fbpx

ATMରୁ ବାହାରିଲା ୫ଗୁଣା ଅଧିକ ଟଙ୍କା, ଖବର ପାଇଁ ଲୋକେ ଲଗାଇଲେ ଲମ୍ବା ଲାଇନ

ନାଗପୁର(ଓଡ଼ିଶା ଭାସ୍କର): କେମିତି ହୁଅନ୍ତା ଆପଣ ATMରୁ ଟଙ୍କା ଉଠାଇବାକୁ ଯାଇଛନ୍ତି ଆଉ ପାଞ୍ଚଗୁଣା ଅଧିକ ଟଙ୍କା ବାହାରି ଆସିବ। ଏପରି ସ୍ଥଳେ ଆପଣ ନିହାତି ଖୁସି ହେବେ। ଏହିପରି କିଛି ଘଟିଛି ମହାରାଷ୍ଟ୍ରର ନାଗପୁର ଅଂଚଳରେ। ଜଣେ ବ୍ୟକ୍ତି ଏଟିଏମରୁ ₹ ୫୦୦ ଟଙ୍କା ଉଠାଇବାକୁ ଚେଷ୍ଟା କଲାବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଏଟିଏମରୁ ଏକାଥରେ ପାଞ୍ଚଟି ୫୦୦ ଟଙ୍କିଆ ନୋଟ ବାହାରିଥିଲା।

ସେ ଏହି ପ୍ରକ୍ରିୟାକୁ ପୁନରାବୃତ୍ତି କଲେ ଏବଂ ₹ ୫୦୦ ଉଠାଇବାକୁ ଚେଷ୍ଟା କରିବା ପରେ ପୁଣି ୨୫୦୦ ଟଙ୍କା ବାହାରିଥିଲା। ନାଗପୁର ସହରଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ଖାପରଖଡା ସହରର ଏକ ଘରୋଇ ବ୍ୟାଙ୍କର ଅଟୋମେଟେଡ୍ ଟେଲର୍ ମେସିନ୍ (ଏଟିଏମ୍) ରେ ବୁଧବାର ଏହି ଘଟଣା ଘଟିଛି। ଧୀରେଧୀରେ ଏହି ଖବର ନିଆଁପରି ବ୍ୟାପିଗଲା ଏବଂ ଖୁବ୍ ଶୀଘ୍ର ନଗଦ ଟଙ୍କା ଉଠାଇବା ପାଇଁ ଏଟିଏମ୍ ବାହାରେ ଏକ ବିରାଟ ଜନସମାଗମ ହୋଇଥିଲା।

ବ୍ୟାଙ୍କର ଜଣେ ଗ୍ରାହକ ସ୍ଥାନୀୟ ପୋଲିସକୁ ସୂଚନା ଦେବା ପର୍ଯ୍ୟନ୍ତ ଏହା ଜାରି ରହିଥିଲା। ଏହା ପରେ ପୋଲିସ ATM ନିକଟରେ ପହଂଚି ଏହାକୁ ବନ୍ଦ କରି ଦେଇଥିଲା। ଖାପରଖଡା ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ ଏହା ପରେ ସେ ବ୍ୟାଙ୍କକୁ ସୂଚନା ଦେଇଥିଲେ। ସେ କହିଛନ୍ତି ଯେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ATMରୁ ଅତିରିକ୍ତ ନଗଦ ଟଙ୍କା ବାହାରିଥିଲା। ଅଧିକାରୀ କହିଛନ୍ତି ଯେ ଭୁଲରେ ୫୦୦ ଟଙ୍କିଆ ନୋଟ୍ ୧୦୦ଟଙ୍କା ଏଟିଏମ୍ ଟ୍ରେରେ ରହିଯାଇଥିଲା। ସେ କହିଛନ୍ତି ଯେ ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇନାହିଁ।

Get real time updates directly on you device, subscribe now.