ନୂଆଦିଲ୍ଲୀ,୧୨ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଭାରତ ମଣ୍ଡପମରେ ଆୟୋଜିତ ୟଙ୍ଗ ଲିଡର ଡାଏଲଗ୍-୨୦୨୫ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଶ୍ୱାସ ଏବଂ ଦୃଢ଼ତାର ସହ କହିଛନ୍ତି ଯେ, ଆଜି ଭାରତ ନିର୍ଦ୍ଧାରିତ ସମୟ ପୂର୍ବରୁ ଅନେକ କ୍ଷେତ୍ରରେ ତା’ର ଲକ୍ଷ୍ୟ ହାସଲ କରୁଛି। ଆପଣମାନଙ୍କର ମନେ ଥିବ ଯେ, କରୋନା ମହାମାରୀ ସମୟରେ ଟିକାକୁ ନେଇ ସାରା ବିଶ୍ୱ ଯେତେବେଳେ ଚିନ୍ତିତ ଥିଲା ସେତେବେଳେ ଭାରତୀୟ ବୈଜ୍ଞାନିକମାନେ ସମୟ ପୂର୍ବରୁ ଟିକା ତିଆରି କରି ଏହା ପ୍ରମାଣ କରି ଦେଖାଇଛନ୍ତି।
ଯୁବପିଢ଼ିଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ୧୯୩୦ ଦଶକରେ ଆମେରିକା ଏକ ଗମ୍ଭୀର ଆର୍ଥିକ ସଙ୍କଟରେ ଫସି ଯାଇଥିଲା, ତା’ପରେ ଆମେରିକାର ଲୋକମାନେ ନିଷ୍ପତ୍ତି ନେଇଥିଲେ ଯେ, ଆମକୁ ଏଥିରୁ ବାହାରି ଦ୍ରୁତ ଗତିରେ ଆଗକୁ ବଢ଼ିବାକୁ ପଡ଼ିବ। ସେମାନେ ସେହି ପଥ ବାଛିଥିଲେ ଏବଂ ଆମେରିକା କେବଳ ସେହି ସଙ୍କଟରୁ ବାହାରି ଆସି ନ ଥିଲା ବରଂ ବିକାଶର ଗତିକୁ ଅନେକ ଗୁଣ ବଢ଼ାଇଥିଲା। ଠିକ୍ ସେହିପରି ଆମେ ଏକ ବିକଶିତ ଭାରତ ଚାହୁଁ ବୋଲି ମୋଦୀ କହିଛନ୍ତି।ଭାରତକୁ ଏକ ବିକଶିତ ଦେଶ ହେବାରେ କେହି ରୋକିପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ‘ମୁଁ ଲାଲକିଲ୍ଲାରୁ ୧ ଲକ୍ଷ ନୂଆ ଯୁବକଙ୍କୁ ରାଜନୀତିରେ ଆଣିବା ବିଷୟରେ କହିସାରିଛି। ରାଜନୀତି ମଧ୍ୟ ଆପଣଙ୍କ ପରାମର୍ଶଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଏକ ମହାନ ମାଧ୍ୟମ ହୋଇପାରେ। ମୁଁ ନିଶ୍ଚିତ ଯେ, ଆପଣଙ୍କ ମଧ୍ୟରୁ ଅନେକ ଯୁବକ ମଧ୍ୟ ରାଜନୀତିରେ ଯୋଗଦେବେ। ଆଗକୁ ଆସି ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିଲେ । ବିକଶିତ ଭାରତର ଏହି ଯାତ୍ରାରେ ଆମକୁ ପ୍ରତିଦିନ ନୂଆ ଲକ୍ଷ୍ୟ ସ୍ଥିର କରିବାକୁ ପଡ଼ିବ ଏବଂ ସେଗୁଡ଼ିକୁ ହାସଲ କରିବାକୁ ପଡ଼ିବ। ସେହିଦିନ ଆଉ ଦୂରରେ ନାହିଁ ଯେତେବେଳେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବାର ଲକ୍ଷ୍ୟ ହାସଲ କରିବ। ଗତ ୧୦ ବର୍ଷ ମଧ୍ୟରେ ଦେଶ ୨୫ କୋଟି ଲୋକଙ୍କୁ ନିଯୁକ୍ତି ଦେଇଛି। ଆମେ ଧୀରେ ଧୀରେ ଦାରିଦ୍ର୍ୟରୁ ବାହାରୁଛେ। ଆମେ ଯେଉଁ ଗତିରେ ଆଗକୁ ବଢ଼ୁଛେ, ସମଗ୍ର ଭାରତ ଦାରିଦ୍ର୍ୟ ମୁକ୍ତ ହେବ ବୋଲି ମୋର ଆଶା, ବିଶ୍ୱାସ ଏବଂ ଦୃଢ଼ୋକ୍ତି।