fbpx

(Video) ଚେନ୍ନାଇର ଭୟଙ୍କରୀ ବନ୍ୟାରେ ୫ ଜଣଙ୍କ ମୃତ୍ୟୁ: ପରିଚୟ ଖୋଜୁଛି ୨ ମୃତଦେହ

ନୂଆଦିଲ୍ଲୀ: ବାତ୍ୟା ମିଗଜୋମ୍ ପ୍ରଭାବରେ ଚେନ୍ନାଇ ଓ ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳ ଏବେ ପାଣି ଘେରରେ ବନ୍ଦୀ ହୋଇ ରହିଛି । ତେବେ ଏହି ବନ୍ୟାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ଦେଇଛି ଗ୍ରେଟର ଚେନ୍ନାଇ ପୋଲିସ । ବନ୍ୟା ଜନିତ ବିଭିନ୍ନ ଦୁର୍ଘଟଣାରେ ଏହି ୫ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି । ତେବେ ଏମାନଙ୍କ ମଧ୍ୟରୁ ୨ ଜଣ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣଙ୍କ ଉପରେ ଗଛ ପଡ଼ିଯିବାର ସେ ପ୍ରାଣ ହରାଇଛନ୍ତି । ତେବେ ମୃତକମାନଙ୍କ ପରିଚୟ ଖୋଜି ପାଇବାରେ ସଫଳ ହୋଇଛି ଚେନ୍ନାଇ ପୋଲିସ । ସେମାନଙ୍କ ମଧ୍ୟରୁ ପଦ୍ମନାଭନ, ଗଣେଶନ୍ ଏବଂ ମୁରୁଗାନ୍ ନାମକ ୩ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଚିହ୍ନଟ କରିବାକୁ ପ୍ରୟାସ ଜାରି ରହଛି ।

ତେବେ ଡିଣ୍ଡିଗୁଲ ଅଞ୍ଚଳର ପଦ୍ମନାଭନ ଏବଂ ଥୁରାଇପୁକ୍କମର ଗଣେଶନ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି । ତେବେ ପଦ୍ମନାଭନଙ୍କ ମୃତଦେହ ଲୋନ୍ ସ୍କୋୟାର ରୋଡ ନିକଟରେ ଉଦ୍ଧାର ହୋଇଥିବା ବେଳେ ଗଣେଶନ୍ ତାଙ୍କ ଘର ପାଖରେ ହିଁ ପ୍ରାଣ ହରାଇଛନ୍ତି । ସେହିପରି ବସନ୍ତନଗରର ମୁରୁଗାନ୍ ଯାଉଥିବା ସମୟରେ ତାଙ୍କ ଉପରେ ହଠାତ୍ ଏକ ଗଛ ଖସି ପଡ଼ିଥିଲା, ଫଳରେ ସେ ଘଟଣାସ୍ତଳରେ ମୃତ୍ୟୁବରଣ କରିଛନ୍ତି ।

ଏହାବ୍ୟତୀତ ବୈଦ୍ୟନାଥନ୍ ଫ୍ଲାଏଓଭର ନିକଟରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ଶବ ଉଦ୍ଧାର କରାଯାଇଛି ଏବଂ ଫୋରଶୋର ଇଷ୍ଟେଟ ବସ ଡିପୋ ନିକଟରେ ଜଣେ ବୃଦ୍ଧାଙ୍କ ଶବ ଉଦ୍ଧାର କରିଛି ପୋଲିସ । ତେବେ ଏହି ଦୁଇ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରିନାହିଁ । ତେବେ ପୋଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ରବିବାର ସନ୍ଧ୍ୟାରେ ଘୂର୍ଣ୍ଣିବଳୟ ମିଗଜୋମ୍ ପ୍ରଭାବରେ ପ୍ରବଳ ବର୍ଷାରେ ବେହାଲ ହୋଇଛି ଚେନ୍ନାଇ ସହର । ବର୍ଷା ଯୋଗୁଁ ସହରର ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଜିସିପିର ଜିଲ୍ଲା ବିପର୍ୟ୍ୟୟ ମୁକାବିଲା ଦଳ (DDRTs) ବନ୍ୟା ପ୍ରଭାବିତ ଅନେକ ଅଞ୍ଚଳରୁ ପ୍ରାୟ ୩୦୦ ଲୋକଙ୍କୁ ଉଦ୍ଧାର କରିଥିଲେ, ସେମାନଙ୍କ ମଧ୍ୟରେ ନବଜାତ ଶିଶୁ ଏବଂ ସାଲିଗ୍ରାମରୁ ଜଣେ ମାଆ ଉଦ୍ଧାର ହୋଇଛନ୍ତି। ମିଲାପୋର ପୋଲିସ୍ ସୀମାରେ ଗଣେଶପୁରମ୍, ସ୍ଲାଟରପୁରମ୍ ଏବଂ ଶାନମୁଗା ଛକରୁ ୨୨୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ପୋଲିସ ସୂଚନା ଦେଇଛି ।

ଚେନ୍ନାଇର ଅନେକ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ବାତ୍ୟା ମିଗଜୋମ୍ ପ୍ରଭାବରେ ୨୦ ସେମିରୁ ଅଧିକ ବର୍ଷା ହୋଇଥିଲା। ତେବେ ଆଜି ସକାଳ ୧୧:୩୦ ସମୟରେ ନେଲୋର ଏବଂ ମାଚିଲିପାଟନମ୍ ମଧ୍ୟରେ ଅବତରଣ କରିବା ପୂର୍ବରୁ ଏହା ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଦେଇ ଗତି କରିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.