fbpx

ରାଜ୍ୟ କ୍ୟାବିନେଟ: ୩୩ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଏକାଧିକ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ଆଜିର କ୍ୟାବିନେଟ ବୈଠକରେ ୩୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ବନ୍ୟା ନିୟନ୍ତ୍ରଣ ପାଇଁ ୨ ଶହ କୋଟି ବ୍ୟୟରେ ବୈତରଣୀ ନଦୀରେ ୨ଟି ବ୍ୟାରେଜ ନିର୍ମାଣ କରାଯିବା ନେଇ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏହି ବ୍ୟାରେଜ ନିର୍ମାଣ କରାଯିବା ଫଳରେ ଭଦ୍ରକ ଜିଲ୍ଲାର ଧାମନଗର ଓ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ଜନସାଧାରଣ ସୁଫଳ ପାଇବେ ।

ଏଥିସହିତ ବଲାଙ୍ଗିର ଲୋୟର ସୁକତେଲ ପ୍ରକଳ୍ପ ଭୂତଳ ଜଳଯୋଗାଣ ପ୍ରକଳ୍ପ ଉପରେ କ୍ୟାବିନେଟ ମୋହର ବାଜିଛି । ଏହି ପ୍ରକଳ୍ପ ଦ୍ୱାରା ୧୩ ହଜାର ହେକ୍ଟର ଜମିକୁ ଜଳଯୋଗାଣ କରାଯିବା ସହ ଏଥିପାଇଁ ୬୩୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ, ଭୁବନେଶ୍ୱର ଏବଂ କୁଲୁଣ୍ଡି (ସମ୍ବଲପୁର)ରେ କ୍ରୀଡ଼ା ଛାତ୍ରବାସ ଶିକ୍ଷାର୍ଥୀଙ୍କ ପାଇଁ ନାମଲେଖାରେ ସଂରକ୍ଷଣ ପାଇଁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି ।

ପର୍ଯ୍ୟଟନ କ୍ଷେତ୍ରକୁ ଉନ୍ନତମାନର କରିବା ପାଇଁ ‘ଓଡ଼ିଶା ପର୍ଯ୍ୟଟନ ସେବା’ ବର୍ଗକୁ ପୁନର୍ଗଠନ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଓଡ଼ିଶା ପ୍ରଶାସନିକ ସେବା ବର୍ଗର ଗୋଟିଏ ଅଂଶ ଭାବେ ପରିଗଣିତ ହେଉଥିବା ଓଡ଼ିଶା ସମବାୟ ସେବାବର୍ଗର ପଦବୀ ସଂଖ୍ୟା ୧୨୨ରୁ ୨୦୩କୁ ବୃଦ୍ଧି କରାଯିବ । ଓଡ଼ିଶା ଅଧସ୍ତନ ସମବାୟ ସେବା ବର୍ଗର ପୁନର୍ଗଠନ କରାଯିବ । ଓଡ଼ିଶା ସମବାୟ ସମୀକ୍ଷକ ବର୍ଗ ନାମରେ ଏକ ନୂତନ ବର୍ଗର ସଂଗଠନ ଓ ପୁନର୍ଗଠନ କରାଯିବ ।

ଓଡ଼ିଶା ଅବକାରୀ କ୍ୟାଡରର ପୁନର୍ଗଠନ ହେବ । ଓଡ଼ିଶା ବେସାମରିକ ସେବା (ସଂଯୁକ୍ତ ପ୍ରତିଯୋଗିତାମୂଳକ ମୁକରିର୍ ପରୀକ୍ଷା) ନିୟମାବଳୀ, ୧୯୯୧ର ସଂଶୋଧନ ହେବ । ଦୁଇଜଣ ସାମ୍ବାଦିକଙ୍କୁ ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ଦିଆଯିବ । ଓଡ଼ିଶା ବେସାମରିକ ସେବା (ପଦୋନ୍ନତି ପାଇଁ ମାନଦଣ୍ଡ) ନିୟମାବଳୀ, ୧୯୯୨ ଓ ଓଡ଼ିଶା ଜିଲ୍ଲା ଆରକ୍ଷୀ ଅମଲା ସେବା ନିୟମାବଳୀ, ୨୦୨୧, ଓଏସଜେଏସ ଓ ଓଜେଏସ ନିୟମାବଳୀ, ୨୦୦୭ରେ ସଂଶୋଧନ ହେବ । କୋଭିଡ-୧୯ ନିୟନ୍ତ୍ରଣ ପାଇଁ ଗଠିତ ମନ୍ତ୍ରୀସ୍ତରୀୟ କମିଟିକୁ ମଞ୍ଜୁରୀ ।

Get real time updates directly on you device, subscribe now.