fbpx
BSKY
BJD MC SKY
BJD MS SKY

ଭୁବନେଶ୍ୱରରେ କେତେ ସୁରକ୍ଷିତ ମହିଳା: ଗୋଟିଏ ଦିନରେ ଚାଲିଗଲା ୩ ଜୀବନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମହିଳାମାନଙ୍କ ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ଗୋଟିଏ ଦିନରେ ୩ ଭିନ୍ନ ଘଟଣାରେ ତିନି ଜଣ ମହିଳାଙ୍କ ମୃତ୍ୟୁ ଅଭିଯୋଗକୁ ନେଇ ସାରା ରାଜଧାନୀରେ ଚର୍ଚ୍ଚା । ମୃତ ମହିଳାମାନଙ୍କ ମଧ୍ୟରୁ ଜଣକୁ ଯୌତୁକ ପାଇଁ ତ ଆଉଜଣଙ୍କୁ ପ୍ରେମ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଛି । ଅନ୍ୟପକ୍ଷରେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ଅଭିଯୋଗ ମୁତାବକ, କେନ୍ଦ୍ରାପଡ଼ା ଅଞ୍ଚଳର ପ୍ରିୟଙ୍କା ମିଶ୍ର(୨୬) ଅଢ଼େଇ ବର୍ଷ ତଳେ ପୁରୁଣା ଭୁବନେଶ୍ୱରର ସୁରଜ ଦାସଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ପରେ ଶାଶୂଘର ଲୋକେ ପ୍ରିୟଙ୍କାଙ୍କ ଉପରେ ୫ ଲକ୍ଷ ଯୌତୁକ ଆଣିବା ପାଇଁ ଚାପ ପକାଇ ମାନସିକ ଓ ଶାରିରୀକ ଯନ୍ତ୍ରଣା ଦେବା ଆରମ୍ଭ କରିଦେଇଥିଲେ । ତେବେ ଅତ୍ୟାଚାର ଅସହ୍ୟ ହେବାରୁ ପ୍ରିୟଙ୍କା ବାପାଙ୍କୁ ଜଣାଇବାପରେ ଉଭୟ ପରିବାର ମଧ୍ୟରେ ବୁଝାମଣା ହୋଇଥିଲା । କିନ୍ତୁ କିଛିଦିନ ପରେ ହଠାତ ପ୍ରିୟଙ୍କାଙ୍କ ଶାଶୂ ପ୍ରିୟଙ୍କାଙ୍କ ମାମୁଁଙ୍କୁ ଫୋନ କରି ତାଙ୍କ ଭାଣିଜୀ ଆତ୍ମହତ୍ୟା କରିଥିବା କହିଥିଲେ । ପରିବାର ଲୋକେ ସେଠାରେ ପହଞ୍ଚି ପୁଲିସକୁ ଘଟଣା ବିଷୟରେ ଜଣାଇଥିଲେ । ପ୍ରିୟଙ୍କାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏୟାରଫିଲ୍ଡ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ସେହିପରି ସୁନ୍ଦରପଦା କେଳାସାହି ବସ୍ତିର ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଛି । ସ୍ଥାନୀୟ ଅଞ୍ଚଳର ଘନିଆ ନାମକ ଯୁବକ ନାବାଳିକାଙ୍କ ବାପା ମା’ ଘରେ ନଥିବାର ସୁଯୋଗ ନେଇ ଚକଲେଟ ଦେବା ଆଳରେ ନାବାଳିକାକୁ ଡାକି ଦୁଷ୍କର୍ମ କରିଥିଲା । ନାବାଳିକା ଜଣକ ପାଟି କରିବାରୁ ତାଙ୍କ ଗଳାକାଟି ନିର୍ମମ ଭାବେ ହତ୍ୟା କରିଥିଲା ଦୁର୍ବୃତ୍ତ । ପରିବାର ଲୋକେ ଘରକୁ ଫେରି ନାବାଳିକାଙ୍କର ଏପରି ଅବସ୍ଥା ଦେଖି ହସ୍ପିଟାଲ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘନିଆକୁ ଖୋଜୁଛି ।

ଅନ୍ୟପକ୍ଷରେ ତାପଙ୍ଗ ଅଞ୍ଚର ଅଞ୍ଜଳି ବେହେରା(୨୭) ନାମ୍ନୀ ଜଣେ ଯୁବତୀଙ୍କର କ୍ଷେତ୍ରପାଳ ଅଞ୍ଚଳର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଯୁବକଙ୍କୁ ବିବାହ କରିବା ଜିଦରେ ଅଞ୍ଜଳି ଘରୁ ବାହାରି ଆସି ପ୍ରେମିକଙ୍କ ଘରେ ରହିଥିଲେ । ତେବେ ୩ ଦିନ ପରେ ଯୁବକ ଜଣକ ଅଞ୍ଜଳିଙ୍କ ବାପାଙ୍କୁ ଫୋନ କରି ଅଞ୍ଜଳି ଆତ୍ମହତ୍ୟା କରିଥିବା କହିଥିଲେ । ଖବର ପାଇ ପରିବାର ଲୋକେ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏନେଇ ଏକ ମାମଲା ରୁଜୁ କରି ଯୁବକଙ୍କ ଅଟକ ରଖିଛି ।

Get real time updates directly on you device, subscribe now.