ଆସନ୍ତାକାଲି ବିହାରରେ ଫ୍ଲୋରଟେଷ୍ଟ ହେଲେ ନୀତିଶଙ୍କ କ୍ୟାମ୍ପରୁ ୫ ବିଧାୟକ ଗାଏବ

ପାଟନା: ଆସନ୍ତାକାଲି ହେବାକୁ ଥିବା ବିହାର ଫ୍ଲୋର୍ ଟେଷ୍ଟ ପାଇଁ ରାଜ୍ୟ ରାଜନୀତି ବେଶ ସରଗରମ ରହିଛି। ଏଥିପାଇଁ ଶାସକ ଦଳ ଏବଂ ବିରୋଧୀ ଦଳ ନିଜ ନିଜ ବିଧାୟକଙ୍କୁ ଏକତ୍ର କରିବାରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଏହି ଫ୍ଲୋର୍‌ ଟେଷ୍ଟ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି, ନୀତିଶଙ୍କ କ୍ୟାମ୍ପରୁ ୫ ବିଧାୟକ ଗାଏବ ଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ ମନ୍ତ୍ରୀ ବିଜୟ ଚୌଧୁରୀଙ୍କ ବାସଭବନରେ ଚାଲିଥିବା ଜେଡିୟୁ ବୈଠକରେ ଏପର୍ୟ୍ୟନ୍ତ ୫ଜଣ ବିଧାୟକ ପହଞ୍ଚି ନାହାଁନ୍ତି। ସୂଚନାନୁସାରେ, ଜେଡିୟୁ ବିଧାୟକ ଡକ୍ଟର ସଞ୍ଜୀବ କୁମାର, ବିମା ଭାରତୀ, ମନୋଜ ଯାଦବ, ଦିଲୀପ ରାୟ ଏବଂ ସୁଦର୍ଶନ ଏପର୍ୟ୍ୟନ୍ତ ଜେଡିୟୁ ବୈଠକରେ ପହଞ୍ଚି ନାହାଁନ୍ତି। କିନ୍ତୁ ଅନ୍ୟପଟେ ଏହି ବୈଠକରେ ଫ୍ଲୋର ଟେଷ୍ଟକୁ ନେଇ ଦମ୍ଭୋକ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସେ କହିଛନ୍ତି ଯେ ଆମେ ସଂଖ୍ୟାଗରିଷ୍ଠତା ସହଜରେ ପାଇବୁ, ଚିନ୍ତା କରିବାର କିଛି ନାହିଁ।

ସୂଚନା ଥାଉକି, ମନ୍ତ୍ରୀ ବିଜୟ ଚୌଧୁରୀଙ୍କ ଘରେ ଚାଲିଥିବା ବୈଠକରେ ଜେଡିୟୁ ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଂଶଗ୍ରହଣ କରିଛନ୍ତି। ଏହା ସହ ମୋଟ ୩୭ ଜଣ ଜେଡିୟୁ ବିଧାୟକ ଏହି ବୈଠକରେ ପହଞ୍ଚିଛନ୍ତି। କିନ୍ତୁ ୫ ଜଣ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ରାଜନୀତି ମହଲରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସେପଟେ ମୁଖ୍ୟ ବିରୋଧୀ ଆରଜେଡି ନିଜର କ୍ୟାମ୍ପ ସଜାଡ଼ିବାରେ ଲାଗିଥିବା ବେଳେ ଜେଡିୟୁ କ୍ୟାମ୍ପରୁ ବିଧାୟକ କମିବାରେ ଲାଗିଛନ୍ତି। ଯାହାକୁ ନେଇ କୁହାଯାଉଛି ଯେ, ବିହାରରେ ଏନଡିଏକୁ ଝଟକା ଲାଗିପାରେ।

Get real time updates directly on you device, subscribe now.