fbpx

H3N2 ଭାଇରସ ଚିନ୍ତା ବଢ଼ାଇଲା: ଓଡ଼ିଶାରୁ ଚିହ୍ନଟ ହେଲା ୫୯ଟି ମାମଲା, ସତର୍କ ସୂଚନା ଜାରି କଲେ କେନ୍ଦ୍ର ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ଏ୩ଏନ୨ ଭାଇରସ ବା ଇନଫ୍ଲୁଏଞ୍ଜାର ସଂକ୍ରମଣ ଚିନ୍ତା ବଢ଼ାଇଛି । ଏହା ମଧ୍ୟରେ କର୍ଣ୍ଣାଟକ ଓ ହରିୟାଣାରେ ୨ ଜଣ ରୋଗୀ ଏହି ଭାଇରସରେ ମୃତ୍ୟୁବରଣ କରିଛନ୍ତି । ବିଭିନ୍ନ ରାଜ୍ୟରେ ମଧ୍ୟ ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ସମସ୍ତ ରାଜ୍ୟ ପାଇଁ କେନ୍ଦ୍ର ସରକାର ଆଡଭାଇଜରି ଜାରି କରିଛନ୍ତି ।

ତେବେ ଏହା ମଧ୍ୟରେ ଓଡ଼ିଶାରୁ ୫୯ଟି ଏଚ୩ଏନ୨ ଭାଇରସ୍ ଚିହ୍ନଟ ହୋଇଛନ୍ତି । ଗତ ଜାନୁଆରୀ ଓ ଫେବୃଆରୀ ମାସରେ ୨୨୫ଟି ସାମ୍ପୂଲ ସଂଗ୍ରହ କରାଯାଇଥିବା ବେଳେ ପରୀକ୍ଷା ପରେ ସେଥିରୁ ୫୯ଟି ଏଚ୩ଏନ୨ ଭାଇରସ୍ ଚିହ୍ନଟ କରାଯାଇଛି । ରାଜଧାନୀ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆରଏମଆରସି) ଡାଇରେକ୍ଟର ସଂଘମିତ୍ରା ପତି ଏ ବାବଦରେ ସୂଚନା ଦେଇଛନ୍ତି ।

ଏହି ଭାଇରସ କବଳରୁ ରକ୍ଷା ପାଇବା ପାଇଁ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି । ଇନଫ୍ଲୁଏଞ୍ଜାର ଲକ୍ଷଣ ଅଧିକାଂଶ ରୋଗୀଙ୍କଠାରେ ଏକ ପ୍ରକାରର ଦେଖାଯାଉଛି । ରୋଗୀଙ୍କଠାରେ କାଶ, ଗଳା ସଂକ୍ରମଣ, ଶରୀର ଯନ୍ତ୍ରଣା, ନାକରେ ପାଣି ଆସିବା ଆଦି ଲକ୍ଷଣ ଦେଖାଯାଉଛି । ସେହିପରି ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ)ର ପୂର୍ବତନ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି, ଏଚ୩ଏନ୨ ଏକ ପ୍ରକାରର ଇନଫ୍ଲୁଏଞ୍ଜା ଭାଇରସ ଅଟେ । ଏହି ଭାଇରସ୍ ସମୟ ସହିତ ମ୍ୟୁଟେଟ କରିଥାଏ । ସେହିପରି ଏହା ଏକ ନନ ହ୍ୟୁମାନ ଇନଫ୍ଲୁଏଞ୍ଜା ଭାଇରସ ହୋଇଥିବା ବେଳେ ସାଧାରଣ ଭାବେ ଏହା ଘୁଷୁରୀଙ୍କ ଠାରେ ବ୍ୟାପିଥାଏ ଓ ମଣିଷଙ୍କୁ ସଂକ୍ରମିତ କରିଥାଏ ବୋଲି ଆମେରିକାର ରୋଗ ନିୟନ୍ତ୍ରଣ ଓ ନିବାରଣ (ସିଡିସି) ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.