fbpx

ଭଲ ଖେଳାଳି ଥାଇ ବି କାହିଁକି ହାରିଲା ହାଇଦ୍ରାବାଦ: କୋଲକତାକୁ ବିଜୟୀ କରାଇଲା ୫ଟି ବଡ଼ ଟର୍ଣ୍ଣିଂ ପଏଣ୍ଟ

ନୂଆଦିଲ୍ଲୀ: ଚଳିତ ଆଇପିଏଲ ୨୦୨୪ର କ୍ୱାଲିଫାୟର-୧ ମୁକାବିଲାରେ ବାଜି ମାରି ନେଇଛି କୋଲକତା ନାଇଟ୍ ରାଇଡର୍ସ (କେକେଆର) । ଅନ୍ୟପଟେ ଦଳରେ ବଡ଼ ବଡ଼ ବ୍ୟାଟ୍ସମ୍ୟାନ ଥାଇ ବି ଠିକଣା ସମୟରେ ଦଳ ଧରାଶାୟୀ ହୋଇଛି । ଏହି ମ୍ୟାଚରେ ବିଜୟ ପରେ କୋଲକତା ଫାଇନାଲକୁ ପ୍ରବେଶ କରି ସାରିଥିବା ବେଳେ ଆଜି ଖେଳା ଯିବାକୁ ଥିବା ରାଜସ୍ଥାନ ଓ ବେଙ୍ଗାଲୁରୁ ମ୍ୟାଚର ବିଜେତା ସହିତ ହାଇଦ୍ରାବାଦ ଖେଳିବ । ତେବେ ଏହି ମ୍ୟାଚରେ କୋଲକତାର ବିଜୟ ପଛରେ ରହିଛି ୫ ବଡ଼ କାରଣ ।

୧- ଚଳିତ ଟୁର୍ଣ୍ଣାମେଣ୍ଟରେ ପାୱାରପ୍ଲେ ହାଇଦ୍ରାବାଦ ପାଇଁ ବରଦାନ ସାଜିଥିବା ବେଳେ କୋଲକତା ବିପକ୍ଷରେ ଟ୍ରେଭିସ ହେଟ (୦), ଅଭିଷେକ ଶର୍ମା (୩) ରନରେ ଆଉଟ୍ ହେବା ଦଳକୁ ବଡ଼ ଝଟକା ଦେଇଥିଲା । ଫଳରେ କ୍ୱାଲିଫାୟର-୧ ପରି ଏକ ହାଇଭୋଲଟେଜ୍ ମୁକାବିଲାରେ ଦଳ ମାତ୍ର ୧୫୯ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ।

୨- ମିଚେଲ ଷ୍ଟାର୍କ ଓ ବୈଭବ ଅରୋରା ହାଇଦ୍ରାବାଦର ଅଣ୍ଟା ଭାଙ୍ଗିଦେଇଥିଲେ । ଫଳରେ ଦଳ ମାତ୍ର ୧୩ ରନରେ ୨ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ ହରାଇ ବଡ଼ ସଙ୍କଟରେ ପଡ଼ିଯାଇଥିଲା । ରାହୁଲ ତ୍ରିପାଠୀ ୫୫ ରନ୍ ସଂଗ୍ରହ କରି ଦଳକୁ ସମ୍ଭାଳିଥିଲେ ହେଁ ପରବର୍ତ୍ତୀ ବ୍ୟାଟ୍ସମ୍ୟାନ ନୀତୀଶ କୁମାର ରେଡ୍ଡୀ (୯) ଓ ଶାହବାଜ ଅହମଦ (୧) ମଧ୍ୟ ଷ୍ଟାର୍କଙ୍କ ଶିକାର ହୋଇଥିଲେ । ଫଳରେ ୩୯ ରନରେ ଦଳ ୪ଟି ୱିକେଟ ହରାଇ ବ୍ୟାକଫୁଟକୁ ଚାଲିଯାଇଥିଲା ।

୩- ରାହୁଲ ତ୍ରିପାଠୀଙ୍କର ଏକ ଏଲବିଡବ୍ଲ୍ୟୁ ଆଉଟ୍ ଥିଲା ମାତ୍ର କେକେଆର ରିଭ୍ୟୁ ନେଇନଥିଲା । ରାହୁଲ ସେହି ଆଉଟ୍ ହୋଇଥିଲେ ହାଇଦ୍ରାବାଦର ଅବସ୍ଥା ଆହୁରି ମୁସ୍କିଲ ହୋଇଯାଇଥାନ୍ତା । ପୂରା ମ୍ୟାଚକୁ କୋଲକତା ଏକପ୍ରକାର କବଜା କରିନେଇଥିଲା ।

୪- ଡେଥ୍ ଓଭରରେ ମଧ୍ୟ ହାଇଦ୍ରାବାକୁ ନିସ୍ତାର ମିଳିନଥିଲା । ଦଳ ଶେଷ ୫ ଓଭରରେ ମାତ୍ର ୩୪ ରନ୍ ସଂଗ୍ରହ କରିପାରିଥିଲା । କ୍ଲାସେନ (୩୨) ମଧ୍ୟ ଜରୁରୀ ସମୟରେ ସେତେଟା କମାଲ କରିପାରିନଥିଲେ । ତେଣୁ ହାଇଦ୍ରାବାଦର ଲୋୟର ଅର୍ଡର କେକେଆର ଆଗରେ ସରେଣ୍ଡର କରିଦେଇଥିଲେ ।

୫- ବୋଲିଂ ପରେ ବ୍ୟାଟିଂରେ ବି କୋଲକତା କମାଲ କରି ପ୍ରଥମ ୨୦ଟି ବଲରେ ୪୪ ରନ ସଂଗ୍ରହ କରିନେଇଥିଲା । ପରେ ୱିକେଟ ପଡ଼ିଥିଲେ ବି ଦଳ ଉପରେ ତା’ର ପ୍ରଭାବ ପଡ଼ିନଥିଲା । ଦୁର୍ବଳ ବ୍ୟାଟିଂ ପରେ ହାଇଦ୍ରାବାଦ ଦୁର୍ବଳ ବୋଲିଂର ପରିଚୟ ଦେଇଥିଲା ।

Get real time updates directly on you device, subscribe now.