କୋଲକାତା ହୋଟେଲରେ ଜୀଅନ୍ତା ଜଳିଗଲେ ୩ ଓଡ଼ିଆ, ଶୋକରେ ପରିବାର

କୋଲକାତା: କୋଲକାତାରେ ଥିବା ଋତୁରାଜ ନାମକ ଏକ ଘରୋଇ ହୋଟେଲରେ ଅଗ୍ନିକାଣ୍ଡ । ହୋଟେଲରେ ନିଆଁ ଲାଗିବା କାରଣରୁ ୩ ଜଣ ଓଡ଼ିଆ ଜଳିଯାଇଥିବା ସୂଚନା ।

ଜଗତସିଂହପୁର ନନ୍ଦନ ଗାଁର ମନୋଜ ପାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ହରିପା ଗାଁର ଦୁଷ୍ମନ୍ତ କୁମାର ନାୟକ ଓ ଦୁଷ୍ମନ୍ତ କୁମାର ସ୍ୱାଇଁ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି ।

ମୃତକଙ୍କ ସମ୍ପର୍କିୟ କୋଲକାତାରୁ ମୃତଦେହ ଆଣିବା ପାଇଁ ବ୍ୟବସ୍ଥା କରିଛନ୍ତି । ବଡ଼ବଜାର ଥାନାରେ ରିପୋଟିଂ କରିବା ପରେ ମୃତଦେହ ଅଣାଯିବ ବୋଲି କୁହାଯାଉଛି ।

ଗତକାଲି ସନ୍ଧ୍ୟାରେ ବଡ଼ ବଜାର ଅଞ୍ଚଳର ମେଚୁଆ ଫଳ ପଟ୍ଟି ଅଞ୍ଚଳରେ ଥିବା ଋତୁରାଜ ହୋଟେଲରେ ଅଗ୍ନିକାଣ୍ଡ ଘଟି ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ରାତି ୮.୧୫ ସମୟରେ କୋଲକାତାର ସବୁଠାରୁ ବ୍ୟସ୍ତବହୁଳ ଅଞ୍ଚଳ ମଛୁଆ ଫାଲ ପଟ୍ଟିର ଏକ ରେଷ୍ଟୁରାଣ୍ଟରେ ଏହି ଘଟଣା ଘଟିଥିଲା।

ନିଆଁ ଲାଗିବା ମାତ୍ରେ ରେଷ୍ଟୁରାଣ୍ଟ ଭିତରେ ହଇଚଇ ସୃଷ୍ଟି ହୋଇଥିଲା। ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା କିନ୍ତୁ ରାସ୍ତା ସଂକୀର୍ଣ୍ଣ ହୋଇଥିବାରୁ ଅଗ୍ନିଶମ ବାହିନୀ ଟିମକୁ ଘଟଣାସ୍ଥଳରେ ପହଞ୍ଚିବାକୁ କଠିନ ପରିଶ୍ରମ କରିବାକୁ ପଡିଥିଲା।

ଦୁର୍ଘଟଣା ସମୟରେ ଧୂଆଁ ଯୋଗୁଁ ଅନେକ ଲୋକ ଭିତରେ ଫସି ରହିଥିଲେ ଏବଂ କିଛି ଲୋକ ଜୀବନ ବଞ୍ଚାଇବା ପାଇଁ ଉପର ମହଲା ଆଡ଼କୁ ଦୌଡ଼ିଥିଲେ କିନ୍ତୁ ସେଠାରୁ ବାହାରକୁ ଆସିବାରେ ମଧ୍ୟ ବହୁତ ଅସୁବିଧା ହୋଇଥିଲା।

ରେଷ୍ଟୁରାଣ୍ଟର ଜଣେ କର୍ମଚାରୀ ନିଜ ଜୀବନ ବଞ୍ଚାଇବା ପାଇଁ ଉପରରୁ ଡେଇଁ ପଡ଼ି ମୃତ୍ୟୁବରଣ କରିଥିଲେ। ଭିତରକୁ ପ୍ରବେଶ କରିବା ପାଇଁ ଅଗ୍ନିଶମ ବାହିନୀକୁ କାନ୍ଥ ଭାଙ୍ଗିବାକୁ ପଡିଲା। ଦୁର୍ଘଟଣାରେ ୧୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପ୍ରାୟ ପଚାଶ ଜଣଙ୍କୁ ଉଦ୍ଧାର କରାଯାଇଛି।