇଜେରିଆର ନାଇଜର ନଦୀରେ ଘଟିଛି ଏକ ବଡ଼ ଅଘଟଣ । ବଜାରକୁ ଖାଦ୍ୟ ନେଇ ଯାଉଥିବା ସମୟରେ ଅଚାନକ ଡଙ୍ଗା ଓଲଟି ପଡ଼ିବା ଫଳରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହିତ ୧୦୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି । ନିଖୋଜଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ଜଣାପଡ଼ିଛି । ଡଙ୍ଗାରେ ପାଖାପାଖି ୨୦୦ ଯାତ୍ରୀ ଯାତ୍ରା କରୁଥିବା ବେଳେ ସେମାନେ କୋଗୀ ରାଜ୍ୟରୁ ପଡ଼ୋଶୀ ରାଜ୍ୟ ନାଇଜରକୁ ଯାଉଥିଲେ । ମାତ୍ର ଅଧାବାଟରେ ଘଟିଥିଲା ଏପରି ଏକ ଅଘଟଣ । ନାଇଜର ରାଜ୍ୟ ଜରୁରୀକାଳୀନ ପ୍ରବନ୍ଧନ ଏଜେନ୍ସିର ମୁଖପାତ୍ର ଏ ବାବଦରେ ସ୍ପଷ୍ଟ ସୂଚନା ଜାରି କରିଛନ୍ତି ।
ତେବେ ଏହି ଅଘଟଣ ପରେ ନଦୀରୁ ୨୭ ଜଣଙ୍କ ଶବ ଜବତ କରାଯାଇଥିବା ମୁଖପାତ୍ର କହିଛନ୍ତି । ଏଥିସହିତ ଅନ୍ୟ ଯାତ୍ରୀଙ୍କ ସନ୍ଧାନ ଜାରି ରହିଛି । ଘଟଣା ଘଟିବାର ପାଖାପାଖି ୧୨ ଘଣ୍ଟା ପର୍ଯ୍ୟନ୍ତ କୌଣସି ଜୀବିତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ନଥିଲା । ଡଙ୍ଗାଟିରେ କ୍ଷମତାଠାରୁ ଅଧିକ ଯାତ୍ରୀ ଯାଉଥିଲେ ବୋଲି କୁହାଯାଉଛି । ସେହି କାରଣରୁ ଡଙ୍ଗାଟି ଭାରସାମ୍ୟ ସହ୍ୟ କରିନପାରି ଓଲଟି ପଡ଼ିଥିବା ସନ୍ଦେହ କରାଯାଉଛି । ସୂଚନାଯୋଗ୍ୟ ଯେ, ନାଇଜେରିଆର ବିଭିନ୍ନ ଅଞଚଳରେ ଭଲ ସଡ଼କ ପଥର ଅଭାବ ହେତୁ ଲୋକଙ୍କ ନିକଟରେ ଜଳ ହିଁ ଏକମାତ୍ର ବିକଳ୍ପ ସେଥିପାଇଁ, ଅନେକ ସମୟରେ ଡଙ୍ଗା ବୁଡ଼ି ଘଟଣା ସାମ୍ନାକୁ ଆସିଥାଏ ।