fbpx

ଚିତ୍ରକୋଣ୍ଡା ଅଞ୍ଚଳରୁ ୩୨୫ କିଲୋ ଗଞ୍ଜେଇ ସହ ୨ଟି କାର୍ ଓ ୩ଟି ବାଇକ୍ ଜବତ, ୩ ଗିରଫ

ମାଲକାନଗିରି (ଭାସ୍କର ନ୍ୟୁଜ୍): ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ରାଜାବନ୍ଧ ନିକଟରୁ ଚଢ଼ଉ କରି ପୋଲିସ ବିପୁଳ ପରିମାଣର ଗଞ୍ଜେଇ ସହ ୨ଟି କାର ଓ ଅନେକ କାଗଜପତ୍ର ଜବତ କରିଛି। ଏଥିରେ ସଂପୃକ୍ତ ୩ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି ।

ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡା ଥାନା ଭାରପ୍ରାପ୍ତ ନିରୀକ୍ଷକ ଏସ.ପି ନାୟକଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ ଶନିବାର ଡାଇକ -୧ ଗ୍ରାମ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ ଡାଇକ-୨ ନିକଟସ୍ଥ ରାଜାବନ୍ଧ ଗ୍ରାମ ନିକଟରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ପାଇଥିଲେ । ପୋଲିସ ଦଳ ସେଠାରେ ପହଞ୍ଚିବା ବେଳେ ଏକ ଏକ୍ସ.ୟୁ.ଭି -୫୦୦ କାରରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା । ଏଥିସହ ସେଠାରେ ଆଉ ଏକ କାର ସହ ୩ ଟି ବାଇକ ମଧ୍ୟ ଥିଲା । ପରେ ପୋଲିସ ଏକ୍ସ.ୟୁ.ଭି କାର, ସ୍ୱିଫ୍ଟ ଡିଜାଇର କାର, ୩ ଟି ବାଇକ, ୮ ଟି ମୋବାଇଲ, ଏ.ଟି.ଏମ ଓ ଆଧାର କାର୍ଡ ସହ ୧୩ଟି ପ୍ୟାକେଟରେ ୩୨୫ କିଲୋଗ୍ରାମ ୩୯୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି । ପୋଲିସର ତଦନ୍ତ ବେଳେ ଅଭିଯୁକ୍ତମାନେ ଚିତ୍ରକୋଣ୍ଡାର ଡାଇକ-୨ରୁ ଗଞ୍ଜାମକୁ ଏହି ଗଞ୍ଜେଇ ଚୋରା ଚାଲାଣ କରୁଥିବା ପ୍ରକାଶ କରିଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ମାଲକାନଗିରି ଜିଲ୍ଲାର ଓ.ସି.ସି କଲୋନୀର ଝିନୁ ଖିଲ, ପାୱାର ହାଉସ କଲୋନୀର ଦୀପକ ଖିଲ ଓ ଗଞ୍ଜାମ ଜିଲ୍ଲାର କୋର୍ଟ କଲୋନୀର ନିଲାଞ୍ଚଳ ପାଢ଼ୀ ବୋଲି ଜଣାପଡ଼ିଛି । ଅଭିଯୁକ୍ତଙ୍କ ନାମରେ ଚିତ୍ରକୋଣ୍ଡା ଥାନାରେ ଏକ ମାମଲା ରୁଜୁ କରିଥିବା ଚିତ୍ରକୋଣ୍ଡା ଏସ.ଡି.ପି.ଓ ଅଂଶୁମାନ ଦ୍ୱିବେଦୀ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.