fbpx

MLA Assets: ଦେଶର ୪୦୦୧ ଜଣ ବିଧାୟକଙ୍କ ସମ୍ପତ୍ତି ତିନୋଟି ରାଜ୍ୟର ବଜେଟରୁ ଅଧିକ, କେଉଁ ପାର୍ଟିର ବିଧାୟକ ବେଶୀ ଧନୀ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶରେ ରହିଥିବା ସମସ୍ତ ବିଧାୟକଙ୍କର ମୋଟ ସମତ୍ତିକୁ ନେଇ ଏକ ରିପୋର୍ଟ ଆସିଛି । ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଓ ନ୍ୟାସନାଲ ଇଲେକ୍ସନ ୱାଚ (ଏନଇଡବ୍ଲୁ) ପକ୍ଷରୁ ଏହି ରିପୋର୍ଟ ଜାରି କରାଯାଇଛି । ରିପୋର୍ଟରେ ବିଧାୟକମାନେ ଶେଷ ଥର ନିର୍ବାଚନ ଲଢ଼ିବା ପୂର୍ବରୁ ଦାଖଲ କରିଥିବା ତଥ୍ୟକୁ ସାମିଲ କରାଯାଇଛି । ମୋଟ ୪୦୩୩ ଜଣ ବିଧାୟକଙ୍କ ମଧ୍ୟରୁ ୪୦୦୧ ଜଣ ବିଧାୟକଙ୍କ ତଥ୍ୟକୁ ବିଶ୍ଲେଷଣ କରାଯାଇଛି ।

ରିପୋର୍ଟ ମୁତାବକ, ୪୦୦୧ ଜଣ ବିଧାୟକଙ୍କ ମୋଟ ସମ୍ପତ୍ତି ୫୪,୫୪୫ କୋଟି ଟଙ୍କା, ଯାହାକି ନାଗାଲାଣ୍ଡ, ମିଜୋରାମ ଓ ସିକିମର ୨୦୨୩-୨୪ ବର୍ଷର ମୋଟ ବାର୍ଷିକ ବଜେଟଠାରୁ ଅଧିକ ଅଟେ । ଏହି ବିଧାୟକଙ୍କ ମଧ୍ୟରୁ ବିଜେପିର ୧୩୫୬ ଜଣ ବିଧାୟକଙ୍କ ନିକଟରେ ୧୬,୨୩୪ କୋଟି, ୭୧୯ ଜଣ କଂଗ୍ରେସ ବିଧାୟକଙ୍କ ନିକଟରେ ୧୫,୭୯୮ କୋଟି ଟଙ୍କାର ସମ୍ପତ୍ତି ରହିଛି । ୨୦୨୩-୨୪ରେ ଏହି ୩ଟି ରାଜ୍ୟର ମିଳିତ ବାର୍ଷିକ ବଜେଟ ୪୯,୧୦୩ କୋଟିରୁ ଅଧିକ ଅଟେ । ସେଥିମଧ୍ୟରୁ ନାଗାଲାଣ୍ଡର ବାର୍ଷିକ ବଜେଟ ୨୩,୦୮୬ କୋଟି, ମିଜୋରାମର ୧୪,୨୧୦ କୋଟି ଓ ସିକିମର ୧୧,୮୦୭ କୋଟି ରହିଛି ।

ବିଜେପି ଓ କଂଗ୍ରେସର ବିଧାୟକଙ୍କ ବ୍ୟତୀତ ୱାଇଏସଆରସିପିର ୧୪୬ ଜଣ ବିଧାୟକଙ୍କ ନିକଟରେ ୩,୩୭୯ କୋଟି, ଡିଏମକେର ୧୩୧ ଜଣ ବିଧାୟକଙ୍କ ନିକଟରେ ୧,୬୬୩ କୋଟି, ଆପର ୧୬୧ ଜଣ ବିଧାୟକଙ୍କ ନିକଟରେ ୧୬୪୨ କୋଟି, ୮୪ଟି ରାଜନୈତିକ ଓ ସ୍ୱାଧୀନ ବିଧାୟକଙ୍କ ମୋଟ ସମ୍ପତ୍ତିର ଆଭରେଜ ୧୩.୬୩ କୋଟି ଟଙ୍କା । ବିଜେପିର ୧୩୫୬ ଜଣ ବିଧାୟକଙ୍କ ସମ୍ପତ୍ତିର ଆଭରେଜ ପରିମାଣ ୧୧.୯୭ କୋଟି ହୋଇଥିବା ବେଳେ କଂଗ୍ରେସର ୭୧୯ ଜଣ ବିଧାୟକଙ୍କର ସମ୍ପତ୍ତିର ଆଭରେଜ ପରିମାଣ ୨୧.୯୭ କୋଟି ।

୨୨୭ ଜଣ ଟିଏମସି ବିଧାୟକଙ୍କର ଆଭରେଜ ସମ୍ପତ୍ତି ୩.୫୧ କୋଟି, ୧୬୧ ଜଣ ଆପ ବିଧାୟକଙ୍କର ଆଭରେଜ ସମ୍ପତ୍ତି ୧୦.୨୦ କୋଟି, ୧୪୬ ଜଣ ୱାଇଏସଆରସିପି ବିଧାୟକଙ୍କର ଆଭରେଜ ସମ୍ପତ୍ତି ୨୩.୧୪ କୋଟି ରହିଛି । କର୍ଣ୍ଣାଟକର ୨୨୩ ଜଣ ବିଧାୟକଙ୍କର ମୋଟ ସମ୍ପତ୍ତି ୧୪,୩୫୯ କୋଟି, ମହାରାଷ୍ଟ୍ରର ୨୮୪ ଜଣ ବିଧାୟକଙ୍କର ମୋଟ ସମ୍ପତ୍ତି ୬,୬୭୯ କୋଟି, ଆନ୍ଧ୍ରପ୍ରଦେଶର ୧୭୪ ଜଣ ବିଧାୟକଙ୍କର ମୋଟ ସମ୍ପତ୍ତି ୪,୯୧୪ କୋଟି ।

୨୮ଟି ରାଜ୍ୟର ବିଧାନସଭା ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର ୪୦୦୧ ଜଣ ବିଧାୟକଙ୍କୁ ନେଇ ଏହି ରିପୋର୍ଟ ଜାରି କରାଯାଇଛି । ସେଥିରେ ୮୪ଟି ରାଜନୈତିକ ଦଳ ଓ ସ୍ୱାଧୀନ ବିଧାୟକଙ୍କ ତଥ୍ୟ ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.