fbpx

ମୋଦିଙ୍କ ଟିମରେ ସ୍ଥାନ ପାଇବେ ୨୭ ନୂଆ ଚେହେରା, ଓଡ଼ିଶାରୁ ଜଣେ, ଜାଣନ୍ତୁ କିଏ

ନୂଆଦିଲ୍ଲୀ: ଖୁବଶୀଘ୍ର କେନ୍ଦ୍ର ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ହେବ । ମୋଦିଙ୍କ ଟିମରେ ସାମିଲ୍ ହେବେ ୨୭ ଜଣ ନୂଆ ମୁହଁ । ଆସନ୍ତା ଜୁଲାଇ ମାସରେ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି ।

ଜଣାପଡ଼ିଛି ଯେ, ମୋଦିଙ୍କ ନୂଆ ଟିମରେ ୨୭ ଜଣ ନୂଆ ଚେହେରାଙ୍କୁ ଦେଖିବାକୁ ମିଳିବ । କଂଗ୍ରେସ ଛାଡ଼ି ବିଜେପିକୁ ଆସିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମନ୍ତ୍ରୀପଦ ମିଳିବାର ସମ୍ଭାବନା ରହିଛି । ଏହାଛଡ଼ା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ ଓ ରାଜସ୍ଥାନର ବରିଷ୍ଠ ନେତା ଭୁପେନ୍ଦର ଯାଦବ ଏହି ରେସରେ ରହିଛନ୍ତି ।

ପଶ୍ଚିମବଙ୍ଗରେ ନିର୍ବାଚନ ମଙ୍ଗ ଧରିଥିବା ବରିଷ୍ଠ ନେତା କୈଳାସ ବିଜୟଭର୍ଗିୟା ଓ ଦଳର ମୁଖପାତ୍ର ଥିବା ଉତ୍ତରପ୍ରଦେଶର ସୟିଦ ଜାଫର ଇସଲାମଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସୁଛି । ମହାରାଷ୍ଟ୍ରର ସାଂସଦ ପ୍ରୀତମ ମୁଣ୍ଡେ ଓ ଗୋପୀନାଥ ମୁଣ୍ଡେଙ୍କ ଝିଅ ପଙ୍କଜା ମୁଣ୍ଡେ ସାମିଲ ହୋଇ ପାରନ୍ତି । ଓଡ଼ିଶାରୁ ରାଜ୍ୟସଭା ସାଂସଦ ଥିବା ଅଶ୍ୱିନ ବୈଷ୍ଣବ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ୨୦୨୨ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଥିବାରୁ ଏହି ରାଜ୍ୟରୁ କିଛି ହେଭିୱେଟଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରି ଫାଇଦାରେ ରହିବାକୁ ବିଜେପି ନିଶ୍ଚୟ ଚେଷ୍ଟା କରିବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.