fbpx

ରାଜ୍ୟ ସରକାରଙ୍କ ନୂଆ ପ୍ରୟାସ: ପ୍ରତିବର୍ଷ ରାଜ୍ୟର ୧ ଲକ୍ଷ ଯୁବକ ଯୁବତୀଙ୍କୁ ଦିଆଯିବ ଅତ୍ୟାଧୁନିକ ଦକ୍ଷତା ତାଲିମ୍

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରରେ ସମୃଦ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଏଣିକି ପ୍ରତିବର୍ଷ ରାଜ୍ୟର ୧ ଲକ୍ଷ ଯୁବକ ଯୁବତୀଙ୍କୁ ଯୁଗୋପଯୋଗୀ ଅତ୍ୟାଧୁନିକ ଦକ୍ଷତା ତାଲିମ୍ ଦିଅଯିବ । ଏଥିପାଇଁ ୩ ବର୍ଷ ପାଇଁ ୩୮୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ସୂଚନା ମୁତାବକ, ରାଜ୍ୟର ଯୁବକ ଯୁବତୀଙ୍କୁ ଦକ୍ଷ କରିବା ଲକ୍ଷ୍ୟରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଏକ ନୂଆ ପ୍ରୟାସ ଆରମ୍ଭ କରିଛି । ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ପିଲାଙ୍କୁ ଏହି ସୁବିଧା ପ୍ରଦାନ କରାଯିବ । ଆକାଂକ୍ଷୀ ଜିଲ୍ଲା, ଆଦିବାସୀ ଓ ଉପାନ୍ତ ଅଞ୍ଚଳକୁ ଅଗ୍ରାଧିକାର ପ୍ରଦାନ କରାଯିବ । ନୂଆ ଓଡ଼ିଶା ଯୋଜନାରେ ଯୁବକ ଯୁବତୀଙ୍କୁ ଉଚ୍ଚମାନର ଦକ୍ଷତା ତାଲିମ୍ ଦିଆଯିବା ସହିତ ଦକ୍ଷ ମାନବ ସମ୍ବଳର ଅଭାବ ପୂରଣ କରାଯିବ ।

ଏହି ଯୋଜନାକୁ ନିଯୁକ୍ତି ନିୟୋଜନ ନିର୍ଦ୍ଦେଶାଳୟ, ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ଓ ବିଶ୍ୱ ଦକ୍ଷତା କେନ୍ଦ୍ର କାର୍ଯ୍ୟକାରୀ କରିବେ । ଏଥିରେ ଡିଜିଟାଲ ଓ ଇକୋର୍ସ ରହିବା ସହିତ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାସ୍ତରରେ ଏକ କମିଟି ଗଠନ କରାଯିବ । ଯୁବକ ଯୁବତୀଙ୍କୁ ତାଲିମ ଦେବା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ସହଭାଗିତା କରାଯିବା ସହିତ ତାଲିମ୍ ନେଉଥିବା ପିଲାଙ୍କ ମଧ୍ୟରୁ ୯୦ ପ୍ରତିଶତଙ୍କୁ ନିଶ୍ଚିତ ନିଯୁକ୍ତି ପ୍ରଦାନ ନେଇ ବ୍ୟବସ୍ଥା କରାଯିବ । ଏହି ଯୋଜନା ବିଶେଷ କରି ସ୍କୁଲ ଡ୍ରପ୍ ଆଉଟ୍, ନିଟ୍ ଉତ୍ତୀର୍ଣ୍ଣ ହୋଇ ଗ୍ରାଜୁଏଟ ଇଞ୍ଜିନିୟରିଂ ଓ ପୋଷ୍ଟ ଗ୍ରାଜୁଏଟ ଇଞ୍ଜିନିୟରିଂ ପିଲାଙ୍କ ପାଇଁ ସହାୟକ ହେବ । ରାଜ୍ୟ ଓ ଜିଲ୍ଲାସ୍ତରର ଅଧିକାରୀ ତାଲିମ କେନ୍ଦ୍ରକୁ ନିୟମିତ ପରିଦର୍ଶନ କରିବା ସହିତ ତର୍ଜମା କରିବେ ।

Get real time updates directly on you device, subscribe now.