fbpx

DSS ତଥ୍ୟ ବଢ଼ାଇଲା ଚିନ୍ତା: ଭୂକମ୍ପ ଜୋନ-୨ ଓ ଜୋନ-୩ରେ ଓଡ଼ିଶାର ୩୦ଟି ଜିଲ୍ଲା, କେବେ କରାଯିବ ସତର୍କ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ମରକ୍କୋରେ ଭୂକମ୍ପରେ ପାଖାପାଖି ୩ ହଜାର ଲୋକଙ୍କର ଜୀବନ ହାନୀ ହେବା ସହିତ ହଜାର ହଜାର ଘରଦ୍ୱାର ଭାଙ୍ଗିରୁଜି ଯାଇଛି । ମରକ୍କୋରେ ୬.୮ ତୀବ୍ରତା ବିଶିଷ୍ଟ ଭୂକମ୍ପ ଦେଖାଦେଇଥିଲା । ସେହିପରି ସମାନ ତୀବ୍ରତା ବିଶିଷ୍ଟ ଭୂକମ୍ପ ଲିବ୍ୟାରେ ଦେଖାଦେଇଥିବା ବେଳେ ସେଠାରେ ୮ ହଜାରୁ ଅଧିକ ଲୋକଙ୍କର ଜୀବନ ଚାଲିଯାଇଛି । ଏଥିସହିତ ୭ ହଜାର ଲୋକ ଆହତ ହେବା ସହିତ ୩୦ ହଜାର ଲୋକ ବାସହରା ହୋଇଯାଇଥିଲେ ।

ଭାରତରେ ମଧ୍ୟ ଅତୀତରେ ଅନେକ ଭୟଙ୍କର ଭୂକମ୍ପ ଦେଖିବାକୁ ମିଳିଛି । ଗତ ୨୦୦୧ ମସିହାରେ ଗୁଜରାଟରେ ଏକ ବଡ଼ଧରଣର ଭୂକମ୍ପରେ ୧୩ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା । ଏଥିସହିତ ୨୦ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ । ସାଧାରଣ ଭାବେ ବନ୍ୟା, ବାତ୍ୟା ସହିତ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ନେଇ ସରକାରଙ୍କ ପକ୍ଷରୁ ଆଗୁଆ ସତର୍କ କରାଯାଇଥାଏ । ମାତ୍ର ଭୂକମ୍ପ ନେଇ ସେଭଳି କିଛି ସୂଚନା ଜାରି କରାଯାଇନଥାଏ । ତେଣୁ ଏଠାରେ ପ୍ରଶ୍ନ ଉଠୁଛି, ଓଡ଼ିଶାରେ ଯଦି ଏଭଳି ସ୍ଥିତି ଉପୁଜେ, ତେବେ କ’ଣ କରାଯିବ?

ପୂର୍ବରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏକାଧିକ ଥର ଭୂକମ୍ପ ଅନୁଭୂତ ହୋଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳ ଭୂକମ୍ପ କ୍ଷେତ୍ର ସହ ଜଡ଼ିତ ଥିବା ନିଷ୍ପତ୍ତି ସମର୍ଥନ ପ୍ରଣାଳୀ (ଡିଏସଏସ) ତଥ୍ୟରୁ ଜଣାପଡ଼ିଛି । ଭୂକମ୍ପ ବର୍ଗୀକରଣ ଅନୁଯାୟୀ ଦେଶକୁ ୨, ୩, ୪, ୫ ଏପରି ଭାବେ ୪ଟି ଜୋନରେ ବିଭକ୍ତ କରାଯାଇଥିବା ବେଳେ ଓଡ଼ିଶା ଜୋନ-୨ ଓ ଜୋନ-୩ ମଧ୍ୟରେ ରହିଛି । ଅର୍ଥାତ ଓଡ଼ିଶା କମ ଆପଦ ପ୍ରବଣ ଅଞ୍ଚଳରୁ ମଧ୍ୟମ ଆପଦପ୍ରବଣ ଅଞ୍ଚଳରେ ମଧ୍ୟରେ ରହିଛି ।

ରାଜ୍ୟର ୧୬ଟି ଜିଲ୍ଲା ଜୋନ-୩ ଓ ୧୪ଟି ଜିଲ୍ଲା ଜୋନ୨ ମଧ୍ୟରେ ଆସୁଛି । ଉପକୂଳବର୍ତ୍ତୀ ଅଞ୍ଚଳଠାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶାର ସମ୍ବଲପୁର ଓ ଉତ୍ତର ଓଡ଼ିଶାର ବାଲେଶ୍ୱର ଉଚ୍ଚ ବିପଦ ଅଞ୍ଚଳରେ ଆସୁଛି । ଦକ୍ଷିଣ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳର ଜୋନ-୨ରେ ଆସୁଛି । ଜୋନ-୩ରେ ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଯାଜପୁର, ଢେଙ୍କାନାଳ, କଟକ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ଆସୁଛି । ଏହି ସବୁ ଜୋନରେ ରିକ୍ସର ସ୍କେଲରେ ୭ ପର୍ଯ୍ୟନ୍ତ ଭୂକମ୍ପ ହେବାର ସମ୍ଭାବନା ରହିଛି । ଜୋନ-୩ରେ ରାଜ୍ୟର ଅଧିକାଂଶ ଅଞ୍ଚଳ ଆସୁଥିବାରୁ ଓଡ଼ିଶା ପ୍ରତି ଭୂକମ୍ପ ବିପଦ ରହିଥିବା କୁହାଯାଉଛି ।

ସେହିପରି ନୟାଗଡ଼, ବୌଦ୍ଧ, କେନ୍ଦୁଝର, ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ଆଦି ଜିଲ୍ଲା ଜୋନ-୨ରେ ଆସୁଛି । ଏହି ଜୋନରେ ରିକ୍ଟର ସ୍କେଲରେ ସର୍ବାଧିକ ୪ ପର୍ଯ୍ୟନ୍ତ ଭୂକମ୍ପ ହୋଇପାରେ । ତେବେ ଜୋନ-୨ରେ ଭୂକମ୍ପ ହେଲେ ବ୍ୟାପକ ଘରଦ୍ୱାର, ଧନଜୀବନ କ୍ଷତିର ସମ୍ଭାବନା ରହିଛି । ତେବେ ଓଡ଼ିଶାରେ ଅଧିକ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇନଥିଲେ ହେଁ ଏନେଇ ଆଗୁଆ ପଦକ୍ଷେପ ଗ୍ରହଣ କରାଯିବା ନିହାତି ଜରୁରୀ ।

Get real time updates directly on you device, subscribe now.