fbpx
BJD SKY
BJD SKY

ସର୍ଭେରୁ ବଡ଼ ଖୁଲାସା: ଗତ ୧୨ ମାସ ମଧ୍ୟରେ ୪୫ ପ୍ରତିଶତ ଭାରତୀୟ ଚାଇନିଜ୍ ସାମଗ୍ରୀ କିଣି ନାହାନ୍ତି

BJD

ନୂଆଦିଲ୍ଲୀ: ଭାରତର ଲୋକଙ୍କ ମଧ୍ୟରେ ଚୀନ ବିରୋଧୀ ଭାବନା ବଢ଼ିବାରେ ଲାଗିଛି । ଗତ ୧୨ ମାସ ମଧ୍ୟରେ ୪୫ ପ୍ରତିଶତ ଭାରତୀୟ ଚାଇନିଜ୍ ସାମଗ୍ରୀ କ୍ରୟ କରିନାହାନ୍ତି । ଏଥିସହିତ ଇ-ବାଣିଜ୍ୟ, ଗେମିଂ ଫଟୋ ଏଡିଟିଂ ଓ ସୋସିଆଲ ନେଟୱାର୍କିଂ ପାଇଁ ପାଖାପାଖି ୬୪ ପ୍ରତିଶତ ଭାରତୀୟ ବର୍ଷକ ମଧ୍ୟରେ ସେମାନଙ୍କର ଫୋନରେ ଚାଇନିଜ ଆପର ବ୍ୟବହାରକୁ ବର୍ଜନ କରିଥିବା ଏକ ସର୍ଭେରୁ ଜଣାପଡ଼ିଛି ।

ନିକଟରେ ଲୋକାଲ ସର୍କଲ୍ସ ପକ୍ଷରୁ ଏକ ସର୍ଭେ ମୁତାବକ, ଗତ ୧୨ ମାସ ମଧ୍ୟରେ ୪୫ ପ୍ରତିଶତ ଭାରତୀୟ ଚୀନ ସାମଗ୍ରୀକୁ କ୍ରୟ କରି ନଥିବା ଜଣାପଡ଼ିଛି । ସେହିପରି ୫୫ ପ୍ରତିଶତ ଲୋକ ଚୀନ ନିର୍ମିତ ସାମଗ୍ରୀ ବ୍ୟବହାର କରିଥିବା କହିଛନ୍ତି । ମୋଟ ୭୦୨୨ ଜଣଙ୍କ ମଧ୍ୟରୁ ୫୬ ପ୍ରତିଶତ ସ୍ମାର୍ଟଫୋନ, ସ୍ମାର୍ଟ ୱାଚ, ପାୱାର ବ୍ୟାଙ୍କସ ଅନ୍ୟ ବୈଦ୍ୟୁତିକ ସାମଗ୍ରୀ, ମୋବାଇଲ ଆସେସିରିଜ କ୍ରୟ କରିଥିବା ବେଳେ ୪୯ ପ୍ରତିଶତ ‘ଫେଷ୍ଟିଭାଲ ଲାଇଟିଂ, ଲ୍ୟାମ୍ପସ, ମହମବତୀ, ୱାଟର ଗନ୍ସ କ୍ରୟ କରିଥିଲେ ।

ସେହିପରି ୩୩ ପ୍ରତିଶତ ଟଏଜ ଓ ଷ୍ଟେସିନେରୀ, ୨୯ ପ୍ରତିଶତ ଗିଫ୍ଟ ସାମଗ୍ରୀ, ୨୬ ପ୍ରତିଶତ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଓ ଆପ୍ଲିଆନ୍ସେସ (ଟେଲିଭିଜନ, ଏୟାର ପୁରିଫାୟର, କେଟଲ), ୨୬ ପ୍ରତିଶତ ଲାଇଟିଂ ଓ ଫର୍ଣ୍ଣିଚର ପରି ଗୃହ ସାମଗ୍ରୀ ଓ ୧୫ ପ୍ରତିଶତ ଲୋକ ଆପାରେଲ୍ସ, ବ୍ୟାଗ୍ସ, ଆସେସିରିଜ୍ ପରି ଫେଶନ ସାମଗ୍ରୀ କ୍ରୟ କରିଥିବା କହିଥିଲେ । ସେହିପରି ୧୨,୩୫୦ ଜଣଙ୍କ ମଧ୍ୟରୁ ୬୩ ପ୍ରତିଶତ ଭାରତ-ଚୀନ ଭୂ-ରାଜନୈତିକ ବିକାଶ କାରଣରୁ ଅଧିକ ମେଡ୍ ଇନ୍ ଇଣ୍ଡିଆ ସାମଗ୍ରୀ କିଣୁଥିବା କହିଛନ୍ତି । ଭାରତୀୟ ସାମଗ୍ରୀରେ ମୂଲ୍ୟ-ଗୁଣବତ୍ତା ରହିଥିବା ୧୬ ପ୍ରତିଶତ କହିଥିବା ବେଳେ ଅଣଚାଇନା ସାମଗ୍ରୀର ବିକଳ୍ପ ଭାବେ ଅଣଭାରତୀୟ ସାମଗ୍ରୀ ଉପଲବ୍ଧ ଥିବା ୧୩ ପ୍ରତିଶତ କହିଛନ୍ତି ।

ସେହିପରି ଅନଲାଇନ ବା ଷ୍ଟୋରରେ ଚୀନ ସାମଗ୍ରୀ ଉପଲବ୍ଧ ନଥିବା ୭ ପ୍ରତିଶତ କହିଛନ୍ତି । ସୂଚନାଯୋଗ୍ୟ ଯେ, ବେଆଇନ ନିବେଶ ସମ୍ପର୍କିତ ଅର୍ଥନୈତିକ ଅପରାଧ କାରଣରୁ ଭାରତ ଚୀନର ୧୦୦ରୁ ଅଧିକ ୱେବସାଇଟକୁ ବ୍ୟାନ କରିଥିଲା । ଏଥିସହିତ ଭାରତର ସାର୍ବଭୌମତ୍ୱ, ଅଖଣ୍ଡତା, ପ୍ରତିରକ୍ଷା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପାଖାପାଖି ୨୫୦ଟି ଆପକୁ ମଧ୍ୟ ବ୍ଲକ କରାଯାଇଥିଲା । ଚାଇନିଜ ଆପକୁ ନେଇ ଚେତାବନୀ ଜାରି କରାଯିବା ପଛରେ ମେକ୍ ଇନ୍ ଇଣ୍ଡିଆକୁ ଗୁରୁତ୍ୱ ଦେବା ଭାରତ ସରକାରଙ୍କ ଉଦ୍ଦେଶ୍ୟ ରହିଥିଲା ।

Get real time updates directly on you device, subscribe now.