fbpx

ସିଂହଦ୍ୱାରେ ବିଜେ ତିନି ରଥ; ଭାଇ-ଭଉଣୀ ସହ ଆସିବେ ଜଗତର ନାଥ

ପୁରୀ(ଓଡ଼ିଶା ଭାସ୍କର): ସୋମବାର ସକାଳ ହସିବ ନୂତନ ସୂର୍ଯ୍ୟୋଦୟ। ମହାପ୍ରଭୁଙ୍କ କରୁଣାରୁ ଶ୍ରୀକ୍ଷେତ୍ରେ ପଡ଼ିବ ସୁନେଲି କିରଣ ଛିଟା। ସ୍ୱାଗତ କରିବ ମହୋଦଧୀ। ଉଲ୍ଲସିତ ଶ୍ରଦ୍ଧାଳୁ ଆଉ ଭାବବିହ୍ୱଳ ଭକ୍ତପ୍ରାଣ। ସେପଟେ ସଜେଇ ହେଉଛି କାଳିଆ; ବିଜେ କରିବାକୁ ନନ୍ଦିଘୋଷ ରଥେ। ପଥ ବି ଚାହିଁ ରହିଛି ମହାବାହୁଙ୍କୁ… ତେଣୁ ସିଂହଦ୍ୱାରେ ସାଷ୍ଟାଙ୍ଗ ତିନି ରଥ।

ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ କଡ଼ା ସୁରକ୍ଷା ବଳୟ ଭିତରେ ସେବାୟତମାନେ ରଥଖଳାରୁ ତିନି ରଥକୁ ଟାଣି ଆଣିଛନ୍ତି ସିଂହଦ୍ୱାର। ସେହିପରି ପବିତ୍ର ଘୋଷଯାତ୍ରା ପାଇଁ ପୁରୀରେ ସଜାଗ ରହିଛନ୍ତି ୬୫ ପ୍ଲାଟୁନ ପୋଲିସ ଫୋର୍ସ। ସବୁକିଛିର ସମୀକ୍ଷା କରାଯାଇଛି ବିଭିନ୍ନ ସ୍ତରରେ। କରୋନା ମହାମାରୀ ପାଇଁ କ୍ରମାଗତ ଦ୍ୱିତୀୟ ବରଷ ଲାଗି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବ ସୀମିତ ସେବାୟତଙ୍କ ଗହଣରେ। ରହିପାରିବେନି ଶତଶତ ଶ୍ରଦ୍ଧାଳୁ। ସେହିପରି ସୁରକ୍ଷା ଦୃଷ୍ଟିରୁ ରବିବାର ମଧ୍ୟରାତ୍ରିରୁ ମଙ୍ଗଳବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ପୁରୀରେ ରହିବ କର୍ଫ୍ୟୁ।

ଅନ୍ୟପକ୍ଷରେ ପ୍ରଥମେ ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥରେ ଛେରାପହଁରା କରିବେ ନାହିଁ; ତାଙ୍କ ପ୍ରତିନିଧି ଦାୟିତ୍ୱ ନିର୍ବାହ କରିବେ ବୋଲି ଜଣାପଡ଼ିଥିଲା। ତେବେ ପରେ ସ୍ୱଂୟ ମହାରାଜା ହିଁ ନିଜ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି। ସେହିପରି ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ରଥ ଉପରକୁ ଯାଇ ପୂଜାର୍ଚ୍ଚନା କରିବେ ବୋଲି ସୂଚନା ମିଳିଛି। ଆଉ ଶ୍ରଦ୍ଧାଳୁଙ୍କ ପାଇଁ ରଥଯାତ୍ରାର ସିଧା ପ୍ରସାରଣ ବ୍ୟବସ୍ଥା କରିଛନ୍ତି ସରକାର। ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Get real time updates directly on you device, subscribe now.